ଦୁର୍ବଳ ବନ୍ଧରୁ ଧସୁଛି ଅତଡ଼ା, ବିପଦରେ ୬ ଗାଁ

ଜଳେଶ୍ବର: ଜଳେଶ୍ବର ବ୍ଲକ ଅଧୀନସ୍ଥ ସୁବର୍ଣ୍ଣରେଖା ନଦୀତଟରେ ଥିବା ବାଇଗଣବାଡ଼ିଆ ଟିଆରଇ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ଅଞ୍ଚଳର ୬ ମୌଜା ଲୋକଙ୍କ ଚିନ୍ତା ବଢ଼ିଛି। ବିଶେଷ କରି ଅଣ୍ଡିଆ ଖାଳ ଦେଇ ସୁବର୍ଣ୍ଣରେଖାର ବଢ଼ିପାଣି ପ୍ରବାହିତ ହେଉଥିବାରୁ ଉକ୍ତ ଟିଆରଇରୁ ଅତଡ଼ା ଧସି ଲୋକଙ୍କ ଗମନାଗମନରେ ସମସ୍ୟା ସୃଷ୍ଟି ହେଉଛି।

ସୂଚନା ଅନୁସାରେ, ବାଇଗଣବାଡ଼ିଆ ଟିଆରଇର ମୋଟ ଦୈର୍ଘ୍ୟ ୩ କିମି ହୋଇଥିବା ବେଳେ ଏହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ବାଇଗଣବାଡ଼ିଆ ଛକଠାରୁ କାଳିକାପୁର କାଳି ମନ୍ଦିର ଯାଏ ୮୧୦ ମିଟର ସ୍ଥାନ। ଏହି ୮୧୦ ମିଟର ଟିଆରଇ ବା ବନ୍ଧ କେବଳ ଯେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବନ୍ୟା ଦାଉରୁ ସୁରକ୍ଷା ଦେଇଥାଏ ତାହା ନୁହେଁ କାଳିକାପୁର, ପାଳସାହି, ଛୋଟଖାନପୁର, ବାଇଗଣବାଡ଼ିଆ, ଝାଡ଼ପିପଳ ଓ ଉଲୁଡ଼ା ଆଦି ଗାଁର ଲୋକେ ଦୈନନ୍ଦିନ ଗମନାଗମନ ପାଇଁ ଏହା ଉପରେ ନିର୍ଭର କରିଥାନ୍ତି। ତେବେ ଏହି ୮୧୦ ମିଟର ଟିଆରଇକୁ ଏବେ ସୁବର୍ଣ୍ଣରେଖାର ଶାଖା ନଦୀ ଅଣ୍ଡିଆ ଖାଳର ଭୟ। କାରଣ ସୁବର୍ଣ୍ଣରେଖାର ବନ୍ୟାପାଣି ଏପରିକି ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ରର ଜୁଆର ପାଣି ଏହି ଅଣ୍ଡିଆ ଖାଳରେ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଟିଆରଇରୁ ନିୟମିତ ବ୍ୟବଧାନରେ ମାଟି ଅତଡ଼ା ଧସୁଛି।

ସେହିପରି ୧୦ରୁ ଊର୍ଦ୍ଧ୍ବ ସ୍ଥାନରେ ବନ୍ଧର ଅଧାଯାଏ ଧୋଇଯିବାରୁ ତାହା ଝୁଲନ୍ତା ଅବସ୍ଥାରେ ରହିଛି। ଏହି କାରଣରୁ ବନ୍ଧ ଉପରେ ଯାତାୟାତ ପାଇଁ ନିର୍ଭର କରୁଥିବା ଲୋକେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ଧର ସୁରକ୍ଷା ସହ ମାଟି ଅତଡ଼ା ଖସିବାରେ ରୋକ ଲଗାଇବା ପାଇଁ ଜଳସମ୍ପଦ ବିଭାଗ ତରଫରୁ ୫୨ଲକ୍ଷ ଟଙ୍କାର ଏକ ପ୍ରୋଟେକସନ ଓ୍ବାଲ ନିର୍ମାଣ କାମ ନିକଟରେ ଶେଷ ହୋଇଛି। ବନ୍ଧ ଖାଉଥିବା ସ୍ଥାନରେ ବାଉଁଶ ପୋତ ଓ ଅସ୍ଥାୟୀ ବାଲି ବସ୍ତା ହିଁ ଲୋକଙ୍କ ଭରସା ପାଲଟିଛି। ତେବେ ବର୍ତ୍ତମାନ ବର୍ଷାଋତୁ ଚାଲିଥିବାରୁ ଏହି ସମୟରେ ଯଦି ସୁବର୍ଣ୍ଣରେଖାରେ ବନ୍ୟା ଆସେ ତେବେ ଅଣ୍ଡିଆ ଖାଳ କଡ଼େ କଡ଼େ ଥିବା ଏହି ବନ୍ଧର ଯେ କଣ ଅବସ୍ଥା ହେବ ତାହା କହିହେବ ନାହିଁ। ବନ୍ଧର ମରାମତି ସହ ଏହାକୁ ପୁଣି ଥରେ ଗମନାଗମନ ଉପଯୋଗୀ କରିବା ପାଇଁ ଗାର୍ଡୱାଲ, ଜେଏସବି ଓ ଡବ୍ଲ୍ୟୁଏମ ପରି କାମର ଆବଶ୍ୟକତା ରହିଛି। ସେଥିପାଇଁ ଅତିକମରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଳସମ୍ପଦ ବିଭାଗ ତରଫରୁ ଆକଳନ କରାଯାଇଛି। ୮୦ ଲକ୍ଷ ଟଙ୍କାର ଏହି ଯୋଜନାର ଅନୁମୋଦନ ପାଇଁ ଜଳସେଚନ ବିଭାଗର ଏସଇଙ୍କ ନିକଟକୁ ଗତମାସରେ ଫାଇଲ ପଠାଯାଇଥିବା ଜଳସେଚନ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସେହିପରି ସ୍ଥାୟୀ ସମାଧାନ ପାଇଁ ୮୦ ଲକ୍ଷ ନୁହେଁ ୨ କୋଟିରୁ ଅଧିକ ଟଙ୍କା ଦରକାର ବୋଲି କୁହାଯାଇଛି। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଏହି ବନ୍ଧର ସୁରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର