ବ୍ରହ୍ମପୁର : ‌ଖଜୁରିଆ ଢାବା ନିକଟରେ ଗତ ୧୧ତାରିଖରେ ହୋଇଥିବା ଏକ ଲୁଟ୍ ମାମଲାର ତଦନ୍ତ କରି ଗୋସାଇଁ ନୂଆଗାଁ ଥାନା ପୁଲିସ ଏକ ୬ଜଣିଆ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଏହି ଗ୍ୟାଙ୍ଗ୍‌ରେ ଜଣେ ନାବାଳକ ଅଭିଯୁକ୍ତ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବଡ଼ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଅଞ୍ଚଳର ସୁଶାନ୍ତ କୁମାର ସାହୁ (୨୪), ଶ୍ରୀରାମନଗର ଜଗନ୍ନାଥବିହାର ୪ର୍ଥ ଗଳିର ସୁମନ୍‌ ଚୌଧୁରୀ(୧୯), ଗଣପତିନଗର ୫ମ ଗଳିର ସାଗର ସାହୁ (୧୯), ନିମଖଣ୍ଡି ଥାନା ଝାଡ଼ାଙ୍କୁଲିର ସୁକଦେବ ସାହୁ(୨୩), ଛତ୍ରପୁର ଥାନା ସିନ୍ଦୁରପୁର ଗ୍ରାମର ପିଙ୍କୁ ସାହୁ (୨୫)। ଅଭିଯୁକ୍ତଙ୍କ ଠାରୁ ସୁନା ଗହଣା ଆଦି ଲୁଟ୍‌ସାମଗ୍ରୀ କିଣିଥିବା ଅଭିଯୋଗରେ ବ୍ରଜନଗର ୨ୟ ଗଳିର କିସାନ୍ ସାହୁ(୨୪)କୁ ମଧ୍ୟ ପୁଲିସ ଗିରଫ କରିଛି।

Advertisment

ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ୍‌ ଏମ୍‌. ରବିବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ମୁତାବକ, ଧରାପଡ଼ିଥିବା ଏହି ଡକାୟତ ଗ୍ୟାଙ୍ଗ୍‌ର କୌଣସି ସଦସ୍ୟଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିଲା। ୩ମାସ ହେବ, ନୂଆ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ଗୋଟିଏ ସାହିର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବାଇକ୍‌ ମେକାନିକ୍। ଅନ୍ୟମାନେ ମଧ୍ୟ ବିଭିନ୍ନ ଗ୍ୟାରେଜ୍‌ରେ କାମ କରୁଥିଲେ। ପ୍ରଥମେ ସେମାନେ ବାଇକ୍‌ ଚୋରି କରିବା ଆରମ୍ଭ କରିଥିଲେ। ପରେ ସେମାନେ ସହର ଉପକଣ୍ଠ ଏବଂ ଚମାଖଣ୍ଡି ଓ ଛତ୍ରପୁର ଅଂଚଳରେ ସଂଘବଦ୍ଧ ଭାବେ ଡକାୟତି ଓ ଲୁଟ୍‌ କରୁଥିଲେ। ଏଥିପାଇଁ ଗୋଟିଏ ଖେଳନା ବନ୍ଧୁକ ଏବଂ ଗୋଟିଏ ଦେଶୀ ବନ୍ଧୁକ ବ୍ୟବହାର କରୁଥିଲେ। ଦେଶୀ ବନ୍ଧୁକ ସହ ୨ଟି ଗୁଳି ପୁଲିସ ଜବତ କରିଛି।

ଏହି ବନ୍ଧୁକ କେଉଁଠାରୁ ଆଣିଥିଲେ, ସେନେଇ ପୁଲିସ ତଦନ୍ତ କରୁଛି। ଗତ ୧୧ତାରିଖରେ ପ୍ରଭୁପ୍ରସାଦ ବେହେରା ନାମକ ଜଣେବ୍ୟକ୍ତ ପ୍ରାତଃଭ୍ରମଣ କରୁଥିବା ବେଳେ ଖଜୁରିଆ ଢାବା ନିକଟ ଜାତୀୟ ରାଜପଥରେ ୬ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ଏକ ବନ୍ଧୁକ ଦେଖାଇ ମୁଦି ଛଡ଼ାଇ ନେବାକୁ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ତାଙ୍କ ପକେଟ୍‌ରୁ ହଜାରେ ଟଙ୍କା ଲୁଟି ଫେରାର୍‌ ହୋଇଯାଇଥିବା ନେଇ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଡକାୟତି ଗ୍ୟାଙ୍ଗର ୬ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ନେଇ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।