ଯନ୍ତ୍ରଣା ଦେଉଛି ଶ୍ରୀକ୍ଷେତ୍ରର ରାସ୍ତାଘାଟ: ରାସ୍ତା ସାରା ଖାଲଖମା, ଦୈନିକ ଘଟୁଛି ଛୋଟବଡ଼ ଦୁର୍ଘଟଣା

ପୁରୀ : ଶ୍ରୀକ୍ଷେତ୍ର ହେବ ବିଶ୍ବସ୍ତରୀୟ ସହର। ବିଗତ ୪ ବର୍ଷ ହେଲାଣି ଏଭଳି ସ୍ବପ୍ନ ଦେଖାଉଛନ୍ତି ସରକାର। କିନ୍ତୁ ସହରବାସୀ ଯେ ମୌଳିକ ସୁବିଧା ପାଇଁ ଦହଗଞ୍ଜ ହେଉଛନ୍ତି, ତାହା କ‌ାହାରି ନଜରରେ ପଡ଼ୁନି। ରାସ୍ତାଘାଟ ସୁଦୃଢ଼ୀକରଣ ଭଳି ସାମାନ୍ୟତମ ସୁବିଧା ବି ‌ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ଦେଇ ପାରୁନି। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି ନବକଳେବର ରାସ୍ତା, ପୁରୀ ବ୍ରହ୍ମଗିରି ରାସ୍ତା, ସିଟି ରୋଡ୍‌ ଭଳି ଅନେକ ପ୍ରମୁଖ ରାସ୍ତା। ଯେଉଁଥିପାଇଁ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାହା ସରକାରଙ୍କ ଏହି ବିଶ୍ବସ୍ତରୀୟ ସ୍ବପ୍ନକୁ ଉପହାସ କରୁଛି।

ସେପଟେ ପୁରୀ-ବ୍ରହ୍ମଗିରି ରାସ୍ତା ବି ଯାତାୟାତର ଏକ ପ୍ରମୁଖ ରାସ୍ତା। କିନ୍ତୁ ନରେନ୍ଦ୍ରକୋଣଠାରୁ ମଙ୍ଗଳାଘାଟ ପର୍ଯ୍ୟନ୍ତ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। କେଉଁଠି ରାସ୍ତା ଖୋଳି ହୋଇ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ତ କେଉଁଠି ଶ୍ରୀସେତୁ ପାଇଁ ରାସ୍ତାସାରା ଖାଲ ସୃଷ୍ଟି ହୋଇଛି। ଶୁଖିଲା ପାଖରେ ଯିବା କାଠିକର ପାଠ ହୋଇଥିବାବେଳେ ବର୍ଷା ହେଲେ ଲୋକେ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଅନେକ ସମୟରେ ଅଟୋ ଭଳି ହାଲୁକା ଯାନ ବି ଏଠାରେ ଓଲଟି ପଡ଼ିବାର ନଜୀର ରହିଛି।

ସେହିଭଳି ସୁଭାଷ ବୋଷ ଛକରୁ ପେଣ୍ଠକଟା ଏକ ପ୍ରମୁଖ ରାସ୍ତା ହୋଇଥିବାବେଳେ ଏହି ରାସ୍ତା ବି ଖାଲଖମାରେ ଭର୍ତ୍ତି ହୋଇଛି। ଅଧିକାଂଶ ଜାଗାରୁ ପିଚୁ ଉଠି ଗର୍ତ୍ତ ସୃଷ୍ଟି ହେଲାଣି। କଚେରି ଛକରୁ ଡିଆରଡିଏ ରାସ୍ତା ବି ସମାନ ଅବସ୍ଥା ଥିଲା। କିନ୍ତୁ ଅଭିଯୋଗ ପରେ ଏଠାରେ ଡଷ୍ଟ ପକାଇ ଦେଇ ପୂର୍ତ୍ତ ବିଭାଗ ନିଜ ଦାୟିତ୍ବ ଖସାଇ ଦେଇଛି। ଏହି ରାସ୍ତା କେବଳ ଉଦାହରଣ ମାତ୍ର। ସହର ସାରା ରାସ୍ତାଘାଟର ଏଭଳି ଅବସ୍ଥା ହୋଇଥିବାବେଳେ ତୁରନ୍ତ ଏସବୁର ପୁନରୁଦ୍ଧାର ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର