ଭୁବନେଶ୍ବର : ତିନି ସପ୍ତାହ ଧରି ଭୁବନେଶ୍ବର ରେଳ ଷ୍ଟେସନ୍‌ ସମ୍ମୁଖରେ ପ୍ଲା’ କାର୍ଡ ଧରି ପ୍ରତିବାଦ କରୁଥିବା ରୁଷୀୟ ନାଗରିକଙ୍କୁ ଆଜି ରେଳବାଇ ଥାନା ପୁଲିସ ଉଠାଇ ନେଇଛି। ତାଙ୍କ ନାଁ ଆଣ୍ଡ୍ର୍ୟୁ ଗ୍ଲାଗୋଲେଭ୍( ୫୮)। ଘର ମସ୍କୋ ନିକଟ ଟୁଲା ସହରରେ। ତାଙ୍କୁ ପଚରାଉଚରା ବେଳେ ସେ କହିଛନ୍ତି, ରୁଷ୍‌ରେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ତେଣୁ ସେ ୨୦୧୬ ମସିହାରେ ଭାରତକୁ ପର୍ଯ୍ୟଟକ (ଟୁରିଷ୍ଟ୍) ଭିସାରେ ଆସିଥିଲେ। ତାଙ୍କର ଭିସା ଅବଧି ୨୦୧୭ରେ ଶେଷ ହୋଇଯାଇଥିଲା। ଏହା ପରେ ସେ ଏଠାରେ ଶରଣାର୍ଥୀ ଭାବେ ରହିବାକୁ ଜାତିସଂଘ ମାଧ୍ୟମରେ ଭାରତ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ତାଙ୍କ ଆବେଦନର ଏଯାଏ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ତେବେ ଜାତିସଂଘରେ ସେ ଆବେଦନ କରିଥିବାରୁ ୨୦୨୩ ପର୍ଯ୍ୟନ୍ତ ସେ ଭାରତରେ ରହିପାରିବେ। ପୁଲିସ ଏ ସବୁ ଦିଗରେ ଅନୁସନ୍ଧାନ ଚଳାଇଛି। ସେ କେବେଠାରୁ ଭୁବନେଶ୍ବର ଆସିଲେଣି, କେଉଁଠି ରହୁଛନ୍ତି, କେମିତି ଚଳୁଛନ୍ତି; ଏ ନେଇ ତାଙ୍କୁ ପୁଲିସ ପଚରାଉଚରା କରିଛି। ସେ ସତ କହୁଛନ୍ତି କି ନାହିଁ, ତାହାର ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ରେଳବାଇ ଥାନା ଇନ୍ସପେକ୍ଟର୍‌ ଜୟଦେବ ବିଶ୍ବଜିତ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ୨୦୧୭ ମସିହାରୁ ବିନା ଭିସାରେ ଏଠାରେ ରହି ଆସୁଥିବା ରୁଷ୍‌ ନାଗରିକଙ୍କ ସଂପର୍କରେ ଗୁଇନ୍ଦା ବିଭାଗ ପାଖରେ କେମିତି ଖବର ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

୨୦୧୭ରୁ ସରିଲାଣି ଭିସା
ତଦନ୍ତ ପାଇଁ ନେଇପାରେ କମିସନରେଟ୍‌ ପୁଲିସ
ରୁଷ୍‌ ପଠାଇ ଦେବାକୁ ଯୋଜନା

ଅନ୍ୟପକ୍ଷରେ ଖବର ପାଇ ସ୍ପେସାଲ ବ୍ରାଞ୍ଚ ଏସ୍‌ପି, କ୍ୟାପିଟାଲ ଓ ଖାରବେଳନଗର ଥାନା ଇନ୍ସପେକ୍ଟର୍‌ ପ୍ରମୁଖ ରେଳବାଇ ଥାନାକୁ ଯାଇ ସଂପୃକ୍ତ ରୁଷୀୟ ନାଗରିକଙ୍କ ସମସ୍ତ କାଗଜପତ୍ର, ପାସପୋର୍ଟ ଆଦି ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ ପାସ୍‌ପୋର୍ଟ ୨୦୨୫ରେ ଶେଷ ହେବ ବୋଲି ଜଣାପଡ଼ିଛି। ଅନ୍ୟ ସବୁ କାଗଜପତ୍ର ସବୁ ଠିକଠାକ୍ ଅଛି। ପୁଲିସ ନିକଟରେ ସେ କହିଛନ୍ତି, ଭାରତକୁ ଆସିବା ପରେ ସେ ଦିଲ୍ଲୀ, ଋଷିକେଶ, ବୃନ୍ଦାବନ, ହରିଦ୍ବାର ଓ ପରେ ପୁରୀକୁ ଆସିଥିଲେ। ପୁରୀରେ ବସ୍‌ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ରକୂଳ, ବଡ଼ଦାଣ୍ଡରେ ରାତି ବିତାଉଥିଲେ। ୩ ସପ୍ତାହ ତଳେ ସେ ପୁରୀରୁ ବସ୍ ଯୋଗେ ଭୁବନେଶ୍ବର ଆସିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ସେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କ ବିରୋଧୀ। ରୁଷ୍‌ର ୟୁକ୍ରେନ୍‌ ଉପରେ ଆକ୍ରମଣକୁ ସେ କଡ଼ା ବିରୋଧ କରୁଛନ୍ତି। ତେବେ ଭାରତରେ ତାଙ୍କୁ ଭଲ ଲାଗୁଛି, ସେ ଏହିଠା‌ରେ ହିଁରହିବାକୁ ଚାହୁଛନ୍ତି। ଷ୍ଟେସନ୍‌ ନିକଟରେ ଠିଆ ହୋଇ ସେ ଲୋକଙ୍କୁ ସହାୟତା ମାଗିଥା’ନ୍ତି।

ଏ ସମ୍ପର୍କରେ ଡିସିପି ପ୍ରତୀକ ସିଂହ କହିଛନ୍ତି, ଆମେ ତାଙ୍କୁ ପଚରାଉଚରା କରୁଛୁ। ସେ ଭୁବନେଶ୍ବରରେ ରୁହନ୍ତି ନାହିଁ, ପୁରୀରେ ରହିଥା’ନ୍ତି। ତେଣୁ ସେ ଏବେ ଯେଉଁଠି ଚାହିବେ ରହିପାରିବେ। ଭୁବନେଶ୍ବରରେ ରହିଲେ ପୁଲିସ ନଜରରେ ରହିବେ। ଅନ୍ୟ କେଉଁଠି ରହିଲେ, ଆମ ସ୍ଥାନୀୟ ପୁଲିସକୁ ଏ ନେଇ ଅବଗତ କରାଇବୁ। ତେବେ ସେ ୪ବର୍ଷ ତଳୁ ଶରଣାର୍ଥୀ ଭାବେ ରହିବାକୁ ଏଭଳି ଦାବି କରି ଆସୁଛନ୍ତି। ରାୟଗଡ଼ାରେ ଦୁଇଜଣ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ସହ ସଂପୃକ୍ତ ବ୍ୟକ୍ତିଙ୍କ କୌଣସି ସମ୍ପର୍କ ନାହିଁ। ଏ ସମ୍ପର୍କରେ ହାଇଦ୍ରାବାଦରେ ଥିବା ବିଦେଶ ଆଞ୍ଚଳିକ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ସେଠାରୁ ତାଙ୍କ ସମ୍ପର୍କରେ ତଥ୍ୟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସିଂହ କହିଛନ୍ତି।

ପ୍ରକାଶ ଥାଉ କି, ଆଣ୍ଡ୍ର୍ୟୁ ଗତ ୩ ସପ୍ତାହ ଧରି ଭୁବନେଶ୍ବର ଷ୍ଟେସନ୍‌ ସମ୍ମୁଖରେ ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣକୁ ପ୍ରତିବାଦ କରୁଥିଲେ। ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ପୁଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।