ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ଏବେ ଶୁଖିଲା ପଡ଼ିଛି। ଏହି ନଦୀ ଏବେ ଏକ ନାଳର ଭ୍ରମ ସୃଷ୍ଟି କରୁଛି। ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରୁ ବାହାରିଥିବା ସାଳନ୍ଦୀ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ହୋଇଛି। ୧୦୩ କିଲୋମିଟର  ଅଞ୍ଚଳରେ ପ୍ରବାହିତ ସାଳନ୍ଦୀ ଚାନ୍ଦବାଲି ବ୍ଲକ୍ ତିନିତରଠାରେ ବୈତରଣୀ ନଦୀରେ ମିଶିଛି। ସାଳନ୍ଦୀ ଉପରେ କେନ୍ଦୁଝର ଜିଲ୍ଲା ହଦଗଡ଼ଠାରେ ଏକ ବନ୍ଧ ନିର୍ମାଣ କରାଯାଇଛି। ଲକ୍ଷାଧିକ ଚାଷୀ ଏହାର ଜଳ ଦ୍ୱାରା ଉପକୃତ ହେଉଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ୬ ପଞ୍ଚାୟତ, ଭଦ୍ରକ ବ୍ଲକର ୧୦ ପଞ୍ଚାୟତ, ତିହିଡ଼ିର ୭ ପଞ୍ଚାୟତ ଏବଂ ଚାନ୍ଦବାଲିର ୬ ପଞ୍ଚାୟତର ଚାଷୀ ଏହି ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ନଦୀର ଜଳ ଭଦ୍ରକର ଫେକର କଂପାନି ସମେତ ବହୁ କ୍ଷୁଦ୍ର ଶିଳ୍ପର ଚାହିଦା ମେଣ୍ଟାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା; ସାଳନ୍ଦୀ ଯୋଗୁ ଜିଲ୍ଲାବାସୀ ପାନୀୟଜଳ ପାଇବାକୁ ସକ୍ଷମ ହୋଇଥା’ନ୍ତି। ନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସକୁ ରୋକିବାରେ ଏହି ନଦୀର ପ୍ରମୁଖ ଭୂମିକା ରହିଛି।

Advertisment

ହେଲେ ଏବେ ନଦୀର ଜଳସ୍ରୋତ ବହୁମାତ୍ରାରେ କମିଲାଣି। ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ସାଳନ୍ଦୀ ଶୁଖିଲା ପଡ଼ିବା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି। ଖରା ବଢ଼ିଲେ ଜିଲ୍ଲାରେ ଜଳ ସମସ୍ୟା ଗମ୍ଭୀର ହେବା ନିଶ୍ଚିତ। ସାଳନ୍ଦୀରୁ ବାହାରିଥିବା ଜିଲ୍ଲାର କେନାଲ ସବୁ ଶୁଖିଯାଇଛି। କେଉଁଠି କେନାଲରେ ପାଣି ନାହିଁ ତ ଆଉ କେଉଁଠି କେନାଲ ଦଳରେ ଭର୍ତ୍ତି। କେନାଲରେ ପାଣି ନ ଆସିବାରୁ କେତେକ ସ୍ଥାନରେ ପୋତି ହୋଇପଡ଼ିଛି। ଫଳରେ ଚାଷ କାମ ପ୍ରଭାବିତ ହେଉଛି।

ପୋତି ହୋଇଗଲାଣି ନଦୀଗର୍ଭ
ଅନେକ ସ୍ଥାନ ଦଳରେ ଭର୍ତ୍ତି
ଭଦ୍ରକ ପାଇଁ ସତର୍କଘଣ୍ଟି

ସାଳନ୍ଦୀ ନଦୀଗର୍ଭ ପୋତି ହୋଇଯିବାରୁ ୧୯୯୯ ପ୍ରଳୟଙ୍କରୀ ବନ୍ୟାରେ ନଦୀକୂଳିଆବାସୀଙ୍କ ବହୁ ଧନଜୀବନ ହାନି ଘଟିଥିଲା। କେନ୍ଦ୍ର ସରକାର ସାଳନ୍ଦୀ ସଂସ୍କାର ଯୋଜନାରେ ୨୦୦୬-୦୭ରେ ୯୯ କୋଟି ଟଙ୍କା ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରକଳ୍ପର ଅଟକଳ ୧୪୪ କୋଟି ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ନଦୀ ଖନନ, ଡ୍ରେନେଜ୍‌ ବ୍ୟବସ୍ଥା ଓ ନଦୀବନ୍ଧ ନିର୍ମାଣ ବାବଦକୁ ୩୯ କୋଟି, ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦକୁ ୪୪ କୋଟି, ଦଶମୌଜା ଓ ଗୋପାଳିଆ କେନାଲ ଖନନ ବାବଦକୁ ୮୦ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ନଦୀ ସଂସ୍କାର ଯୋଜନା ବାଟବଣା ହୋଇଛି। ଠିକ୍‌ ଭାବେ କାମ ହେଉ ନ ଥିବାରୁ ନଦୀରେ ଦଳ ଭର୍ତ୍ତି ହେବା ସହ ପାଣି ଦୂଷିତ ହୋଇଯାଉଛି। ପ୍ରତିବର୍ଷ ଦଳ ସଫା, ନଦୀଜଳକୁ ପ୍ରଦୂଷଣମୁକ୍ତ କରିବା ଓ କୂଳ ବନ୍ଧ ସୁରକ୍ଷା ନାଁ’ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ସୁଫଳ ମିଳୁନି।

ସାଳନ୍ଦୀ ନଦୀ ଏବେ ନିଜର ଅସ୍ତିତ୍ବ ହରାଇବାରେ ଲାଗିଛି। ଅନେକ ବର୍ଷ ହେଲା ଅବହେଳିତ ହୋଇରହିଛି। ନଦୀରେ ଜଳସ୍ରୋତ କମିବା ସହିତ ସହରର ବର୍ଜ୍ୟ ଜଳ ଏଥିରେ ମିଶୁଛି। ନର୍ସିଂହୋମ୍‌ଠାରୁ ଆରମ୍ଭ କରି ବ୍ୟାବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ; ସବୁ ଅପରିଷ୍କାର ପାଣି ନଦୀରେ ମିଶୁଥିବାରୁ ଜଳ ଦୂଷିତ ହେଉଛି। ‌କେତେକ ସ୍ଥାନରେ ଜବରଦଖଲ ସାଙ୍ଗକୁ ବେଆଇନ ବାଲି ଉଠାଣ, କମ୍ପାନି ଦ୍ୱାରା ଜଳ ଶୋଷଣ ଓ ଅଳିଆ ଆବର୍ଜନା ପକାଯିବା ସାଳନ୍ଦୀ ପାଇଁ ବିପଦ ଆଣିଛି। ସହରର ବର୍ଜ୍ୟ ଜଳକୁ ସିଧାସଳଖ ନ ଛାଡ଼ିବା ପାଇଁ ଦାବି ହେଉଛି। ସେହିପରି ପୋତି ହୋଇଯାଇଥିବା ନଦୀଗର୍ଭକୁ ଖନନ କରାଗଲେ ବନ୍ୟା ବିପଦରୁ ଲୋକେ ମୁକ୍ତି ପାଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।