ଆସିକା: ଆସିକା ସହର ଦେଇ ପ୍ରବାହିତ ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ଓ ବଡ଼ନଦୀର ଚିତ୍ର ଗତ ୨୦ ବର୍ଷ ମଧ୍ୟରେ ବଦଳି ଯାଇଛି। ମାତ୍ରାଧିକ ବାଲି ଉତ୍ତୋଳନ, ଅସନ୍ତୁଳିତ ପରିବେଶ ତଥା ବର୍ଷାଭାବ କାରଣରୁ ଏହି ଦୁଇ ନଦୀ ନିଜର ପରିଚୟ ହରାଇବାକୁ ବସିଛନ୍ତି। କୃଷି କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଥିବା ଉଭୟ ନଦୀକୁ କିଲୋମିଟର ଦୂର ପର୍ଯ୍ୟନ୍ତ ଚାହିଁଲେ କେବଳ ବାଲି ଦିଶୁଥିଲା। କିନ୍ତୁ ଏବେ କାଶତଣ୍ଡୀରେ ଭର୍ତ୍ତି ହୋଇ ରହିଛି। ଏହାସାଙ୍ଗକୁ ଜଳସ୍ତର ଚିନ୍ତାଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ବେଆଇନ ବାଲି ଉତ୍ତୋଳନ କାରଣରୁ ଋଷିକୁଲ୍ୟା ଓ ବଡ଼ନଦୀରେ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି। ୨୦୦୪ ପର୍ଯ୍ୟନ୍ତ ଉଭୟ ନଦୀରୁ ବିଶେଷ ଭାବେ ବାଲି ଉତ୍ତୋଳନ କରାଯାଉ ନଥିଲା। କିନ୍ତୁ ଧୀରେ ଧୀରେ ରାଜସ୍ବ ଆଦାୟ ପାଇଁ ପ୍ରତି ପାଞ୍ଚ କିଲୋମିଟର ବ୍ୟବଧାନରେ ବାଲିଘାଟ ଆରମ୍ଭ ହେଲା। ବର୍ତ୍ତମାନ ମେସିନ୍ ସାହାଯ୍ୟରେ ଦିନରାତି ବାଲି ଉତ୍ତୋଳନ ହେଉଥିବା ଦେଖିବାକୁ ମିଳିଛି। ବାଲି ଶେଷ ହୋଇ ଉପରକୁ ମାଟି ଆସିବା କାରଣରୁ କାଶତଣ୍ଡି ବଣ ସୃଷ୍ଟି ହେବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଦୁଇନଦୀରୁ ବାଲିସ୍ତର ଶେଷ ହୋଇଯିବାର ଆଶଙ୍କା ଦେଖାଦେଇଛି। ନଦୀ ଅବବାହିକାରେ ରହୁଥିବା ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେବେ।
ସେହିପରି ନଦୀରେ କାଶତଣ୍ଡୀ ଭର୍ତ୍ତି ହୋଇ ରହିଥିବାରୁ ବନ୍ୟାଜଳ ନିଷ୍କାସନରେ ବାଧା ସୃ୍ଷ୍ଟି ହେଉଥିବାର ନଜିରରହିଛି। ୨୦୧୮ ତିତ୍ଲି ବାତ୍ୟା ପରେ ଋଷିକୁଲ୍ୟାର ବନ୍ୟାଜଳ ନିଷ୍କାସନ ହୋଇ ନପାରି ଆସିକା ସହର ଜଳାର୍ଣ୍ଣବ ହୋଇଥିଲା। ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ନଦୀ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ପରିବେଶବିତ୍ ମତ ରଖିଛନ୍ତି। କେବଳ ଏହି ଦୁଇ ନଦୀ ନୁହେଁ; ବାଘୁଆ, ଧନେଇ ଓ ଘୋଡ଼ାହାଡ଼ ନଦୀରୁ ମଧ୍ୟ ବାଲି ସରିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fhfshfhft.jpg)