ଭୁବନେଶ୍ବର: ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରିବାକୁ ଗଠନ ହୋଇଥିବା ପରାମର୍ଶଦାତା କମିଟି ଆଜି ତା’ର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିଛି। କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କମିଟି ବିଧାୟକମାନଙ୍କ ଦରମା, ଭତ୍ତା ଏବଂ ପୂର୍ବତନ ବିଧାୟକଙ୍କ ପେନସନ୍‌କୁ ପାଖାପାଖି ଦୁଇଗୁଣା କରିବାକୁ ପ୍ରସ୍ତାବ ଦେଇଛି। ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଅମର ଶତପଥୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା, ବର୍ତ୍ତମାନର ଦରଦାମ୍ ବୃଦ୍ଧି ସ୍ଥିତି ଏବଂ ସମସ୍ତ ବିଧାୟକଙ୍କ ପ୍ରସ୍ତାବ ଓ ପୂର୍ବତନ ବିଧାୟକଙ୍କ ଦାବିକୁ ବିଚାର କରି ପରାମର୍ଶଦାତା କମିଟି ରିପୋର୍ଟ ପ୍ରସ୍ତୁତ କରିଛି। ଦରମା ଓ ପେନସନ୍ କେତେ ବଢ଼ାଇବାକୁ ସୁପାରିସ କରାଯାଇଛି ତାହା କହିହେବନି।

Advertisment

ସୂଚନାଯୋଗ୍ୟ ଯେ, ଗତ ମୌସୁମୀ ଅଧିବେଶନ ବେଳେ ବିଧାୟକମାନେ ଦରମା ଓ ପୂର୍ବତନ ବିଧାୟକମାନେ ପେନସନ୍ ବୃଦ୍ଧି ନେଇ ଦାବି କରିଥିଲେ। ଏବେ ବିଧାୟକମାନଙ୍କୁ ଦରମା ଓ ଭତ୍ତା ବାବଦରେ ୯୯ହଜାର ଟଙ୍କା ମିଳୁଛି। ଏଥିରେ ଦରମା ବାବଦକୁ ୩୫ହଜାର, ଯାତାୟତ ଭତ୍ତା ୧୫ହଜାର, ମେଡିକାଲ୍ ଖର୍ଚ୍ଚ ୫ହଜାର, ଟେଲିଫୋନ୍ ବିଲ୍‌ ୮ହଜାର, ସେକ୍ରେଟେରିଆଲ୍ ଖର୍ଚ୍ଚ ୨୦ହଜାର, ବିଦ୍ୟୁତ୍ ଦେୟ ବାବଦକୁ ୫ହଜାର ଟଙ୍କା ମିଳୁଛି। ଏହାବାଦ୍ ଅନ୍ୟାନ୍ୟ ଭତ୍ତା ମିଶାଇଲେ ମୋଟ୍ ଦରମା ୯୯ହଜାର ଟଙ୍କା। ସେହିପରି ପୂର୍ବତନ ବିଧାୟକଙ୍କୁ ମାସକୁ ୩୦ହଜାର ଟଙ୍କା ପେନସନ୍ ମିଳୁଛି। ହେଲେ ଏତିକି ଦରମା/ପେନସନ୍‌ରେ ଚଳିବା କଷ୍ଟକର ଥିବାରୁ ଏହାକୁ ବଢ଼ାଇବାକୁ ବିଧାୟକମାନେ ଦାବି କରିଥିଲେ। ୨୦୧୭ ମସିହାରେ ଶେଷଥର ପାଇଁ ବିଧାୟକଙ୍କ ଦରମା ବଢ଼ିଥିବାରୁ ଏହାକୁ ପୁନଃବିଚାର କରିବାକୁ କମିଟି ସୁପାରିସ କରିଛି। କମିଟି ଦରମା, ପେନସନ୍, ଯାତାୟତ ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା କେତେ ପ୍ରତିଶତ ବଢ଼ିବା ଦରକାର ସେନେଇ ସୁପାରିସ କରିଛି। ଏହି ପରାମର୍ଶଦାତା କମିଟିରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ତାରା ପ୍ରସାଦ ବାହିନୀପତି, ମକରନ୍ଦ ମୁଦୁଲି, ନୃସିଂହ ଚରଣ ସାହୁ, ସୁଦାମ ମାରାଣ୍ଡି ପ୍ରମୁଖଙ୍କ ସମେତ ୧୧ଜଣ ସଦସ୍ୟ ଅଛନ୍ତି।