ନରସିଂହପୁର: ନରସିଂହପୁର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ ଆଜି ରାତିରେ କେହି ଦୁର୍ବୃତ୍ତ ମା’ କୋଳରେ ଶୋଇଥିବା ଶିଶୁପୁତ୍ରକୁ ଆଣି କୂଅରେ ପକାଇ ଦେଇଛି। କୂଅ ପାଣିରେ ବୁଡ଼ି ଶିଶୁଟିର ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ସୁବଳୟା ଗ୍ରାମର ଚିତ୍ତରଞ୍ଜନ ନାୟକଙ୍କ ପତ୍ନୀ ଓ ୭ମାସର ପୁଅ ଅରୂପାନନ୍ଦ ଖାଇସାରି ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ମା’ କୋଳରୁ ପୁଅ ଅରୂପାନନ୍ଦକୁ ଉଠାଇ ନେଇ ଘର ନିକଟ କୂଅରେ ପକାଇ ଦେଇଥିଲା।

Advertisment

ପାଖରେ ପୁଅକୁ ନ ପାଇ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ କୂଅ ଭିତରୁ ଶିଶୁପୁତ୍ରକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାର ସୂଚନା ଆଧାରରେ ନରସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ଥାନାଧିକାରୀ ବିକ୍ରମକେଶରୀ ଜେନା ସୂଚନା ଦେଇଛନ୍ତି।