ଝଙ୍କଡ଼: ସାର୍ବଜନୀନ ଶାରଦୀୟ ପୂଜାର ଉଦ୍‌ଯାପନ ଉତ୍ସବର ମହାଷ୍ଟମୀ ରାତି ୩ଟା ବେଳେ ମା’ ନୀଳ ସରସ୍ୱତୀଙ୍କ ତନ୍ତ୍ରପୀଠ ଭାବେ ଖ୍ୟାତ ଝଙ୍କଡ଼ ସାରଳାଙ୍କ ପୀଠରେ କେଉଁ ଆବହମାନ କାଳରୁ ବଳିପ୍ରଥା ପ୍ରଚଳନ ହୋଇଆସୁଥିଲା। ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣରେ ଏହି ଗୁପ୍ତ ପୂଜା ହେଉଥିବାରୁ ଏହାକୁ ସନ୍ଧିପୂଜା କୁହାଯାଏ। ଏହି ପୂଜା ସମୟରେ ଏକ ଜୀବନ୍ତ ମହିଷକୁ ବଳି ଦିଆଯାଇ ତାର କଟାମୁଣ୍ଡକୁ ଗୋଟିଏ କାଠ ଥାଳିରେ ରଖାଯାଇ ମଝି ଦେଉଳକୁ ନିଆଯାଏ। ତାର ରକ୍ତକୁ ଚଉଷଠି ଯୋଗ୍ନୀ, ନବକୋଟି କାତ୍ୟାୟନୀ ଓ ଚଣ୍ଡୀ ଚାମୁଣ୍ଡାମାନଙ୍କୁ ଅର୍ପଣ କରାଯାଏ। ମାତ୍ର ୧୯୪୬ ମସିହାରେ ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସର୍ବଭାରତୀୟ ଶ୍ରମିକ ନେତା ନିଶାମଣି ଖୁଣ୍ଟିଆଙ୍କ ଗଣ ଆନ୍ଦୋଳନ ଫଳରେ ଏହି ପ୍ରଥା ବନ୍ଦ ହୋଇଯାଇଛି।

Advertisment

ପୀଠରେ ବଳି ବନ୍ଦକୁ ନେଇ ସେବାୟତ ଏବଂ ଖୁଣ୍ଟିଆ ଓ ତାଙ୍କର ସମର୍ଥକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ସେବାୟତମାନେ ବଳି ପ୍ରଥା ଚାଲୁ ରଖିବାକୁ ଅଡ଼ି ବସିଥିବାବେଳେ ଖୁଣ୍ଟିଆ ଓ ତାଙ୍କର ସମର୍ଥକମାନେ ବଳିବନ୍ଦ ପାଇଁ ଅଡ଼ି ବସିଥିଲେ। ତର୍କ ସଭାରେ କେହି କାହାର ଯୁକ୍ତିକୁ ଖଣ୍ଡନ କରି ପାରିଲେ ନାହିଁ। ଶେଷରେ ଉଭୟପକ୍ଷର ସହମତିରେ ମା’ସାରଳାଙ୍କ ନିର୍ଦ୍ଦେଶ ଅନୁସାରେ ନିଷ୍ପତ୍ତି ନେବାକୁ ସ୍ଥିର କରାଯାଇଥିଲା। ଦୁଇଟି ତାଳପତ୍ରରେ ମୋର ନିର୍ଦ୍ଦେଶ ବଳି ବନ୍ଦ ଓ ବଳି ଚାଲୁରହୁ ବୋଲି ଲେଖିଦିଆଗଲା। ମା’ଙ୍କ ବଡ଼ପଣ୍ଡା ସେହି ଦୁଇଟି ତାଳପତ୍ରକୁ ମାଆଙ୍କ ପାଖରେ ରଖିଦେଲେ। ପହୁଡ଼ ପଡ଼ି ଦ୍ୱାରପଥ କବାଟରେ ତାଲା ପଡ଼ିଲା। ଉଭୟ ପକ୍ଷର ଜଉମୁଦ ଦିଆଯାଇ ସିଲ୍ କରାଗଲା। ଅପରାହ୍‌ଣ ୩ଟା ବେଳେ ସମସ୍ତଙ୍କ ଉପସ୍ଥିତିରେ ମା’ଙ୍କ ପହୁଡ଼ ଖୋଲାଗଲା। ବଡ଼ପଣ୍ଡା ମା’ଙ୍କ ସିଂହାସନ ପଖକୁ ଗଲେ। ଯେଉଁ ତାଳପତ୍ରଟି ସିଂହାସନ ତଳେ ପଡ଼ିଥିଲା ତାକୁ ଆଣି ସର୍ବସମ୍ମୁଖରେ ଖୋଲି ଦେଖାଗଲା ଯେ, ସେଥିରେ ଲେଖା ଥିଲା ମୋର ନିର୍ଦ୍ଦେଶ ବଳି ବନ୍ଦ ହେଉ। ସେହିଦିନ ଠାରୁ ଝଙ୍କଡ଼ ସାରଳାଙ୍କ ମନ୍ଦିରରେ ବଳିପ୍ରଥା ବନ୍ଦ ହୋଇଛି। ତେବେ ଏହି ବଳି ପରିବର୍ତ୍ତେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମା’ଙ୍କ ପୀଠରେ ମହାଷ୍ଟମୀ ସନ୍ଧିପୂଜାରେ ଏକ ବଳିପଣା ହାଣ୍ଡି ସହିତ ୧୦୮ ପ୍ରକାରର ପ୍ରସାଦ ଓ ବିଭିନ୍ନ ପ୍ରକାରର ଫଳମୂଳ ପୂଜା କରାଯାଉଛି। ଆଜି ବି ଏହି ସନ୍ଧିପୂଜା ସମୟରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯିବା ପରେ ମନ୍ଦିର ବେଢ଼ାର ଚତୁଃପାର୍ଶ୍ୱରେ ବହୁ ତାନ୍ତ୍ରିକ, ସାଧକ, କବି, ଲେଖକ ଓ କଳାକାରମାନେ ଦୀପ ଜଳାଇ ମା’ଙ୍କ ମନ୍ତ୍ର ଜପକରି ଅସାଧାରଣ ସିଦ୍ଧି ଲାଭ କରିଆସୁଛନ୍ତି।