ଭୁବନେଶ୍ବର : ମୌସୁମୀ ବର୍ଷା ପୂର୍ବରୁ ସମସ୍ତ ନଦୀ ବନ୍ଧକୁ ସୁଦୃଢ କରିବା ପାଇଁ ଜଳସମ୍ପଦ ବିଭାଗ ଏବେଠୁ ଅଣ୍ଟା ଭିଡ଼ିଛି। ଏପ୍ରିଲ ୨୪ରୁ ମେ ୪ତାରିଖ ପର୍ଯ୍ୟନ୍ତ ସମସ୍ତ ନଦୀ ବନ୍ଧ ଯାଞ୍ଚ କରିବାକୁ ଜଳସମ୍ପଦ ବିଭାଗର ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ବନ୍ଧୱାରି ତଥ୍ୟ ପ୍ରସ୍ତୁତ କରି ନିଜ ଜିଲ୍ଲାର ଜିଲ୍ଲାପାଳ, ପୁଲିସ ଏସ୍ପି, ଉପଜିଲ୍ଲାପାଳ, ଆଇଆଇସି, ବିଡିଓ ଓ ତହସିଲଦାରଙ୍କୁ ପ୍ରଦାନ କରିବେ।
ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କେବେ ନଦୀ ବନ୍ଧ ଯାଞ୍ଚ ହେବେ ସେନେଇ ତାରିଖ ଧାର୍ଯ୍ୟ କରିବା ପରେ ମିଳିତ ଯାଞ୍ଚ ହେବ। ଏଥିରେ ପ୍ରଥମ କରି ନଦୀକୂଳିଆ ଗ୍ରାମର ଲୋକ, ପଞ୍ଚାୟତସ୍ତରୀୟ ଅଧିକାରୀ ଏବଂ ଆର୍ଆଇଙ୍କୁ ସାମିଲ୍ କରିବାକୁ କୁହାଯାଇଛି। ଜିଲ୍ଲାପାଳମାନେ ଏହି ରିପୋର୍ଟକୁ ଅନୁମୋଦନ କରିବା ପରେ ମେ ୧୫ତାରିଖ ସୁଦ୍ଧା ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।