ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀଙ୍କୁ ଆରବିକ୍ ତାଲିମ ଦିଆଯିବ। ପ୍ରଥମଥର ପାଇଁ ଆତ୍ମରକ୍ଷା କୌଶଳରେ ଏଭଳି ବ୍ୟବସ୍ଥା ଯୋଡ଼ି ହୋଇଛି। କେବଳ ସେତିକି ନୁହେଁ, ଛାତ୍ରୀମାନଙ୍କୁ ମାନସିକ ସ୍ତରରେ ମଧ୍ୟ ଦକ୍ଷ କରାଯିବ। ମାଇଣ୍ଡ୍‌ ଟୁ ମସଲ୍, ମସଲ୍ ଟୁ ମାଇଣ୍ଡ୍‌, ଏନୋରବିକ୍, ଫ୍ଲେକ୍ସବିଲିଟି ଓ ସେଲ୍ଫ ଡିଫେନ୍ସ ସ୍କିଲ ତାଲିମ ମିଳିବ। ପୁସ୍ଅପ୍ସ, ସ୍ବାଟସ୍, ଲେଗ୍ କଲର୍ସ, ଲେଗ୍ ଏକ୍ସଟେନ୍ସନ୍, ଚେଷ୍ଟ ପ୍ରେସ୍, ଥ୍ରି-ୱେ ସୋଲଡର ଷ୍ଟ୍ରେଚ୍ ଭଳି ବିଷୟରେ ମଧ୍ୟ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯିବ।

Advertisment

ଆତ୍ମରକ୍ଷା କୌଶଳ ତାଲିମକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୯୫ଟି କଲେଜରେ ‘ଆତ୍ମରକ୍ଷା କୌଶଳ କ୍ଲବ’ ଗଠନ କରାଯିବା ସହ ସେହି କଲେଜଗୁଡ଼ିକୁ କ୍ଲବ ବାବଦରେ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହି ଟଙ୍କାକୁ ସେହି କଲେଜ ଲାଇଟ୍, ସାଉଣ୍ଡ, ପ୍ରଶିକ୍ଷଣ ସ୍ଥାନ ବାବଦରେ ଅତିବେଶିରେ ୨୦% ଖର୍ଚ୍ଚ କରିବାକୁ ଥିବା ବେଳେ ମାଷ୍ଟର ଟ୍ରେର୍ନରଙ୍କ ପାଇଁ ୨୦%, ଛାତ୍ରୀଙ୍କ ଶକ୍ତିବର୍ଦ୍ଧକ ପାନୀୟ ଓ ଫଳ ପାଇଁ ୨୦%, କ୍ଲବର ଆନୁସଙ୍ଗିକ ସାମଗ୍ରୀ ଓ ମ୍ୟାଟ୍ ବାବଦରେ ଅତିବେଶିରେ ୩୦%, ଫାଷ୍ଟଏଡ୍, ଡକ୍ୟୁମେଣ୍ଟେସନ, ରିପୋର୍ଟ ପ୍ରସ୍ତୁତି ପରି କାର୍ଯ୍ୟ ପାଇଁ ୧୦% ଅର୍ଥ ଖର୍ଚ୍ଚ କରାଯାଇପାରିବ। ଜରୁରୀକାଳୀନ ପରିସ୍ଥିତିରେ ଅଡିଟ୍ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କଲେଜ କର୍ତ୍ତୃପକ୍ଷ ସମସ୍ତ ବିଲ୍‌କୁ ନୋଡାଲ କାର୍ଯ୍ୟାଳୟରେ ଦାଖଲ କରିବେ। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ବିଭାଗ ପକ୍ଷରୁ ନିୟମ ମଧ୍ୟ ଜାରି ହୋଇଛି। ଆତ୍ମରକ୍ଷା କ୍ଷେତ୍ରରେ ଆଗ୍ରହୀ ଥିବା ଜଣେ ଅଧ୍ୟାପକଙ୍କୁ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ଆତ୍ମରକ୍ଷା କୌଶଳ କ୍ଲବର ରୂପରେଖ କଲେଜର ଅଧ୍ୟକ୍ଷ ପ୍ରସ୍ତୁତ ସହ କଲେଜରେ ମୋଟ କେତେଜଣ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀ ରହିଛନ୍ତି ତାହାର ତାଲିକା ପ୍ରଦାନ କରିବେ। ପ୍ରତି ଗ୍ରୁପ୍‌ରେ ୩୦ ଜଣ ଲେଖାଏ ଛାତ୍ରୀ ରହିବେ। ରିପୋର୍ଟିଂ ଓ ପଞ୍ଜୀକରଣ ତାରିଖ ପ୍ରସ୍ତୁତ, ବିଭିନ୍ନ କାର୍ଯ୍ୟକଳାପ, କେଉଁ ଗ୍ରୁପ୍‌ର ତାଲିମ କେବେ ସରିବ, ଟ୍ରେନର/ରିସୋର୍ସ ପର୍ସନ/ଲେଡି ପିଇଟିଙ୍କ ନାମ କଲେଜ ଅଧ୍ୟକ୍ଷ ପ୍ରଦାନ କରିବେ। ଗ୍ରୁପ୍ ଅନୁଯାୟୀ ବଜେଟ୍ ପ୍ରସ୍ତୁତ, ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରମାଣ ଓ ଡକ୍ୟୁମେଣ୍ଟ କଲେଜ ଅଧ୍ୟକ୍ଷ ପ୍ରସ୍ତୁତ କରିବେ। କାର୍ଯ୍ୟକ୍ରମ ସରିବା ପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ। ବିଭାଗ ପକ୍ଷରୁ ଦିଆଯାଇଥିବା ନିୟମାବଳୀ ଅନୁଯାୟୀ କାର୍ଯ୍ୟକ୍ରମ ସାରିବାକୁ ନିର୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ସିଧାସଳଖ ଆତ୍ମରକ୍ଷା କୌଶଳ ତାଲିମର ମନିଟରିଂ କରିବ। ଅଧିକାରୀମାନେ ନିୟମିତ ବ୍ୟବଧାନରେ ବିଭିନ୍ନ କଲେଜକୁ ଗସ୍ତ କରି କ୍ଲବ ଦ୍ବାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକଳାପର ତଦାରଖ କରିବେ।

ସୂଚନାଯୋଗ୍ୟ ଯେ ୨୦୧୩ରେ ରାଜ୍ୟ ସରକାରଙ୍କ ଯୁବନୀତିରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେବାର ବ୍ୟବସ୍ଥା ହୋଇଥିଲା। ଯୁକ୍ତ୨ ସମେତ ଯୁକ୍ତ୩ କଲେଜ ପ୍ରଥମ ବର୍ଷ ଛାତ୍ରୀଙ୍କୁ ତାଲିମ ଦିଆଯିବାର ନିୟମ ରହିଛି। ଛାତ୍ରୀଙ୍କ ଶାରୀରିକ ଓ ମାନସିକ ସାମର୍ଥ୍ୟ ବୃଦ୍ଧି କରିବା, ଛାତ୍ରୀଙ୍କ ସହ ସମକକ୍ଷ କରିବା, ଛାତ୍ରୀଙ୍କ ଶକ୍ତି ବଢ଼ାଇବା ପାଇଁ ବିଭାଗ ପକ୍ଷରୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖାଯାଇଛି।