ରୋଜ୍‌ଭ୍ୟାଲି ଠକେଇ: ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: ରୋଜ୍‌ଭ୍ୟାଲି ଚିଟଫଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବଙ୍ଗଳା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମେହେଟ୍ଟାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମ୍‌ ଅଦାଲତରେ ୨୦୧୯ ମେ ୨୨ରେ ଦାଖଲ କରାଯାଇଥିବା ଚାର୍ଜସିଟ୍‌ ଓ ନିମ୍ନ ଅଦାଲତରେ ବିଚାରାଧୀନ ଏ ସଂପର୍କିତ ମାମଲା ରଦ୍ଦ ପ୍ରସଂଗ ନେଇ ଶ୍ରୀକାନ୍ତ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଚାର୍ଜସିଟ୍‌ରେ ହସ୍ତକ୍ଷେପ କରିବା ଉଚିତ ହେବ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଶ୍ରୀକାନ୍ତଙ୍କ ଆବେଦନକୁ ଖାରଜ କରିଛନ୍ତି। ଜଷ୍ଟିସ୍‌ ଆର୍‌.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀକାନ୍ତଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରୋଜ୍‌ଭ୍ୟାଲି ଠକେଇ ମାମଲାରେ ଶ୍ରୀକାନ୍ତଙ୍କ ସଂପୃ୍କ୍ତି ଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା। ଶ୍ରୀକାନ୍ତଙ୍କୁ ସିବିଆଇ ପୂର୍ବରୁ ଜେରା କରିଥିବା ବେଳେ ସେ ତଦନ୍ତରେ ସହଯୋଗ କରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ସିବିଆଇ ତାଙ୍କୁ କୋଲ୍‌କାତାରୁ ଗିରଫ କରି ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ସିଜେଏମ୍ ଅଦାଲତରେ ହାଜର କରିଥିଲା। ୨୦୧୯, ମେ ୨୨ରେ ସିବିଆଇ ଶ୍ରୀକାନ୍ତଙ୍କ ବିରୋଧରେ ରୋଜ୍‌ଭ୍ୟାଲି ମାମଲାରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଚାର୍ଜସିଟ୍‌କୁ ବିରୋଧ କରି ଶ୍ରୀକାନ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର