ଭୁବନେଶ୍ବର : ଅଧିକ ଅମଳ ଓ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଠିକ୍‌ ସମୟରେ ଉନ୍ନତମାନର ପ୍ରାମାଣିକ ବିହନ ଯୋଗାଇଦେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଭୁବନେଶ୍ୱରସ୍ଥିତ ରାଜ୍ୟ ବିହନ ପରୀକ୍ଷାଗାରର ସଂପ୍ରସାରଣ ସହିତ ଚାଷୀମାନଙ୍କ ସୁବିଧା ପାଇଁ ନୂତନ କୃଷକ ନିବାସ ନିର୍ମାଣ କରାଯାଇଛି। ଅକ୍ଷୟ ତୃତୀୟା ଅବସରରେ ସଂପ୍ରସାରିତ ରାଜ୍ୟ ବିହନ ପରୀକ୍ଷାଗାର ଓ ନୂତନ କୃଷକ ନିବାସକୁ ଉଦ୍‌ଘାଟନ କରି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି।

Advertisment

ଏହି ରାଜ୍ୟ ବିହନ ପରୀକ୍ଷଣ କେନ୍ଦ୍ରକୁ ଅନ୍ତର୍ଜାତୀୟ ମାନକୁ ଉନ୍ନୀତ କରିବା ଓ ଏଠାରେ ଚାଷୀ ଏବଂ ବିଭାଗୀୟ କର୍ମକର୍ତ୍ତାଙ୍କ ସମେତ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ବିହନ ପରୀକ୍ଷଣ ଦିଗରେ ଆଧୁନିକ ପ୍ରଶିକ୍ଷଣ ଦେବା ପାଇଁ ଲକ୍ଷ୍ୟ ରଖାଯାଇ ଥିବା ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍‌ସି ମେୟର୍‌ ସୁଲୋଚନା ଦାସ ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୧୯୬୬ ମସିହାରେ ପ୍ରତିଷ୍ଠା ହୋଇଥିବା ବିହନ ପରୀକ୍ଷାଗାର ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇବାରେ ପ୍ରମୁଖ ଭୂମିକା ନେଉଛି। ପରୀକ୍ଷାଗାରରେ ବର୍ଷକୁ ଚାଷୀମାନଙ୍କ ଦ୍ୱାରା ସଂରକ୍ଷିତ ୧୨ ହଜାରରୁ ୧୬ ହଜାର ବିହନ ନମୁନାର ଗୁଣାତ୍ମକ ମାନ ଯାଞ୍ଚ କରାଯାଉଛି । ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିନ୍‌ ବ୍ୟାଙ୍କ୍‌ ପ୍ରତିଷ୍ଠା କରାଯାଇଛି, ଯାହା ସମଗ୍ର ଦେଶରେ ନିଆରା। ଜିନ୍‌ ବ୍ୟାଙ୍କରେ ୧୦୭୮ କିସମର ସ୍ଥାନୀୟ ଧାନ ବିହନ ଓ ୨୮୩ଟି ଅଣଧାନ ବିହନ ସଂରକ୍ଷିତ କରି ରଖାଯାଇଛି। ଏଥିମଧ୍ୟରୁ ୭୪୫ଟି ଧାନ ବିହନ ଭାରତ ସରକାରଙ୍କ ଦ୍ୱାରା ପ୍ରୋଟେକ୍‌ସନ୍‌ ଅଫ୍‌ ପ୍ଲାଣ୍ଟ ଭେରାଇଟିଜ୍‌ ରେଜିଷ୍ଟ୍ରେସନ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଂଜୀକୃତ ହୋଇଛି ଓ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ଜିନ୍‌ ବ୍ୟାଙ୍କରେ ୯୭ଟି ସ୍ଥାନୀୟ କିସମର ମିଲେଟ୍‌ ବିହନ ସଂରକ୍ଷିତ ହୋଇ ରହିଛି। ବିହନ ପରୀକ୍ଷାଗାରରେ ବିହନର ଶୁଦ୍ଧତା, ଆର୍ଦ୍ରତା, ବିହନର ସ୍ୱାସ୍ଥ୍ୟ, ଅଙ୍କୁରୋଦ୍‌ଗମ କ୍ଷମତା ଓ କୀଟପୋକ ପ୍ରତିରୋଧୀ କ୍ଷମତା ଆଦିକୁ କଡ଼ାକଡ଼ି ଭାବରେ ପରୀକ୍ଷା କରାଯାଇ ବିହନର ମାନ ନିର୍ଣ୍ଣୟ କରାଯାଇଥାଏ । ପରୀକ୍ଷାଗାରର ସଂପ୍ରସାରଣ ଫଳରେ ଏଠାରେ ଅନ୍ତର୍ଜାତୀୟ ମାନର ବିହନ ପରୀକ୍ଷଣର ସୁବିଧା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀଙ୍କ ସମେତ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ, ବିହନ ପରୀକ୍ଷାଗାରର ଯୁଗ୍ମ ନିର୍ଦ୍ଦେଶକ, ସ୍ଥାନୀୟ କର୍ପୋରେଟର୍‌ ଓ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।