ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ସମ୍ବଲପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ ମନ୍ଦିର ଦର୍ଶନ ସହିତ ବିଶେଷକରି ଧର୍ମାନୁଷ୍ଠାନ, ଚାଷୀ ଓ ମହିଳାଙ୍କ ଉପରେ ଗୁରୁତ୍ବ ଦେଇଛନ୍ତି। ଏହି ଅବସରରେ ସେ ରାଜ୍ୟ ସରକାରଙ୍କ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣରୁ ସୁଧ ଛାଡ଼ କରାଯାଉଛି। ଚାଷୀମାନଙ୍କ ପାଇଁ ଆଉ କେତେକ ଭଲ ନିଷ୍ପତ୍ତି ନେଇଛନ୍ତି। ଆଗରୁ ଧାନ ସହିତ ଅନ୍ୟ କେତେକ ଫସଲ ପାଇଁ ଫସଲ ବୀମା ଲାଗୁ ହୋଇଥିଲା। ଚଳିତ ବର୍ଷଠାରୁ ସବୁ ଫସଲକୁ ଏଥିରେ ସାମିଲ କରାଯାଇଛି। ଫସଲ ବୀମାଭୁକ୍ତ ହେବା ପାଇଁ ଚାଷୀମାନଙ୍କୁ ଏଣିକି ଆଉ ପ୍ରିମିୟମ ଦେବାକୁ ପଡ଼ିବ ନାହିଁ। ଚାଷୀମାନେ କେବଳ ଫସଲବୀମା ପାଇଁ ପଂଜୀକରଣ କରିବେ ଏବଂ ପ୍ରମିୟମ୍‌ ରାଶି ଚାଷୀମାନଙ୍କ ପାଇଁ ସରକାର ଭରଣା କରିବେ।

Advertisment

ସକାଳେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ଦର୍ଶନ କରିବା ସହିତ ସମଲେଇ ପ୍ରକଳ୍ପ ସମୀକ୍ଷାକରି ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ। ମିସନ ଶକ୍ତିରେ ଓଡ଼ିଶାର ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି। ଚଳିତ ବର୍ଷ ସାରା ରାଜ୍ୟର ଏସ୍‌ଏଚ୍‌ଜିଗୁଡ଼ିକୁ ୧୫୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାର ଯୋଜନା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ସମ୍ବଲପୁର ଆର୍‌ଡିସି ସୁରେଶ ଦଳାଇ, ଆଇଜି ଦୀପକ କୁମାର, ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ମୁକେଶ ଭାମୁ ପ୍ରମୁଖ ଉପସ୍ଥିତ ଥିଲେ।