ଆର୍‌ପିଏଫ୍ କରୁଛି ଗଞ୍ଜେଇ ବେପାର! ଏକ୍ସପ୍ରେସ୍‌ ଟ୍ରେନ୍‌ ପାର୍ସଲ୍ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ

ଛତୁଆ, ଚଣା, ପାନ ବରଜ ନାଁରେ କାରବାର, ଏନଡିପିଏସ୍ କ୍ଷମତା ଥାଇ ବି ରେଳବାଇ ପୁଲିସ ନିଷ୍କ୍ରିୟ

କଟକ: ଏକ୍ସପ୍ରେସ୍‌ ଟ୍ରେନ୍‌ର ପାର୍ସଲ୍ ଭ୍ୟାନରେ ବି ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେଉଛି। କୌଣସି ପ୍ରକାର ପାର୍ସଲ୍ ଚାଲାଣ ସମୟରେ ସ୍କାନର୍ ବ୍ୟବସ୍ଥା ନଥିବାରୁ ଏହା ଗଞ୍ଜେଇ ମାଫିଆଙ୍କ ପାଇଁ ଏବେ ସବୁଠାରୁ ସହଜ ଓ ସୁରକ୍ଷିତ ହୋଇଥିବା କୁହାଯାଉଛି। ଯେଉଁ ପାର୍ସଲରେ ଗଞ୍ଜେଇ ରହୁଛି, ଏଥିରେ ସାଧାରଣତଃ ପାର୍ସଲ ଉପରେ ପାନ ବରଜ, ଜଙ୍ଗଲଜାତ ଦ୍ରବ୍ୟ, ଚଣା, ବୁଟ, ଛତୁଆ ଇତ୍ୟାଦି ଉଲ୍ଲେଖ ରହୁଥିବାରୁ ଅନ୍ତରାଜ୍ୟ ମାଫିଆ ସହଜରେ ରେଳବାଇ ଓ ଅବକାରୀ ବିଭାଗ ନଜରରୁ ଖସିଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଅବକାରୀ ବିଭାଗ ଗୁଇନ୍ଦା ତଥ୍ୟ ହାସଲ କରିଛି।

ଜାନୁଆରିରୁ ମାର୍ଚ୍ଚ ଓଡ଼ିଶାରେ ଗଞ୍ଜେଇ ଅମଳର ଉପଯୁକ୍ତ ସମୟ ହୋଇଥିବାରୁ ଦୈନିକ ଓଡ଼ିଶାରୁ ହାରାହାରି ୫୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ କାରବାର ହେଉଛି। ପାଖାପାଖି ଦୈନିକ ୨୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଗଞ୍ଜେଇ ଓଡ଼ିଶା ବାହାରକୁ କାରବାର ହେଉଥିବା କୁହାଯାଉଛି। ସେଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଉପରୋକ୍ତ ଜିଲ୍ଲାର ଅଧିକାରୀଙ୍କୁ ମାଫିଆଙ୍କ ଗତିବିଧି ଉପରେ ନଜର ରଖିବାକୁ ସତର୍କ କରି ଦିଆଯାଇଛି। ଓଡ଼ିଶାରୁ କେଜି ପିଛା ୩ରୁ ୫ ହଜାର ଟଙ୍କାରେ କିଣାଯାଉଥିବାବେଳେ ଏହି ଗଞ୍ଜେଇ ମୁଖ୍ୟତଃ କଲିକତା, ଉତ୍ତରପ୍ରଦେଶର ଲକ୍ଷ୍ନୌ, ମଧ୍ୟପ୍ରଦେଶର ଇନ୍ଦୋର, ଭୋପାଳ, ମହାରାଷ୍ଟ୍ରର ମୁମ୍ବାଇ, ଗୋଆ, ଦିଲ୍ଲୀ, ଗୁଜୁରାଟର ଅହମ୍ମଦାବାଦ, ଛତିଶଗଡ଼ର ରାୟପୁରରେ କେଜି ପିଛା ୧୫ ହଜାର ଟଙ୍କାରେ ବିକ୍ରି ହେଉଛି। କିନ୍ତୁ କଟକ, ଭୁବନେଶ୍ବର ଓ ପୁରୀ ଭଳି ସହରରେ କେଜି ପିଛା ୧୫ଶହରୁ ୨ ହଜାର ଟଙ୍କାରେ ବିକ୍ରି ହେଉଛି।

ଓଡ଼ିଶା ଗଞ୍ଜେଇରେ ଟେଟ୍ରା ହାଇଡ୍ରୋ କାନାବିନଲ୍(ଟିଏଚସି) ନାଁରେ ଏକପ୍ରକାର କେମିକାଲ୍ ଅଧିକ ମାତ୍ରାରେ ଚିହ୍ନଟ ହୋଇଛି। ଏହି କେମିକାଲ୍ ଗଞ୍ଜେଇରେ ଅଧିକ ମାତ୍ରାରେ ଥିଲେ ନିଶା ଅଧିକ ହେଉଥିବାରୁ ରାଜ୍ୟ ବାହାରେ ଏହାର ଭଲ ଚାହିଦା ରହିଛି। ତେଣୁ ଗଞ୍ଜେଇ କାରବାର ଏବେ ଅଧିକ ସକ୍ରିୟ ହୋଇଛି। ‌େତବେ, ଜଣେ ବରିଷ୍ଠ ଅବକାରୀ ଅଧିକାରୀଙ୍କ କହିବାନୁଯାୟୀ ଏବେ ଅଧିକ ସଂଖ୍ୟାରେ ଗଞ୍ଜେଇ ଏକ୍ସପ୍ରେସ୍ ଟ୍ରେନରେ ଚାଲାଣ ହେଉଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର ଷ୍ଟେସନ ମାଧ୍ୟମରେ ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଏକ୍ସପ୍ରେସ ଟ୍ରେନ୍‌ରେ ଯାଉଥିବା ଗଞ୍ଜେଇ ଏବେ ଉଭୟ ଅବକାରୀ ଓ ପୁଲିସକୁ ଚକମା ଦେବାକୁ ବସିଛି। ଅନ୍ୟପକ୍ଷରେ, ଏନଡିପିଏସ୍ କ୍ଷମତା ଥାଇ ବି ରେଳବାଇ ପୁଲିସ ନିଷ୍କ୍ରିୟ ରହିଥିବା ଦେଖିବାକୁ ମିଳୁଛି।

ରାଉରକେଲା: ରାଉରକେଲା ସହର ଏବେ ଚୋରା ଗଞ୍ଜେଇ କାରବାରର କେନ୍ଦ୍ର ବା ‘ହବ୍‌’ ପାଲଟିଛି। ଟ୍ରେନ୍‌ ଓ ବସ୍‌ ମାଧ୍ୟମରେ ରାଉରକେଲାକୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଆସୁଛି। ଏଠାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଲଗାତାର ଭା‌ବେ ଏହିଭଳି ଚାଲିଥିବାରୁ ଚେଳବାଇ ପୁଲିସ ସନ୍ଦେହର ଘେରକୁ ଚାଲି ଆସୁଛି। ସ୍ଥାନୀୟ ପୁଲିସ ଓ ଅବକାଳୀ ବିଭାଗ ଷ୍ଟେସନରୁ ବାହାରିବା ପରେ ‌ଗ‌ଞ୍ଜେଇକୁ ଧରିବାରେ ସକ୍ଷମ ହେଉଥିବାବେଳେ ତାହା ଘଣ୍ଟା ଘଣ୍ଟା ଧରି ଟ୍ରେନ୍‌ରେ ଆସିବାବେଳେ ଓ ଷ୍ଟେସନ ବାହାରକୁ ବାହାରିବାବେଳେ ରେଳବାଇ ପୁଲିସ କେମିତି ଜାଣି ପାରୁନାହିଁ ବୋଲି ପ୍ରଶ୍ନ ଉଠୁଛି। ଗତ ୧୮ ତାରିଖରେ ପ୍ଲାଣ୍ଟସାଇଟ୍‌ ପୁଲିସ ରେଳ ‌ଷ୍ଟେସନରୁ ‌ଚୋରା ଗଞ୍ଜେଇ ଜବତ କରିବା ପରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି। ଗିରଫ ଚୋରା ଗଞ୍ଜେଇ ବେପାରୀ ବୀର ବାହାଦୁର ତନ୍ତୀକୁ ପଚରାଉଚୁରା ବେଳେ ସେ ପୁଲିସ ଆଗରେ ଚୋରା କାରବାରର ଯେଉଁ ସତ ଓଗାଳିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତାର ବୟାନ ଅନୁଯାୟୀ ପ୍ଲାଣ୍ଟସାଇଟ୍‌ ପୁଲିସ ରାଉରକେଲା ରେଳଷ୍ଟେସନରେ କାର୍ଯ୍ୟରତ ୩ରୁ ଅଧିକ ଆର୍‌ପିଏଫ୍‌ ଯବାନଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି। ଚୋରା ବେପାରରେ ଏହି ୩ ଆର୍‌ପିଏଫ୍‌ ଯବାନ ନା ଆହୁରି କିଛି ରେଳବାଇ ଅଧିକାରୀ ରହିଛନ୍ତି, ପୁଲିସ ତାର ଖୋଳତାଡ ଆରମ୍ଭ କରିଛି।

ଏହି ଚୋରା କାରବାରକୁ ପ୍ରୋତ୍ସାହନ ଦେଉଥିବା ଆର୍‌ପିଏଫ୍‌ ଯବାନଙ୍କୁ ଧରିବାକୁ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ଭୟରେ ରାଉରକେଲା ଷ୍ଟେସନରେ ଡ୍ୟୁଟି କରୁଥିବା କିଛି ଯବାନ ଛୁଟି ନେଇ ଚାଲିଯାଇଛନ୍ତି। ଅନ୍ୟ କିଛି ଯବାନ ଫେରାର ହୋଇଯାଇଥିବା ଜଣାପଡିଛି। ଯବାନମାନଙ୍କ ଏଭଳି ବେଆଇନ କାରବାର ଆର୍‌ପିଏଫ୍‌ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ଛିଡା କରିଛି।

ସମ୍ବନ୍ଧିତ ଖବର