ଦୁର୍ବଳ ନଦୀବନ୍ଧର ଦୁଃଖ, ୧୦ଟି ନଦୀବନ୍ଧ ଅତି ସମ୍ବେଦନଶୀଳ

ବିପଦରେ ‘କଣ୍ଟିଶାଳ’ ୨୦ବର୍ଷ ହେଲା ସରୁନି କାମ

ଓଡ଼ିଶା ସହ ଯୋଡ଼ି ହୋଇଯାଇଛି ପ୍ରାକୃତିକ ବିପର୍ଯ୍ୟୟ। ପ୍ରତିବର୍ଷ ବନ୍ୟା ଓ ବାତ୍ୟାକୁ ନେଇ ଆଶଙ୍କା। ନିକଟରେ ‘ୟାସ୍‌’ ପ୍ରଭାବରେ କେତେକ ନଦୀରେ ବନ୍ୟା ଆସି ଗୋଟିଏ ବିପର୍ଯ୍ୟୟର ସଙ୍କେତ ଦେଇସାରିଛି। ବୈତରଣୀର ଶାଖା କାଣୀନଈର କଣ୍ଟପଡ଼ା ଘାଇ ହିଁ ଏହାର ଏକ ଜ୍ବଳନ୍ତ ଉଦାହରଣ। ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି ଦୁର୍ବଳ ନଦୀବନ୍ଧ ରହିଛି। ଏ ସମ୍ପର୍କରେ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।

୧୦ଟି ନଦୀବନ୍ଧ ଅତି ସମ୍ବେଦନଶୀଳ
ଭୁବନେଶ୍ବର: ବାତ୍ୟା ପ‌ରି ବନ୍ୟା ବି ଓଡ଼ିଶା ଉପରେ ନିୟମିତ ଭାବେ ଦାଉ ସାଧୁଛି। ବିଭିନ୍ନ ସମୟରେ ନଦୀ ଉଛୁଳି ଲୋକଙ୍କ ଜୀବନ, ଜୀବିକାକୁ ସାଂଘାତିକ ବିପଦ ମଧ୍ୟକୁ ଠେଲି ଦେଉଛି। ତେଣୁ ନଦୀ ବନ୍ଧକୁ ସୁରକ୍ଷିତ ଓ ସୁଦୃଢ଼ ରଖିବା ହିଁ ବନ୍ୟା ପରିଚାଳନାର ସବୁଠାରୁ ବଡ଼ ଦିଗ। ରାଜ୍ୟରେ ୭୪୭୦ କିଲୋମିଟର ନଦୀ ବନ୍ଧ ଥିଲା ବେଳେ ଦୁର୍ବଳ ନଦୀ ବନ୍ଧକୁ ମରାମତି କରାଯାଇ ସୁଦୃଢ଼ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଜଳସମ୍ପଦ ବିଭାଗ ସବୁ‌ବେଳେ ଗୁରୁତ୍ବ ଦେଇ ଆସୁଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ରାଜ୍ୟରେ ୧୦ଟି ସ୍ଥାନରେ ନଦୀ ବନ୍ଧ ଅତ୍ୟନ୍ତ ସମ୍ବେଦନଶୀଳ ଅବସ୍ଥାରେ ରହିଛି। ତାହାକୁ ସୁଦୃଢ଼ କରାଯାଉଥିଲେ ମଧ୍ୟ ସବୁ‌ବେଳେ ନଜର ରଖାଯାଇଥାଏ ବୋଲି ଶ୍ରୀ ରଥ କହିଛନ୍ତି।

ଗତ ବର୍ଷ ବର୍ଷା ଋତୁ ପୂର୍ବରୁ ଜଳସମ୍ପଦ ବିଭାଗ ଓ ସଂପୃକ୍ତ ଜିଲ୍ଲା ପ୍ରଶାସନ ମିଳିତ ଭାବେ ସର୍ଭେ କରି ରିପୋର୍ଟ ଦେଇଥିଲେ। ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ଫୁଲବାଣୀ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର, ସୋନପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଥିବା ନଦୀ ବନ୍ଧର ୪୯ଟି ସ୍ଥାନ ଦୁର୍ବଳ ବୋଲି ଚିହ୍ନଟ ହୋଇଛି। ଏଥିରୁ କେବଳ ପୁରୀ ଜିଲ୍ଲାରେ ୮ଟି ସ୍ଥାନ ରହିଥିଲା।

ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରଥ କହିଛନ୍ତି ଯେ ଦୁର୍ବଳ ଥିବା ସ୍ଥାନରେ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିଲା। ବିଭିନ୍ନ ଜାଗାରେ କାମ ସମ୍ପୂର୍ଣ୍ଣ ହୋଇଥିଲା ବେଳେ କିଛି ଜାଗାରେ କାମ ଚାଲୁ ରହିଛି। ବର୍ତ୍ତମାନ ୨୦ଟି ଦୁର୍ବଳ ସ୍ଥାନ ରହିଛି। ତାହା ମଧ୍ୟରେ ୧୦ଟି ଅଧିକ ସମ୍ବେଦନଶୀଳ ସ୍ଥାନ ଅଛି। ସେହି ଜାଗା ପାଇଁ ବାଲିବସ୍ତା, ବଲ୍ଲା, ବାଉଁଶ ଆଦି ଉପକରଣ ସବୁବେଳେ ପ୍ରସ୍ତୁତ କରି ରଖିବାକୁ ପଡ଼ୁଛି। ଗତ ବର୍ଷ ବନ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୮ଟି ଛୋଟ ବଡ଼ ଘାଇ ସୃଷ୍ଟି ହୋଇଥିଲା। ତାହାକୁ ମଧ୍ୟ ମରାମତି କରାଯାଇଛି। ନଦୀ ବନ୍ଧ ସୁଦୃଢ଼ୀକରଣକୁ ଜଳସମ୍ପଦ ବିଭାଗ ସବୁବେଳେ ପ୍ରାଥମିକତା ଦେଇ ଆସିଛି। ଏଥି ପାଇଁ ଅର୍ଥର ଅଭାବ ନାହିଁ। ଯେତେବେଳେ ଯେଉଁ ବନ୍ଧରେ ସମସ୍ୟା ସୃଷ୍ଟି ହେଉଛି, ସେଠାରେ ତତ୍‌କାଳ ମରାମତି କାର୍ଯ୍ୟ କରାଯାଉଛି।

ବିପଦରେ ‘କଣ୍ଟିଶାଳ’ ୨୦ବର୍ଷ ହେଲା ସରୁନି କାମ
କଟକ: କଟକ ଜିଲ୍ଲା ଜଳସମ୍ପଦ ବିଭାଗର  ମହାନଦୀ ନର୍ଥ, ସାଉଥ୍‌ ଓ ପ୍ରାଚୀ ଡିଭିଜନ ଅଧୀନରେ ଯାଉଛି। କିଛିଦିନ ତଳେ ହୋଇଥିବା ବୈଠକର ରିପୋର୍ଟ ଅନୁସାରେ କଟକ ଜିଲ୍ଲାରେ କୌଣସି ଡିଭିଜନରେ ବିପଦସଙ୍କୁଳ ନଦୀବନ୍ଧ ନଥିବା ନିର୍ବାହୀ ଯନ୍ତ୍ରୀମାନେ ଦର୍ଶାଇଛନ୍ତି। କିନ୍ତୁ ପ୍ରା‌ଚୀ ଡିଭିଜନ ଅଧୀନରେ ନିଆଳି ବ୍ଲକ୍‌ ଷଡାଂଷ ପଞ୍ଚାୟତରେ ଦେବୀ ନଦୀର ଡାହାଣ ପାର୍ଶ୍ବରେ  ‘କଣ୍ଟିଶାଳ ନଦୀବନ୍ଧ’ ବିପଦସଙ୍କୁଳ ବୋଲି ଦର୍ଶାଯାଇଛି। ଆଜିକୁ ୨୦ବର୍ଷରୁ ଅଧିକ ହେଲା ଏହି  ନଦୀବନ୍ଧରେ ମରାମତି ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିପଦସଙ୍କୁଳ ଅପବାଦରୁ ଏହା ମୁକୁଳି ପାରୁନି। ଏବେ ବି ଏହି ନଦୀବନ୍ଧ ଉପରେ ଅତଡା ଖାଉଥିବାରୁ ପଥର ପ୍ୟାକିଂ କାମ ଚାଲିଛି।

କଟକ ଜିଲ୍ଲାରେ ୨୦ଟି ନଦୀବନ୍ଧ ରହିଛି। ମହାନଦୀ ସାଉଥ୍‌ ଡିଭିଜନରେ ୫ଟି, ନର୍ଥ ଡିଭିଜନରେ ୯ଟି ଓ ପ୍ରାଚୀ ଡିଭଜନରେ ୬ଟି ନଦୀବନ୍ଧ ରହିଛି। କାଠଯୋଡିର ଶାଖାନଦୀ ଦେବୀ ଓ ଏହାର ଶାଖା ନଦୀ କନ୍ଦଳ। ଦେବୀ-କନ୍ଦଳ ନଦୀ ଯୋଗୁଁ କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅନ୍ତର୍ଗତ ପହଙ୍ଗା, କପାସି, ତିହୁଡି, ଷଡାଂଷ, ଜଗତ୍‌ସିଂହହପୁର ଜିଲ୍ଲାର ନାଉଗାଁ ବ୍ଲକ୍‌ର କିଛି, କଳଦାରୀ ଓ ବଛାଲୋ ପଞ୍ଚାୟତର ଦୁଇଟି ଗ୍ରାମକୁ ନେଇ ୨୨ମୌଜା ଗଠିତ। ପୁରୀ ଜିଲ୍ଲାର କାକଟପୁର ପଞ୍ଚାୟତ ମଧ୍ୟ ବନ୍ୟାଦ୍ବାରା ପ୍ରଭାବିତ ହୋଇଥାଏ। ଦେବୀ ଏକ ଚିରସ୍ରୋତା ନଦୀ ହୋଇଥିବାବେଳେ ଏହା କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲା ସୀମା ଦେଇ ପ୍ରବାହିତ ହୋଇଥାଏ।

ଦେବୀନଦୀର କଣ୍ଟିଶାଳଠାରେ ବିଭିନ୍ନ ସମୟରେ ବଡ଼ ବନ୍ୟା ଆସି ବଡ଼ ବଡ଼ ଅତଡା ସବୁ ନଦୀଗର୍ଭରେ ଲୀନ ହାଇଯାଇଥିବାର ନଜିର ରହିଛି। ଏବେ ବି ପ୍ରାୟ ଶହେ ମିଟର ଅତଡ଼ା ଖାଉଥିବାବେଳେ ଏହାର ପଥର ପ୍ୟାକିଂ କାର୍ଯ୍ୟ ଜାରି ରହିଛି। ପ୍ରତିବର୍ଷ ଏହି କଣ୍ଟିଶାଳ ନିକଟରେ ଦେବୀନଦୀର ଅତଡ଼ା ଖାଉଥିବାରୁ ପଥର ପ୍ୟାକିଂ, ବୁରୁଜ ନିର୍ମାଣ କରାଯାଉଛି। କିନ୍ତୁ ସମସ୍ୟା ସୁଧୁରୁନି। ପ୍ରତିବର୍ଷ କାମ ହେଉଛି, କିନ୍ତୁ ୨୦ବର୍ଷ ହେଲା ବିପଦସଙ୍କୁଳ ଅପବାଦର ମୁକୁଳି ପାରୁନି କଣ୍ଟିଶାଳ। ଏ ସଂପର୍କରେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ସେହି ସ୍ଥାନର ଗଭୀର ୮୦ଫୁଟ ଥିବା ଓ ସେଠାରେ ହିଁ ଜଳସ୍ରୋତ ମାଡ଼ ହେଉଥିବାରୁ ଯେତେ ପ୍ୟାକିଂ ଦେଲେ ବି ତାର ସମାଧାନ ହୋଇପାରୁନି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ପାଇଁ ଏକ ସ୍ବତନ୍ତ୍ର ମାଷ୍ଟର ପ୍ଲାନ ତିଆରି ହୋଇପାରିନି, ଯାହା ବି ତିଆରି ହୋଇଛି ତା ଶୀତଳଭଣ୍ଡାରେ ପଡ଼ିଛି। ୨୦୧୬ରେ ଜଳସମ୍ପଦ ବିଭାଗ ଦ୍ବାରା ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଇଥିଲା, ଯାହାକି ପିଏସ୍‌ସିର ଅନୁମୋଦନ ଲାଭ କରିଥିଲେବି ବୈଷୟିକ ମଂଜୁରୀ ପାଇ ନଥିବାରୁ ଶୀତଳଭଣ୍ଡାରରେ ପଡି ରହିଛି। ଦୀର୍ଘ ୨୦ବର୍ଷରୁ ଅଧିକ ହେଲା ପ୍ରତିବର୍ଷ ହେଉଛି ମରାମତି, କିନ୍ତୁ ସବୁବର୍ଷ ସେହି ସମାନ ସ୍ଥାନରେ ଅତଡା ଖସୁଛି।

 

ସମ୍ବନ୍ଧିତ ଖବର