ହେଉନି ଯାଞ୍ଚ, ପୁରୀରେ ବିକ୍ରି ହେଉଛି ମାଛି ଭଣଭଣ ଖାଦ୍ୟ

୧୫ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଉପରେ ଉଠିଲା ପ୍ରଶ୍ନ

ପୁରୀ : ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି। ଅନୁକୂଳ ପାଗ ଯୋଗୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ସଞ୍ଜ ନଇଁଲେ ମେଳା ପରିସର ଲୋକାରଣ୍ୟ ପାଲଟୁଛି। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ପରେ ମେଳା ବୁଲି କିଣାକିଣି କରିବା ପରେ ରାସ୍ତାକଡ଼‌ରେ ଖୋଲିଥିବା ଖାଦ୍ୟ ଷ୍ଟଲ୍‌ରୁ ଚଟପଟି ଖାଦ୍ୟ ଖାଉଛନ୍ତି। ହେଲେ ଅଧିକାଂଶ ଚାଟ୍ ଓ ଜଳଖିଆ ଦୋକାନୀ ବାସି ଖାଦ୍ୟ ବିକ୍ରି କରୁଛନ୍ତି। ଠେଲାରେ ବିକ୍ରି ହେଉଥିବା ଖଜାରେ ମାଛି ଭଣଭଣ ହେଉଥିଲେ ହେଁ ସାଧାରଣ ଭକ୍ତଙ୍କୁ ସେଇ ଖଜା ବିକ୍ରି କରାଯାଉଛି। ବାରମ୍ବାର ତାଗିଦ୍‌ ପରେ ବି ବ୍ୟବସାୟୀମାନେ କର୍ଣ୍ଣପାତ କରୁନାହାନ୍ତି। ଖଜା ପାଇଁ ପ୍ରସିଦ୍ଧି ଥିବାରୁ ଲୋକେ ଖଜା କିଣି ନେଉଥିଲେ ହେଁ ଅନେକ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ରଥଯାତ୍ରାରେ ଖାଦ୍ୟ ଓ ପାନୀୟର ମାନ ଯାଞ୍ଚ ପାଇଁ ୧୫ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନେଇ ଗଠିତ ୩ଟି ଟିମ୍‌ ଦାୟିତ୍ବ ନେଇଛନ୍ତି। ମାତ୍ର ନାକଚଣା ମନ୍ଦିର ସମ୍ମୁଖରେ ଧାଡ଼ିଧାଡ଼ି ହୋଇ ବିକ୍ରି ହେଉଥିବା ଖଜା ଡାଲାରେ ଜାଲି ଘୋଡ଼ା ଯାଉନାହିଁ। କେବଳ ଯେ ମାଛି ବସୁଛନ୍ତି, ତାହା ନୁହେଁ ବରଂ ରାସ୍ତାକଡ଼ରେ ଲକ୍ଷଲକ୍ଷ ଭକ୍ତଙ୍କ ଯା’ଆସ ଭିତରେ ଧୂଳି ଉଡ଼ି ଖଜାରେ ମିଶୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଖୋଲାମେଲାରେ ବିକ୍ରି କରୁଥିବା ଖଜା ଦୋକାନୀଙ୍କୁ କିଛିଦିନ ତ‌ଳେ ତାଗିଦ୍‌ କରାଯାଇଥିଲା। ଖଜାକୁ ଜାଲି ମାଧ୍ୟମରେ ଘୋଡ଼ାଇ ରଖିବା ସହ ପଞ୍ଜୀକରଣ ପ୍ରମାଣପତ୍ର ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ପରବର୍ତ୍ତୀ ସମୟରେ ଚଢ଼ଉ ବେଳେ ଯେଉଁ ବ୍ୟବସାୟୀମାନେ ନିୟମ ଅନୁସରଣ କରିନଥିବେ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା। ମାତ୍ର ତାହା ହେଲା ନାହିଁ। ଫଳରେ ଅନେକ ଭକ୍ତ ଦର୍ଶନ କରି ଫେରିବା ବେଳେ ପୁରୀର ପ୍ରସିଦ୍ଧ ଖଜା କିଣି ନେବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ସ୍ବଚ୍ଛତାକୁ ଧ୍ୟାନ ଦେଉନଥିବାରୁ ଅନେକ ନାକ ଟେକୁଛନ୍ତି।

କେବଳ ଖଜା ଦୋକାନୀ ନୁହଁନ୍ତି, କିଛି ବ୍ୟକ୍ତି ଚାଟ୍, ଚାଓମିନ୍‌ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିଲେ ହେଁ ‌ଦୋକାନ ସମ୍ମୁଖ ଭାଗକୁ ଜରି ଦ୍ବାରା ଢାଙ୍କୁ ନାହାନ୍ତି। କେହି ବି ଏହି ନିୟମ ପାଳନ କରୁନାହାନ୍ତି। ଗତକାଲି ଏକ ଦୋକାନରେ ବାସି ପିଆଜି ଓ ଉପମାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଯାଞ୍ଚ ହେଉନଥିବାରୁ ବ୍ୟବସାୟୀମାନେ ଜିନିଷ ବଳିପଡ଼ିଲେ ସେସବୁକୁ ଫ୍ରିଜ୍‌ରରେ ସାଇତି ରଖି ପରଦିନ ବିକ୍ରି କରୁଛନ୍ତି। ଯେଉଁମାନେ ଖାଦ୍ୟ ଖାଇବା ପରେ ଜାଣିପାରୁଛନ୍ତି ଯୁକ୍ତିତର୍କ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନିୟମିତ ଯାଞ୍ଚ ହେଉନଥିବାରୁ ‌ବ୍ୟବସାୟୀମାନେ ସଚେତନ ହେଉନାହାନ୍ତି। ଲାଭଖୋର ମନୋଭାବ ରଖି ଲୋକଙ୍କୁ ଅଖାଦ୍ୟ ପରସିବାକୁ ବି ପଛାଉନାହାନ୍ତି। ଅନ୍ୟପକ୍ଷରେ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଖାଦ୍ୟର ମାନ ଯାଞ୍ଚ କରି ଚେତାବନୀ ଦେଉଥିଲେ ବି ଅନେକ ବ୍ୟବସାୟୀ ଫାଇନ୍‌ ଦେଇଦେବା ପରେ ପୁଣି ଯଥା ପୂର୍ବଂ ତଥା ପର ନୀତି ଆପଣାଉଛନ୍ତି। ଏବେ ଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖ ଯାଏ ବ୍ୟାପକ ଭିଡ଼ ଜମୁଥିବାରୁ, ଅନ୍ତତଃ ଏହି ଅଞ୍ଚଳ ମଧ୍ୟରେ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ନିୟମିତ ଯାଞ୍ଚ କରନ୍ତୁ ବୋଲି ପର୍ଯ୍ୟଟକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର