ରାଜସ୍ବ ବିଭାଗକୁ ବାଲି ମାଫିଆଙ୍କ ଖୋଲା ଚ୍ୟାଲେଞ୍ଜ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସୀମା ଟପିଲାଣି। ଖୋ‌ଦ ଏନ୍‌ଜିଟି ମଧ୍ୟ ଏ ସଂକ୍ରାନ୍ତରେ ଉଦ୍‌ବେଗ ପ୍ରକାଶ କରିବା ସହ ରିପୋର୍ଟ ତଲବ କରିଛନ୍ତି। ବାଲି ଚାଲାଣରୁ ସରକାରଙ୍କର ବିପୁଳ ରାଜସ୍ବ ହାନି ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ଯାହାଫଳରେ ବାଲି ଚୋରାଚାଲାଣରେ ଅଙ୍କୁଶ ଲାଗି ପାରୁନାହିଁ।

ଜିଲ୍ଲାର ସୀମାବର୍ତ୍ତୀ ରରୁଆଁ, ଶୁକୃଳି, କରଞ୍ଜିଆ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳରୁ ବେଧଡ଼କ ବାଲି ଉତ୍ତୋଳନ କରାଯାଉଛି। ଏ ସବୁ ବାଲିକୁ ଚଢ଼େଇଭୋଳ ରାସ୍ତାର ଦୁଇ ପାର୍ଶ୍ବରେ ଗଚ୍ଛିତ ରଖାଯାଇଛି। ଏହି ସ୍ଥାନଟି କରଞ୍ଜିଆ ତହସିଲ ଅଧୀନରେ ରହିଥିବାବେଳେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ପ୍ରାଶାସନିକ ଅଧିକାରୀମାନେ ଯାଆସ କରୁଛନ୍ତି। କିନ୍ତୁ କାହା ଆଖିରେ ପଡ଼ୁନି ବେଆଇନ୍ ବାଲିଗଦାର ଦୃଶ୍ୟ। ଖରାଦିନ ପରେ ବର୍ଷା ଋତୁ ଆସୁଥିବାରୁ ମାଫିଆମାନେ ଜଙ୍ଗଲ ଭିତରକୁ ରାସ୍ତା ତିଆରି କରି ଏବେଠୁ ହଜାର ହଜାର ଟ୍ରିପ୍ ବାଲି ଗଚ୍ଛିତ କଲେଣି। ବର୍ଷା ପୂର୍ବରୁ ବାଲି ମାଫିଆମାନେ ସକ୍ରିୟ ହୋଇ ଉଠିଥିବାବେଳେ ରାଜସ୍ବ ବିଭାଗ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ବେଆଇନ୍ ବାଲି ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଥିରେ ବଡ଼ବଡ଼ିଆଙ୍କ ସଂପୃକ୍ତି ନେଇ ସନ୍ଦେହ ଘନୀଭୂତ ହୋଇଛି। ଇନ୍ଦିପୁର ନିକଟ ବରଦାପାଳ ଓ ମହାଦେବ ଦେଉଳି (୨) ଅଞ୍ଚଳରୁ ବ୍ୟାପକ ବାଲି ଉତ୍ତୋଳନ ହେଉଥିବା ବେଳେ ମହାଦେବ ଦେଉଳି (୨)ରେ ନଦୀମଝିରୁ ଯନ୍ତ୍ରଚାଳିତ ଡଙ୍ଗା ଦ୍ବାରା ହଜାର ହଜାର ଟ୍ରିପ୍‌ ବାଲି ବେଆଇନ ଭାବେ ଉତ୍ତୋଳନ ହେଉଥିବା ଦେଖିବାକୁ ମିଳୁଛି। ବାଲି ଦର ଆକାଶଛୁଆଁ ହେଇଥିବାରୁ ଆବାସ ଘର ଖଣ୍ଡିଏ ଧାର୍ଯ୍ୟ ସମୟରେ ସାରିବା ହିତାଧିକାରୀଙ୍କ ପାଇଁ କାଠିକର ପାଠ ହୋଇଛି। ଅନ୍ୟପଟେ ସରକାରୀ ଓ ବେସରକାରୀ କାମରେ ଟ୍ରିପ ଟ୍ରିପ୍ ବାଲି ହାଇୱାରେ ଆସୁଛି। ଯାହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବା ସହିତ ସମସ୍ତ ବାଲିଘାଟ ଓ ବେଆଇନ୍ ବାଲି ଡିପୋରେ ଚଢ଼ଉ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର