ରେଢ଼ାଖୋଲର ପ୍ରସିଦ୍ଧ ନୂଆମୁଣ୍ଡା ପୂଜାରେ ବନ୍ଦ ହେଲା ବଳିପ୍ରଥା

ରେଢ଼ାଖୋଲ : ରାଜା ରାଜୁଡା ଶାସନ ସମୟରୁ ଚାଲିଆସୁ ଥିବା ରେଢ଼ାଖୋଲର ପ୍ରସିଦ୍ଧ ନୂଆମୁଣ୍ତା ପୂଜା ରବିବାର ଶହଶହ ଭକ୍ତଙ୍କ ସମାବେଶରେ ଅନୁଷ୍ଠିତ ହୋଇଯାଇଛି। ବହୁପୁରାତନ ବଳିପ୍ରଥା ଚଳିତ ବର୍ଷ ବନ୍ଦ ହୋଇଥିଲା। କୌଣସି ଜୀବଜନ୍ତୁଙ୍କୁ ବଳି ଦିଆଯାଇ ନଥିଲା। ରବିବାର ସକାଳୁ ସକାଳୁ ଆମ୍ବେଦକରନଗର ସ୍ଥିତ ମାଁ ଅନ୍ଧାର ବାଉତି ଦେବୀଙ୍କ ମନ୍ଦିରରେ ପୂଜାପାଠ ପରେ ମାଁଙ୍କୁ ଏକ ଶୋଭାଯାତ୍ରାରେ ବାନା ଛତ୍ରଧରି ଅଣାଯାଇ ରାଜବାଟି ସ୍ଥିତ ପଞ୍ଚଖଣ୍ତା ମନ୍ଦିର ପର୍ଯ୍ୟନ୍ତ ଅଣାଯାଇ ଥିଲା। ପଞ୍ଚଖଣ୍ତା ମନ୍ଦିରରେ ମାଁ ଅନ୍ଧାର ବାଉତି ଓ ପଞ୍ଚଖଣ୍ତା ଦେବତାଙ୍କୁ ପୂଜାପାଠ ପରେ ଉଭୟଙ୍କୁ ନେଇ ପାରମ୍ପରିକ ଲୋକବାଦ୍ୟରେ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା। ଶୋଭାଯାତ୍ରା ରାଜପରିବାରର ସଦସ୍ୟ ବୀରକିଶୋର ଦେଓ, ବିକ୍ରମ ଦେଓ ସାମିଲ ଥିଲେ। ଶୋଭାଯାତ୍ରା ଗଲା ବେଳେ ରଥସାହି, ଯଦୁମଣିପାଟଣା, ଏଲ୍‌ଆଇସି କଲୋନି ଅଞ୍ଚଳର ଭକ୍ତମାନେ ପୂଜାପାଠ କରିଥିଲେ।

ଶୋଭାଯାତ୍ରା ଶେଷରେ ନିଦ୍ଧାର୍ରିତ ସମୟରେ କେରାଣ୍ତି ଡ୍ୟାମ ନିକଟରେ ଥିବା ନୂଆମୁଣ୍ତା ପିଢ଼ ନିକଟରେ ପହଞ୍ଚି ଥିଲା। ସେଠାରେ ଦେହୁରୀମାନଙ୍କ ଦ୍ବାରା ଭୋଗରାଗ ଦେଇ ପୂଜାପାଠ କରାଯାଇଥିଲା। ଆଜି ଏହି ନୂଆଁମୁଣ୍ତା ପୂଜାରେ ଅଚ୍ୟୁତ ଅମାତ, ଅଗସ୍ତି ପ୍ରଧାନ, ପ୍ରଫୁଲ୍ଲ ଦେହୁରୀ, ମୁନୁ ଦେହୁରୀ, ନିରଞ୍ଜନ ଦେହୁରୀ, ପ୍ରଶାନ୍ତ ପ୍ରଧାନ ଓ କାଳିଆ ପ୍ରଧାନ ପୂଜକ ଥିଲେ। ନୂଆଁମୁଣ୍ତା ପିଢ଼ରେ ପୂଜାପାଠ ପରେ ପଞ୍ଚଖଣ୍ତା ଦେବତା ଓ ମାଁ ଅନ୍ଧାର ବାଉତି ସମେତ ପାର୍ଶ୍ୱ ଦେବାଦେବୀଙ୍କ ପିଢ଼ରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ନିଜ ନିଜ ମନ୍ଦିରରେ ପ୍ରବେଶ କରାଯାଇ ଥିଲା। ଏହି ଉପଲକ୍ଷେ ସାରା ସହର ଉତ୍ସବ ମୁଖର ହେବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ପୂଜାରେ ସହର ସମେତ ଗ୍ରାମାଞ୍ଚଳର ଭକ୍ତମାନେ ମଧ୍ୟ ସାମିଲ ଥିଲେ। ସୁନୀଲ ବାଘ ଓ ଲୋକେଶ୍ବର କଲତା ମା’ ଅନ୍ଧାର ବାଉତିଙ୍କ ପୂଜାକାର୍ଯ୍ୟରେ ସହୋଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଧ୍ରୁବଚରଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷ ଶିବରାମ ସାହୁ, ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ପ୍ରଧାନ, କାଉନସିଲର ଅମରେଶ ନାଏକ, ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ଅଲେଖା ପ୍ରଧାନ, ଜ୍ଞାନରଂଜନ ପ୍ରଧାନ, କୁଞ୍ଜ ବିହାରୀ ନନ୍ଦ, ଲକ୍ଷ୍ମଣ ପ୍ରଧାନ, ବୀରେନ ସିଂ, ମହାବୀର ସିଂଦେଓ, ବବଲୁ ଦେବ ଓ ଜୟଦେବ ପୃଷେଠ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର