ମହିଳା‌ ହିଂସାର ମୂଳ କାରଣ ଖୋଜିବାକୁ ପଡ଼ିବ

ଭୁବନେଶ୍ୱର, : ଦିନକୁ ଦିନ ରାଜ୍ୟରେ ମହିଳା ହିଂସା ବଢ଼ୁଛି। ତାହାକୁ ବିଲୋପ କରିବାକୁ ହେଲେ ଏହାର ମୂଳ କାରଣ ବାବଦରେ ଉଭୟ ପୁରୁଷ ଓ ମହିଳାଙ୍କୁ ସଚେତନ କରାଇବା ସହ ଗୋଷ୍ଠୀସ୍ତରରେ ପୀଡ଼ିତାଙ୍କ ପାଇଁ ଏକ ଦୃଢ଼ ସହାୟତା ପ୍ରଣାଳୀର ଆବଶ୍ୟକତା ରହିଛି ବୋଲି ଆଜି ସିୱାଇଏସ୍‌ଡି ପ୍ରେକ୍ଷାଳୟରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ବକ୍ତାମାନେ ମତପୋଷଣ କରିଛନ୍ତି। ଏଥିସହ ସିୱାଇଏସ୍‌ଡି ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜେଣ୍ଡର ଷ୍ଟଡିଜ୍‌ ବିଭାଗ ପକ୍ଷରୁ କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କୋଭିଡ-୧୯ ସମୟରେ ବଢ଼ିଥିବା ଲିଙ୍ଗୀୟ ହିଂସାକୁ ଗୋଷ୍ଠୀ ସହାୟତା ପ୍ରଣାଳୀ ଓ ସଚେତନତା ଜରିଆରେ ଦୂର କରିବା ପାଇଁ ଯେଉଁ ତ୍ୱରିତ ପ୍ରଭାବ ପ୍ରକଳ୍ପ ଆରମ୍ଭ ହୋଇଥିଲା ତାହାକୁ ଉପସ୍ଥାପନା କରାଯାଇଛି।

ମହିଳା ହିଂସାର ସ୍ଥିତି ଜାଣିବା, ପୀଡ଼ିତାଙ୍କୁ ଲୋକଙ୍କ ସହାୟତା ନିଶ୍ଚିତତା ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟ ଜେଣ୍ଡର ଷ୍ଟଡିଜ୍‌ ଓ ସିୱାଇଏସ୍‌ଡିର ମିଳିତ ପ୍ରୟାସରେ ୩୮୨ ସ୍ଥାନୀୟ କୋଭିଡ୍‌ ଯୋଦ୍ଧାଙ୍କୁ ଚିହ୍ନଟ କରାଯାଇ ଲିଙ୍ଗୀୟ ସଚେତନତା ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା। ଶିକ୍ଷା ଓ ଅନୁଭବ ଉପସ୍ଥାପନା ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ତୃଣମୂଳସ୍ତରରେ ଯେଉଁ ସବୁ ସ୍ୱୟଂ ସହାୟକ ଦଳ, ଯୁବକ ସଂଘ, ମହିଳା ସଂଘଗୁଡ଼ିକ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଓ ଘରୋଇ ହିଂସା ବାବଦରେ ସଚେତନ କରାଯିବାର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ। ସେହିପରି ମହିଳାଙ୍କୁ ନେଇ ରହିଥିବା ସାମାଜିକ ଦୃଷ୍ଟିଭଙ୍ଗୀ, ବ୍ୟବହାର ଓ ଇକୋ ସିଷ୍ଟମରେ ପରିବର୍ତ୍ତନ କରିବା, ବିଭିନ୍ନ ଗାଁରେ ମହିଳାମାନଙ୍କ ସମସ୍ୟା ଓ ଆବଶ୍ୟକତାକୁ ବୁଝିବା ପାଇଁ ଗବେଷଣା, ସେହି ଅନୁସାରେ ନୀତି ନିର୍ଦ୍ଧାରଣର ମଧ୍ୟ ଆବଶ୍ୟକତା ରହିଛି। ଆର୍ଥିକ ସଶକ୍ତୀକରଣ କାର୍ଯ୍ୟକ୍ରମଗୁଡ଼ିକରେ ମହିଳା ହିଂସା ସମ୍ପର୍କିତ ସଚେତନତା ପ୍ରସଙ୍ଗ ଯୋଡ଼ିବା ସହିତ ମହିଳା ହିଂସାର ଲୋପ ଲାଗି ରହିଥିବା ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଆବଶ୍ୟକ ବଜେଟର ବ୍ୟବସ୍ଥା ରହିବା ଉଚିତ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ।

ୱାନ୍‌ଷ୍ଟପ୍‌ ସେଣ୍ଟର, ହେଲ୍‌ପ ଲାଇନ୍‌ ନମ୍ବର, ମହିଳା ଅପରାଧ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଥିବା ସରକାରୀ ଯୋଜନାଗୁଡ଼ିକ ବାବଦରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଓ ସଚେତନ କରାଯିବାର ଆବଶ୍ୟକତା ରହିଛି। ବାଲ୍ୟ ବିବାହ ପ୍ରକ୍ରିୟାକୁ ରୋକିବା ପାଇଁ ବ୍ୟାପକ ସଚେତନତା ଏବଂ ପୀଡ଼ିତାଙ୍କୁ ମନସ୍ତାତ୍ତ୍ୱିକ ପରାମର୍ଶ ଦେବାର ଆବଶ୍ୟକତା ରହିଥିବା ଅତିଥିମାନେ ମତ ଦେଇଥିଲେ। ସଙ୍ଗଠନର ମାର୍ଗଦର୍ଶକ ଜଗଦାନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ଅଧିବେଶନରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ମିନତୀ ବେହେରା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସିୱାଇଏସଡି କାର୍ଯ୍ୟକ୍ରମ ସଂଯୋଜକ ବସନ୍ତ କୁମାର ନାୟକ, ଉପାଲି ମହାନ୍ତି ପ୍ରୋଜେକ୍ଟର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।

ସମ୍ବନ୍ଧିତ ଖବର