ଅଶ୍ବିନୀ କୁମାର ପାଣିଗ୍ରାହୀ
ନୂଆପଡ଼ା: ଦାଦନ ଖଟିବାକୁ ଯାଇ ବହୁଦିନ ପର୍ଯ୍ୟନ୍ତ ଘରକୁ ଫେରିଲେନି। ମୃତ ନା ଜୀବିତ, ତାହା ବି ଜଣାପଡ଼ିଲା ନାହିଁ। ଗରିବ ପରିବାରର ହୋଇଥିବାରୁ ପତ୍ନୀ ଛୋଟଛୋଟ ଦୁଇ ପୁଅଙ୍କୁ ଧରି ସ୍ବାମୀଙ୍କୁ ଖୋଜିବାକୁ ଯାଇପାରିଲେନି। ଶେଷରେ ସାମାଜିକ ପ୍ରଥା ଅନୁସାରେ ଶୁଦ୍ଧିକ୍ରିୟା ସାରିଦେଲେ। ହେଲେ ୩୦ ବର୍ଷ ପରେ ହଠାତ୍‌ ଉକ୍ତ ଶ୍ରମିକ ଘରକୁ ଫେରିଛନ୍ତି। ଯାହାକୁ ମୃତ ଭାବୁ‌ଥିଲେ ସେ ଜୀବିତ ଅବସ୍ଥାରେ ଫେରିଥିବାରୁ ପରିବାର ଓ ଗାଁ ଲୋକଙ୍କ ଖୁସି କହିଲେ ନସରେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଭାନପୁର ଶବରପଡ଼ାର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

Tradition: କୃଷିଭିତ୍ତିକ ପର୍ବ ‘ଦିଆଲି’ ପାଇଁ ଝରିଗାଁରେ ଚାଷୀଙ୍କ ମନରେ ଉତ୍ସାହ

ସୂଚନା ଅନୁସାରେ, ଆନ୍ଧ୍ର ଠିକାଦାରଙ୍କ କଥାରେ ପଡ଼ି ଶବରପଡ଼ାର ଅଦମ ଶବର (ଏବେ ୬୨ ବର୍ଷ) ୧୯୯୫ ମସିହାରେ ତାଙ୍କର ଦୁଇଜଣ ସାଙ୍ଗଙ୍କ ସହିତ କଲିକତାକୁ କାମ କରିବା ପାଇଁ ଯାଇଥିଲେ। ସେଠାରୁ ତାଙ୍କୁ ଆସାନସୋଲ ନିଆଯାଇ ଏକ ପଥର ଫ୍ୟାକ୍ଟ୍ରିରେ କାମରେ ଲଗାଯାଇଥିଲା। ସେମାନଙ୍କୁ କେବଳ ଖାଇବାକୁ ଦିଆଯାଉଥିଲା। ପାରିଶ୍ରମିକ ଆଦୌ ମିଳୁ ନଥିଲା। କଡ଼ା ପହରାରେ ସେମାନେ ରହିଥିଲେ ମଧ୍ୟ କୌଶଳକ୍ରମେ ତାଙ୍କ ଦୁଇ ସାଙ୍ଗ ସେଠାରୁ ଖସିଆସିଥିଲେ। ହେଲେ ଅଦମ ସେଠାରେ ବନ୍ଧା ପଡ଼ିଯାଇଥିଲେ। ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେଠାରୁ ବାହାରିପାରି ନଥିଲେ। ତାଙ୍କ ଭଳି ଆହୁରି ଅନେକ ଶ୍ରମିକ ସେଠାରେ ଥିଲେ। ତେବେ ଗତ ୯ ତାରିଖ ଦିନ ଶ୍ରମିକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସମୟରେ ଅଦମ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ। ବହୁ କଷ୍ଟରେ ସଞ୍ଚୟ କରିଥିବା ୩ ଶହ ଟଙ୍କାରେ ସେ ଟ୍ରେନ୍‌ରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଷ୍ଟେସନକୁ ଆସିଥିଲେ। ସେଠାରୁ ବସ୍‌ ଯୋଗେ କୁଲିଆବନ୍ଧକୁ ଆସିଥିଲେ ଓ ଭାନପୁରସ୍ଥିତ ତାଙ୍କ ଶ୍ବଶୁର ଘରକୁ ଚାଲିଚାଲି ଯାଇଥିଲେ।

ଦିବ୍ୟାଙ୍ଗଙ୍କୁ  ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ

ଶ୍ବଶୁର ଘର ଲୋକେ ତାଙ୍କୁ ଦେଖି ଚକିତ ହୋଇଯାଇଥିଲେ। ସେମାନେ ଅଦମଙ୍କ ବଡ଼ପୁଅଙ୍କୁ ଫୋନ୍‌ ଯୋଗେ ଜଣାଇବା ପରେ ସେ ଆସି ତାଙ୍କୁ ଗାଁକୁ ନେଇଥିଲେ। ଏହାରି ଭିତରେ ଗତ ୮ବର୍ଷ ତଳୁ ଦୁଇ ପୁଅଙ୍କର ବିବାହ ସରିଯାଇଛି। କିନ୍ତୁ ସେମାନଙ୍କ ବିବାହ ପୂର୍ବରୁ ପରମ୍ପରା ଅନୁସାରେ ସାମାଜିକ କଟକଣା ଯୋଗୁଁ ଅଦମଙ୍କୁ ମୃତ ବିଚାର କରି ପରିବାର ‌ଲୋକେ ଶୁଦ୍ଧିକ୍ରିୟା କରିଥିଲେ। ସେହି ଦିନଠାରୁ ଆଉ କେହି ତାଙ୍କୁ ମନେ ପକାଇ ନଥିଲେ। ହେଲେ ଅଦମଙ୍କ ସ୍ତ୍ରୀ ମଇନିବାଈ ନିଜ ହାତରୁ ଚୁଡ଼ି ଭାଙ୍ଗି ନଥିଲେ। ଭଗବାନଙ୍କ ଉପରେ ଭରସା ରଖି ସ୍ବାମୀ ଫେରିଆସିବେ ବୋଲି ଦୃଢ଼ନିଶ୍ଚିତ ଥିଲେ। ଅନ୍ୟପଟେ ଜୀବିତ ଅବସ୍ଥାରେ ଅଦମ ଫେରିଥିବାରୁ ଶନିବାର ସାମାଜିକ ରୀତିନୀତି ଅନୁସାରେ ପୁଣିଥରେ କ୍ଷୀରପାଣିରେ ପରିବାର ଲୋକେ ଶୁଦ୍ଧି ହୋଇଛନ୍ତି।