ପୁରୀ: ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରଠାରୁ ଶ୍ରୀମନ୍ଦିର ଉତ୍ତରଦ୍ବାର ଦୋଳବେଦି କୋଣ ପର୍ଯ୍ୟନ୍ତ ଆଉ ଏକ ନୂଆ ରାସ୍ତା ବାହାର କରାଯାଉଛି। ଯାହା ବଡ଼ଦାଣ୍ଡର ଚାପ କମାଇବ ବୋଲି ରାଜ୍ୟ ସରକାରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଆଶାବ୍ୟକ୍ତ କରୁଛନ୍ତି। ଏ ନେଇ ଜୋରସୋରରେ ଉଚ୍ଛେଦ ସହ ରାସ୍ତା କାମ ବି ଆରମ୍ଭ ହୋଇଯାଇଛି। ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଏଥିପାଇଁ ବାଲି ପୋତା କାମ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ବକେୟା ଘର ଉଚ୍ଛେଦ କରିବାକୁ ଯୋଜନା କରାଯାଇଛି। ସେହି ଅନୁଯାୟୀ ମାପଚୁପ ଚାଲିଛି। ଆଜି ଚୁଡ଼ଙ୍ଗସାହି ମଧୁବନରେ ରାସ୍ତାର ମାପଚୁପ କରାଯିବା ସହ ନାଲି ଦାଗ ଦିଆଯାଇଛି। ଅନ୍ୟପଟେ ବଡ଼ଦାଣ୍ଡ ଭଳି ଏହି ନୂଆ ରାସ୍ତାର ନାଁ ‘ଶ୍ରୀଦାଣ୍ଡ’ ରଖିବାକୁ ଯୋଜନା କରାଯାଇଛି। ଯେହେତୁ ପାଖରେ ବଡ଼ଦାଣ୍ଡ ଓ ଶ୍ରୀସେତୁ ରହିଛି, ସେ ଦୃଷ୍ଟିରୁ ‘ଶ୍ରୀଦାଣ୍ଡ’ କରିବାକୁ ମତପ୍ରକାଶ ପାଇଥିଲା। ଏହାକୁ ସମସ୍ତେ ଗ୍ରହଣ କରିଥିବା ଜଣାପଡ଼ିଛି।
ରାସ୍ତାର ରୂପରେଖ ଅନୁଯାୟୀ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରଠାରୁ ଦୋଳବେଦି କୋଣ ପର୍ଯ୍ୟନ୍ତ ପ୍ରାୟ ୯ଶହ ମିଟରର ରାସ୍ତା ଫିଟିବ। ରାସ୍ତା ଚଉଡ଼ା ପ୍ରାୟ ୪୦ ଫୁଟର ରହିବ। ଦୁଇପାର୍ଶ୍ବକୁ ମିଶାଇ ୫ ଫୁଟର ଫୁଟ୍ପାଥ ରହିବ। ଆବଶ୍ୟକ ସ୍ଥଳେ, ଟ୍ରାଫିକ କଣ୍ଟ୍ରୋଲ ପାଇଁ ଏହି ଫୁଟ୍ପାଥ ଉପରେ ସେଡ୍ କରାଯିବ। ଦୋଳବେଦିଠାରେ ପହଞ୍ଚିବା ପରେ ଭକ୍ତଙ୍କ ପାଇଁ ମାଗଣା ଜୋତା, ମୋବାଇଲ୍ ଷ୍ଟାଣ୍ଡ ଆଦି କରାଯିବ। ଏଥିପାଇଁ ଛୋଟ ଛୋଟ ଅଣ୍ଡରଗ୍ରାଉଣ୍ଡ ଘର କରିବାକୁ ବି ଯୋଜନା କରାଯାଉଛି। କେବଳ ସରକାରଙ୍କ ପକ୍ଷରୁ ଚାଲିବାକୁ ଥିବା ମାଗଣା ବ୍ୟାଟେରି ଅଟୋ, ବସ ଏହି ବାଟ ଦେଇ ଚଳାଚଳା ପାଇଁ ଯୋଜନା କରାଯାଉଛି। ଅନ୍ୟପଟେ ଯେଉଁ ଭକ୍ତମାନେ ଶ୍ରୀସେତୁରେ ଆସି ଶ୍ରୀଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂରେ ପହଞ୍ଚି ଗାଡ଼ି ପାର୍କିଂ କରିବେ, ସେମାନେ ସିଧାସଳଖ ଏହି ରାସ୍ତା ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ। ଫେରିବା ବାଟରେ ବି ଏହି ବାଟ ଦେଇ ପାର୍କିଂକୁ ଫେରିପାରିବେ।
ଫଳରେ ବଡ଼ଦାଣ୍ଡର ଭିଡ଼ କମିବ। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଏହି ରାସ୍ତା ପାଇଁ ‘ଶ୍ରୀଦାଣ୍ଡ’ ନାମକରଣ ପାଇଁ ପ୍ରସ୍ତାବ ଆସିଛି। ସମସ୍ତେ ବି ଏହି ନାମକୁ ପସନ୍ଦ କରୁଛନ୍ତି। ବାକି ଆହୁରି ଅନେକ ନାଁର ପ୍ରସ୍ତାବ ଆସିଛି। ଯେଉଁ ନାଁ ଭଲ ଲାଗିବ ସେହି ନାଁ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଓବିସିସି-୨ ନିର୍ବାହୀ ଯନ୍ତ୍ରୀ ଇଂ. ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ଏହି ରାସ୍ତାକୁ ସଂପୂର୍ଣ୍ଣ ଐତିହ୍ୟସଂପନ୍ନ କରାଯିବ। ଲାଇଟ୍ଠାରୁ ଆରମ୍ଭ କରି ଖାଣ୍ଡେଲାଇଟ୍ ପଥର ଆଦି ସବୁଥିରେ ଐତିହ୍ୟର ଛାପ ରହିବ। ଏବେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ବାକି ଡିଜାଇନ୍ ଚୂଡ଼ାନ୍ତ ହେବା ପରେ ଜଣାପଡ଼ିବ ବୋଲି ଇଂ. ପାଢ଼ୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/ggdadagdgdgdg.jpg)