ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅଧୀନ ଚେରମାରିଆ-କେନ୍ଦୁପଦର ଗ୍ରାମକୁ ଋଷିକୁଲ୍ୟା ନଦୀ ଉପରେ ସଂଯୋଗ କରିବା ଓ ଯାତାୟାତ ସୁଗମ ପାଇଁ ‌ହାଇଲେବଲ୍ ସେତୁର କାମ ୫ ବର୍ଷ ହେଲା ଶେଷ ହୋଇପାରୁନି। ଫଳରେ ଆଜି ବି ଦୁଇ ଗାଁର ଲୋକେ ବର୍ଷା ଦିନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଋଷିକୁଲ୍ୟା ଉପରେ ଏହି ବ୍ରିଜ୍ ନିର୍ମାଣ ପାଇଁ ୨୦୧୭ ମସିହା ମେ' ମାସ ୭ ତାରିଖରେ ତତ୍କାଳୀନ ସାଂସଦ ସ୍ବର୍ଗତ ଲଡ଼ୁକିଶୋର ସ୍ଵାଇଁଙ୍କ ପୌରୋହିତ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୧୯ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ସହ ୩୨୧ ମିଟର ଲମ୍ବ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ପରେ ଅଧିକ ୫ କୋଟି ଟଙ୍କା ବ୍ୟୟ ଅଟକଳ ସରକାରଙ୍କ ମଞ୍ଜୁର ପାଇଁ ପଠାଯାଇଛି।

Advertisment

କିନ୍ତୁ ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁ ନିର୍ମାଣ କାମ ଶେଷ ହେବାର ନାଁ ନେଉନି। କେବଳ ଦିନ ପରେ ଦିନ ଗଡ଼ି ଚାଲିଛି। ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଥିବା ବେ‌ଳେ, କେବେ ଏହି ସେତୁ ପୂର୍ଣ୍ଣାଙ୍ଗ ରୂପ ନେଇ କାର୍ଯ୍ୟକ୍ଷମ ହେବ ଏହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଆସିକା ବ୍ଲକ୍‌ର ବରଗାଁ, ଜୟପୁର, ହରିଡ଼ାପଦର ଓ ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ ପଞ୍ଚାୟତବାସୀ ଏହି ନଦୀ ଦେଇ ଯାତାୟାତ କରନ୍ତି। ଚାଷୀମାନେ ଉତ୍ପାଦିତ ପନିପରିବା ଓ ଖାଦ୍ୟଶସ୍ୟ ବଜାରରେ ବିକ୍ରି କରିବାକୁ ଓ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଯିବା ପାଇଁ ଏହି ନଦୀ ଉପର ବାଉଁଶ ପୋଲ ଉପରେ ଯାତାୟାତ କରୁଥିଲେ। ଏହାସହ ରୋଗୀଙ୍କୁ ଡଙ୍ଗାରେ ନିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସେତୁ କାମ ସରୁ ନଥିବାରୁ ସେମାନଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି।

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ହରିହର ଦାଶଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ସେତୁ ନିର୍ମାଣ କାମ ଶେଷ ହୋଇଛି। କିନ୍ତୁ ଆପ୍ରୋଚ ରୋଡ଼୍ ନିର୍ମାଣ ପାଇଁ କେନ୍ଦୁପଦର ପଟେ ଜମି ଅଧିଗ୍ରହଣର ସମସ୍ୟା ସେତୁ କାର୍ଯ୍ୟକ୍ଷମରେ ବାଧକ ସାଜିଛି। ବେସରକାରୀ ବ୍ୟକ୍ତିଙ୍କଠୁ ଜମି ଆପ୍ରୋଚ୍ ରୋଡ଼୍ ନିର୍ମାଣ କାମ ଶୀଘ୍ର ଶେଷ କରାଯିବ। ତିତ୍‌ଲି ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଦେଖିବା ପରେ ଜଳସ୍ତରକୁ ଦୃଷ୍ଟିରେ ରଖି ସେତୁର ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇ ଏହାର ଉଚ୍ଚତାକୁ ଏକମିଟର ବଢ଼ା ଯାଇଥିଲା। ସେତୁର ଉଚ୍ଚତା ବୃଦ୍ଧି ପରେ ଆପ୍ରୋଚ୍ ରୋଡ଼ ନିର୍ମାଣରେ ସମସ୍ୟା ଦେଖାଦେଇଛି।

ଚେରମାରିଆ ପାର୍ଶ୍ବରେ ଆପ୍ରୋଚ୍ ରୋଡ଼ ପାଇଁ ଆବଶ୍ୟକ ସରକାରୀ ଜମି ସମସ୍ୟା ନାହିଁ। କିନ୍ତୁ କେନ୍ଦୁପଦର ପାର୍ଶ୍ବରେ ସରକାରୀ ଜାଗା ନଥିବାରୁ ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ମୋଟ ୨୧ ଜଣ ଲୋକଙ୍କ ଠାରୁ ଜମି ଅଧିଗ୍ରହଣ ହେବ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଠାରୁ ଜମି କିଣା ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟ କିଛି ଲୋକଙ୍କ ଜମି କିଣିବାରେ ଆଇନଗତ ସମସ୍ୟା ଥିବାରୁ ଜମି କିଣା ଅଟକିଛି। ଅନ୍ୟପକ୍ଷରେ ଯେଉଁମାନଙ୍କ ଜମି ଅଧିଗ୍ରହଣ କରାଯାଉଛି ସେମାନଙ୍କୁ ସରକାରୀ ନିୟମ ପ୍ରକାରେ କ୍ଷତିପୂରଣ ଦିଆଯିବ। ତେଣୁ ଗ୍ରାମବାସୀ ନିଜ ମଧ୍ୟରେ ବୈଠକ କରି ଜମି ଅଧିଗ୍ରହଣ ଦିଗରେ ସହଯୋଗ କଲେ କାମ ଶୀଘ୍ର ଶେଷ ହୋଇପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଅସଂପୂର୍ଣ୍ଣ ସେତୁ ଦେଇ ସାଇକେଲ୍ ଓ ବାଇକ୍ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଶୀଘ୍ର‌ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।