ପୁରୀ: ଦୁର୍ଗାମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର ଜରାଜୀର୍ଣ୍ଣ। ଶ୍ରୀକ୍ଷେତ୍ରର ଶାକ୍ତ ଗୁଣ୍ଡିଚାର ଛାତ ଫାଟିଗଲାଣି। ରାସ୍ତାଠୁ ମନ୍ଦିର ତଳେ ଥିବାରୁ ନାଳ ପାଣି ଭିତରେ ପଶିଯାଉଛି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ଆନ୍ତରିକତା ଦେଖାଉନାହିଁ। ଦୁର୍ବଳ କାନ୍ଥକୁ ଧଉଳେଇ ଦେଇ କାମ ସାରିଦେଇଛି ପ୍ରଶାସନ। କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଏହାର ମରାମତି କରାଯାଉନାହିଁ। ମନ୍ଦିରର ଛାତ କେତେବେଳେ ଭୁଶୁଡ଼ିଯିବା ନେଇ ଆଶଙ୍କା ଦେଖାଦେଇଛି।

Advertisment

ନାରାୟଣୀ ମନ୍ଦିରର ଅନ୍ୟ ନାମ ହେଉଚି ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା। ଶ୍ରୀମନ୍ଦିର ନୀତି ସହ ଏହି ମନ୍ଦିର ଜଡ଼ିତ ଥିଲେ ହେଁ ଏଯାଏ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଇନାହିଁ। ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗାମାଧବ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ଏହି ନାରାୟଣୀ ମନ୍ଦିରକୁ ଆସନ୍ତି। ଶାରଦୀୟ ଦୁର୍ଗାପୂଜା ପରିପ୍ରେକ୍ଷୀରେ ଗଇଁଠାଳ ପଡ଼ି ଦୁର୍ଗାମାଧବ ଏକତ୍ର ପୂଜା ପାଇବା ଏହି ମନ୍ଦିର ଭିନ୍ନ ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ। ସେଥିପାଇଁ ଏହା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ। କିନ୍ତୁ ଐତିହ୍ୟ ଗୁରୁତ୍ବ ଥାଇ ମଧ୍ୟ ଏହା ଆଢ଼ୁଆଳରେ ରହିଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୋଳମଣ୍ଡପସାହି ମଧ୍ୟରେ ଥିବା ଏହି ମନ୍ଦିର ରାସ୍ତା ପତନଠାରୁ ତଳେ ରହିଛି। ସାମାନ୍ୟ ବର୍ଷା ହେଲେ ନାଳପାଣି ଏହା ମଧ୍ୟକୁ ପଶିଯାଇ ଠାକୁରାଣୀଙ୍କୁ ସ୍ପର୍ଶ କରୁଛି। ମନ୍ଦିରର ଛାତ ଫାଟି ଆଁ କରିଛି ମନ୍ଦିରର ମାର୍ଫତଦାର ଥିବା ଦାଶ ପରିବାରର ନାରାୟଣ ଦାଶ କହିଛନ୍ତି। ତାଙ୍କ କହିବା ମୁତାବକ, ଥ‌ରେ ପାଣି ପଶିଲେ ମନ୍ଦିର ମଧ୍ୟରୁ ବାଲ୍‌ଟିରେ ଏହାକୁ ଉଝାଳିବା ଛଡ଼ା ଅନ୍ୟ ଉପାୟ ନଥାଏ।

ଶ୍ରୀ ଦାଶଙ୍କ କହିବା ମୁତାବକ, ମନ୍ଦିରର ନିର୍ମାଣ କାଳକୁ ନେଇ ସେପରି କୌଣସି ‌ତଥ୍ୟ ଭିତ୍ତିକ ରେକର୍ଡ ନଥିଲେ ହେଁ ପ୍ରାୟ ୨ଶହ ବର୍ଷ ପୂର୍ବରୁ ୪ ପୁରୁଷ ଧରି ତାଙ୍କ ପରିବାର ଦ୍ବାରା ନାରାୟଣୀ ଠାକୁରାଣୀ ପୂଜା ପାଇ ଆସୁଛନ୍ତି। ଦୁ ମନ୍ଦିର ପରିଚାଳନା ପାଇଁ ଆୟର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ କରାଯାଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ରକ୍ଷଣାବେକ୍ଷଣ ନିମନ୍ତେ ଅନୁରୋଧ କରାଯାଇଥିଲା। ୨୦୨୧ ମସିହାରେ ମରାମତି କାର୍ଯ୍ୟ ହେଲା ସିନା, କିନ୍ତୁ ଏହା ଜରାଜୀର୍ଣ୍ଣ ଅବସ୍ଥାର ଉପଶମ କରିପାରିଲା ନାହିଁ। କିନ୍ତୁ କମିଟି ଏହାକୁ ଗୁରୁତ୍ବର ସହ ନେଲା ନାହିଁ। ଐତିହ୍ୟ କରିଡର ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଶ୍ରୀମନ୍ଦିର ନୀତି ସହ ସମ୍ପର୍କିତ ଏହି ମନ୍ଦିରର ଶୋଚନୀୟ ଅବସ୍ଥା ସଜାଡ଼ିବାକୁ ଗୁରୁତ୍ବ ଦିଆଯାଇନାହିଁ। ଛାତ ପକାଯିବା ସହ ଚଟାଣ ଉଚ୍ଚା କରାଯିବା ନିତାନ୍ତ ଆବଶ୍ୟକ ଥିବାରୁ ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସକ ଗୁରୁତ୍ବ ଦେବାକୁ ସେ ଦାବି କରିଛନ୍ତି।