କେନ୍ଦ୍ରାପଡ଼ା: ବାଲେଶ୍ବର ଉପ-ଜିଲ୍ଲାପାଳଙ୍କୁ ମାଫିଆଙ୍କ ଆକ୍ରମଣ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଳା ଡେରାବିଶର ତହସିଲଦାର ଅକ୍ଷୟ କୁମାର ପରିଡ଼ାଙ୍କୁ ଆକ୍ରମଣ କରିଛନ୍ତି ବାଲି ମାଫିଆ। ଆକ୍ରମଣରେ ତହସିଲଦାରଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଏ ସଂକ୍ରାନ୍ତରେ ଶ୍ରୀ ପରିଡ଼ା ସଦର ଥାନାରେ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି।
ଡେରାବିଶ ତହସିଲ ଅନ୍ତର୍ଗତ ଗୁଆଳସିଂରେ ଚୋରା ବାଲିଚାଲାଣ ହେଉଥିବା ଅଭିଯୋଗ ହେବାପରେ ଗତ ୧୭ ତାରିଖ ଅପରାହ୍ନରେ ଆର୍.ଆଇ ଅଶୋକ ସ୍ୱାଇଁ, ଶୁଭଦର୍ଶନ ପରିଡ଼ାଙ୍କ ସହିତ ତହସିଲଦାର୍ ଶ୍ରୀ ପରିଡ଼ା ସେଠାକୁ ଚଢ଼ଉ କରିବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଏକ ବାଲି ଟ୍ରକ୍ ଅଟକାଇ ପଚରାଉଚରା କରିବା ସହିତ ୱାଇ ଫର୍ମ ମାଗିଥିଲେ। କିନ୍ତୁ, ଚାଳକ ଯେଉଁ ୱାଇ ଫର୍ମ ଦେଖାଇଥିଲେ, ତାହାକୁ ନେଇ ସନ୍ଦେହ ଉପୁଜିବାରୁ ତହସିଲ ଅଫିସକୁ ଗାଡ଼ି ନେବାକୁ ତହସିଲଦାର କହିଥିଲେ। ଏହିସମୟରେ ଚାଳକ ଫୋନ୍ କରି ଘଟଣା ସଂପର୍କରେ କାହାକୁ ଜଣାଇବା ପରେ ୩ ଜଣ ଆସି ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଭାବେ ତହସିଲଦାର ଓ ଦୁଇ ଆର୍.ଆଇଙ୍କ ସମେତ ଚାଳକ ଶିଶିର ମଳିକଙ୍କୁ ଆକ୍ରମଣ କରିଥିଲେ। ଏହାସହିତ ତହସିଲଦାରଙ୍କଠାରୁ ଗାଡ଼ି କାଗଜପତ୍ର ସମେତ ୱାଇ ଫର୍ମ ଏବଂ ଡାଏରି ଛଡ଼ାଇ ନେଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।
ତହସିଲଦାର ଆକ୍ରମଣରୁ ବର୍ତ୍ତିବା ପାଇଁ ଗାଡ଼ି ଭିତରକୁ ପଶିଯିବା ବେଳେ ଦୁର୍ବୃତ୍ତମାନେ ଗାଡ଼ିର ଡୋର୍କୁ ଜୋର୍ରେ ବାଡ଼େଇ ଦେଇଥିଲେ। ଫଳରେ, ତହସିଲଦାରଙ୍କ ଆଣ୍ଠୁରେ ଶକ୍ତ ଆଘାତ ଲାଗିଥିଲା। ପରେ ସେ ସଦର ଥାନାକୁ ଆସି ଏ ସଂକ୍ରାନ୍ତରେ ଅଭିଯୋଗ କରିବା ସହିତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଛନ୍ତି ା ଏ ସମ୍ପର୍କରେ ସଦର ଥାନାଧିକାରୀ ସରୋଜ ସାହୁ କହିଛନ୍ତି ଯେ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ା ଅଭିଯୁକ୍ତମାନେ ଫେରାର୍ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।