ସମ୍ବଲପୁର: କ୍ଷତିରେ ଚାଲିଛି ହୀରାକୁଦ ରୋପ୍ ୱେ’। ରକ୍ଷଣାବେକ୍ଷଣ ପାଇଁ ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି)କୁ ତାର ନିଜସ୍ବ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି କାରଣରୁ ଚଳିତବର୍ଷ ଦ୍ବିତୀୟ ଥର ପାଇଁ ହୀରାକୁଦ ରୋପ୍ ୱେ’ ଦର ବୃଦ୍ଧି ପାଇଛି। ଗତ ଜୁଲାଇରେ ରୋପ୍ ୱେ ଦର ୧୦ ଟଙ୍କା ବୃଦ୍ଧି ପାଇ ୭୦ ଟଙ୍କାରେ ପହଞ୍ଚିଥିବା ବେଳେ ଡିସେମ୍ବରରେ ପୁଣିଥରେ ୧୦ ଟଙ୍କା ବୃଦ୍ଧି କରାଯାଇଛି। ଏ ନେଇ ଏସ୍ଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଏଣିକି ରୋପ୍ ୱେ’ରେ ଯିବାକୁ ହେଲେ ୮୦ ଟଙ୍କା(ଯିବା ଆସିବା) ଦେବାକୁ ପଡ଼ିବ। ରୋପ୍ ୱେ’ ପାଇଁ ପ୍ରଥମ ୩ ବର୍ଷ ଏମ୍ସିଏଲ୍ ସିଏସ୍ଆର୍ ପାଣ୍ଠିରୁ ଟଙ୍କା ଦିଆଯିବାର ଥିଲା। କିନ୍ତୁ ସିଏସ୍ଆର୍ ପାଣ୍ଠିରୁ ଟଙ୍କା ନ ଆସିବାରୁ ଏସ୍ଏମ୍ସି ନିଜେ ତାହା ବହନ କରୁଛି ବୋଲି କମିସନର୍ ପ୍ରଦୀପ କୁମାର ସାହୁ କହିଛନ୍ତି।
ବର୍ଷକୁ ରୋପ୍ ୱେ’ ଯାଞ୍ଚ କରିବା ପାଇଁ ଆସୁଥିବା ଟିମ୍କୁ କେବଳ ୩ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ରୋପ୍ ୱେ’ ରକ୍ଷଣାବେକ୍ଷଣରେ ବହୁତ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା କ୍ଷତିରେ ଚାଲୁଥିବା ଏସ୍ଏମ୍ସି କମିସନର୍ କହିଛନ୍ତି। ବୁଧବାର ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ରୋପ୍ ୱେ’ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଆଗ୍ରହ ମଧ୍ୟ ଦେଖିବାକୁ ମିଳୁଛି। ଗତ ରବିବାର ଚଳିତ ପର୍ଯ୍ୟଟନ ଋତୁର ସର୍ବାଧିକ ୮୫୬ ଜଣ ରୋପ୍ ୱେ’ର ମଜା ଉଠାଇଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏସ୍ଏମ୍ସିର ସୂଚନା ଅନୁଯାୟୀ ରୋପ୍ ୱେ’ ଆରମ୍ଭ ହେବାକୁ ୩ ବର୍ଷରୁ ଅଧିକ ସମୟ ହୋଇଯାଇଛି। ତେବେ କୋଭିଡ୍ ପାଇଁ ଏହି ସେବା ମଝିରେ ବନ୍ଦ ରହିଥିଲା। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ପର୍ଯ୍ୟଟକ ହୀରାକୁଦ ରୋପ୍ ୱେ’ରେ ଯାତାୟାତ କରିସାରିଲେଣି।