ବିବାଦ ଭିତରେ ନିର୍ମାଣାଧୀନ ଘରର ପଡ଼ିଲା ଛାତ

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ, ୫୫ ମିଟରରେ ଠିଆ ହେଉଛି ଆଉ ଏକ ପାଚେରି

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ବିବାଦ ତୀବ୍ର ହୋଇଥିବାବେଳେ ଆସନ୍ତା ୨୭ ତାରିଖରେ ଏହା ବିରୋଧରେ ବଡ଼ ଜନଆନ୍ଦୋଳନ ଡାକରା ଦିଆଯାଇଛି। ‘ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ’ ନାଁରେ ଗଠିତ ସଂଗଠନ ନେତୃତ୍ବରେ ୫ ହଜାରରୁ ଅଧିକ ଲୋକ ଏଥିରେ ସାମିଲ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ବିବାଦୀୟ ପରିସ୍ଥିତିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିର୍ମାଣ କାର୍ଯ୍ୟ ବି ଜାରି ରହିଛି। ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ପଶ୍ଚିମଦ୍ବାର ଓ ଦକ୍ଷିଣଦ୍ବାରରେ ଏକାଧିକ ଘର ଠିଆ କରିବା ପରେ ଏହାର ଛାତ ପକାଇବା ଆରମ୍ଭ କରିଛି। ଇତିମଧ୍ୟରେ ପଶ୍ଚିମଦ୍ବାରରେ ତିନିଟି ଘରର ଛାତ ପଡ଼ି ସାରିଥିବା ଦେଖିବାକୁ ମିଳିଛି। ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୫୫ ମିଟର ପରିଧିରେ ଆଉ ଏକ ପାଚେରି ତିଆରି ଆରମ୍ଭ ହୋଇଛି। ପଶ୍ଚିମଦ୍ବାରରୁ ଏହି ପାଚେରି ପାଇଁ କଂକ୍ରିଟ୍‌ ପିଲାର କାମ ବି ଆରମ୍ଭ ହୋଇସାରିଛି। ଏହା ଶ୍ରୀମନ୍ଦିରର ଆଉ ଏକ ମେଘନାଦ ପାଚେରି ହେବ ବୋଲି ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଏବେ ବି ଅଗଣିତ ଜଗନ୍ନାଥ ଭକ୍ତଙ୍କ ମନରେ ସନ୍ଦେହ ଜାତ କରିଛି। ଆଇନ ଅନୁସାରେ ୧୦୦ ମିଟର ପରିଧିରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ପ୍ରତ୍ନତତ୍ତ୍ବ ବିଭାଗ ଏ ଦିଗରେ ନିରବଦ୍ରଷ୍ଟା ସାଜିଛି। ଗତକାଲି ପ୍ରତ୍ନତତ୍ତ୍ବ ବିଭାଗ ଏଡିଜି ଡ. ଅଶୋକ ତ୍ରିପାଠୀ, ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ ଅରୁଣ ମଲ୍ଲିକ ଓ ଅନ୍ୟ ଅଧିକାରୀମାନେ ଶ୍ରୀମନ୍ଦିର ପରିଦର୍ଶନ ଆସି ଖନନସ୍ଥଳ ପରିଦର୍ଶନ କରିଥିଲେ। ସେପଟେ ସଂସଦୀୟ ଷ୍ଟାଣ୍ଡିଂ କମିଟି ବି ଗସ୍ତ କରି ପ୍ରକଳ୍ପ କାମ ଅନୁଧ୍ୟାନ କରିଥିଲେ।

ସେପଟେ ଏହି ବିବାଦ ଭିତରେ ବି ନିର୍ମାଣ କାର୍ଯ୍ୟ ଜାରି ରହିଛି। ନିର୍ମାଣାଧୀନ କିଛି ଘରର ଛାତ ପଡ଼ିବା ପରେ ଏବେ ୫୫ ମିଟର ପରିଧିରେ ପାଚେରି ନିର୍ମାଣ କାମକୁ ଜୋରଦାର କରାଯାଇଛି। ଏଥିପାଇଁ ପଶ୍ଚିମଦ୍ବାରରେ ପ୍ରାୟ ୪୦ ମିଟର ବ୍ୟାପ୍ତ ଜାଗାରେ ମୋଟା ମୋଟା ଖୁଣ୍ଟି ଗଢ଼ା ଆରମ୍ଭ ହୋଇଛି। ପ୍ରତି ଖୁଣ୍ଟିରେ ୧୨ଟି ଲେଖାଏଁ ରଡ୍‌ ଦିଆଯାଇଛି। ପ୍ରତି ଖୁଣ୍ଟିର ଦୂରତା ଦେଢ଼ରୁ ଦୁଇ ଫୁଟ ରହିଛି।

ଏ ସମ୍ପର୍କରେ ଓବିସିସି ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ କାମ ଚାଲିଛି, ତାହା ଭକ୍ତଙ୍କ ସୁବିଧା ପାଇଁ ଚାଲିଛି। ପାଚେରି ସମ୍ପର୍କରେ ଇଂ. ପାଣିଗ୍ରାହୀ କହିଛନ୍ତି, ଗାଡ଼ିମୋଟର ଓ ଭକ୍ତଙ୍କ ଯା’ଆସରେ ଯେଭଳି ବାଧା ସୃଷ୍ଟି ନ ହେବ ଓ କୌଣସି ଅଘଟଣ ନ ଘଟିବ, ସେହି ଦୃଷ୍ଟିରୁ ଏହି ପାଚେରି ତିଆରି ହେଉଛି। ଏହା ୫୫ ମିଟର ପରିଧିରେ ରହିବ। ପାଚେରିର ଉଚ୍ଚତା ମାତ୍ର ଦେଢ଼ ମିଟର ଅର୍ଥାତ୍‌ ୫ ଫୁଟ ରହିବ। କିନ୍ତୁ ବିଭିନ୍ନ ସାହିରୁ ପ୍ରବେଶ ପାଇଁ ବିଭିନ୍ନ ସ୍ଥାନରେ ଜେବ୍ରା କ୍ରସିଂ ରହିବ। ଏହି ବାଟ ଦେଇ ଯେଉଁମାନେ ଭିତରକୁ ଯିବାକୁ ଚାହୁଁଛନ୍ତି, ଯାଇପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର