ପୁରୀ : ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଏହି ଶେଷ ଦର୍ଶନ ସାରି ପରଦିନ ରଥାରୂଢ଼ ହୋଇ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଫେରିବେ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ। କିନ୍ତୁ ଚଳିତବର୍ଷ ବର୍ଷ ବର୍ଷର ପରମ୍ପରାକୁ ଭାଙ୍ଗି ଦିଆଯାଇଛି। ସନ୍ଧ୍ୟା ପୂର୍ବରୁ ସନ୍ଧ୍ୟା ଦର୍ଶନ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସକାଳୁ ଅପରାହ୍ଣ ୪ଟା ଯାଏ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହାକୁ ଭକ୍ତ, ସେବାୟତ ବି ବିରୋଧ କରିଛନ୍ତି। ସେପଟେ ବାହୁଡ଼ାଯାତ୍ରା ନୀତିକାନ୍ତି ବିଳମ୍ବ ଆଶଙ୍କା କରି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
/sambad/media/post_attachments/wp-content/uploads/2022/07/ratha-pppmmm.jpg)
ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି, ‘ନୀଳାଦୌ ଦଶବର୍ଷାଣୀ, ଗୁଣ୍ଡିଚା ମଣ୍ଡପ ଦିନେ; ତିବାତି ଦର୍ଶନଂ ପୁଣ୍ୟଂ, ରାତୌ ଦଶଗୁଣ ଭବେତ୍।’ ଅର୍ଥାତ୍ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦଶବର୍ଷ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଦିନେ ଦର୍ଶନ ସହ ସମାନ। ସେହିଭଳି ଦିନ ଦର୍ଶନରେ ଯେତିକି ପୂଣ୍ୟ, ତାହାଠାରୁ ଦଶଗୁଣ ପୂଣ୍ୟ ରାତିରେ ଦର୍ଶନରେ ରହିଛି। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସଂଧ୍ୟା ଦର୍ଶନରୁ ମିଳିଥାଏ। କିନ୍ତୁ ଚଳିତବର୍ଷ ସଅଳ ବାହୁଡ଼ା ପହଣ୍ଡି ଆଳରେ ସଂଧ୍ୟା ପୂର୍ବରୁ ସଂଧ୍ୟା ଦର୍ଶନ ବନ୍ଦ ନିଷ୍ପତ୍ତି ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଯଦି ସଂଧ୍ୟା ପୂର୍ବରୁ ଦର୍ଶନ ବନ୍ଦ କରି ଦିଆଯାଉଛି,ତେବେ ଏହା କିଭଳି ସଂଧ୍ୟା ଦର୍ଶନ ହେଲା ବୋଲି ଶ୍ରଦ୍ଧାଳୁ ପ୍ରଶ୍ନ କରିଛନ୍ତି। ଦୁଇବର୍ଷ ଏହି ଦର୍ଶନରୁ ବଞ୍ଚିତ ଥିବା ଭକ୍ତ ଚଳିତବର୍ଷ ମହାପ୍ରଭୁଙ୍କୁ ମନଭରି ଯେଉଁ ଦର୍ଶନ ଆଶା ରଖିଥିଲେ, ତାହା ମିଳେଇଯାଇଛି।
ଅନ୍ୟପଟେ ସଂଧ୍ୟା ଦର୍ଶନ ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆହୁରି ଜିଗ୍ଜାଗ୍ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଭିଡ଼ ଆଶଙ୍କା ରହିଥିବାରୁ ଏକାଧିକ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ।
/sambad/media/post_attachments/wp-content/uploads/2021/07/gundicha-temple3.jpg)
ଶୁକ୍ରବାର ସଂଧ୍ୟା ଦର୍ଶନ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ୱାରପାଳ ପୂଜା, ୭ଟାରେ ବେଶ ଶେଷ, ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହେବ। ସକାଳ ୮ଟାରୁ ସାଢ଼େ ୯ଟା ସକାଳ ଧୂପ, ସାଢ଼େ ୮ରୁ ସାଢ଼େ ୧୦ଟା ଭିତରେ ଭୋଗମଣ୍ଡପ, ୮ଟା ୧୫ରେ ମଇଲମ, ୯ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ସାଢ଼େ ୯ଟାରେ ସର୍ବାଙ୍ଗ ଚନ୍ଦନ, ପୂର୍ବାହ୍ଣ ୧୦ଟା ୧୫ରେ ନୂଆଲୁଗା ଲାଗି ବେଶ, ୧୦ଟା ୪୫ରେ ମଇଲମ, ସାଢ଼େ ୧୧ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ, ଅପରାହ୍ଣ ୧ଟାରେ ନୂଆ ଲୁଗା ଲାଗି ଓ ବେଶ, ସାଢ଼େ ଗୋଟାଏରୁ ୩ଟା ଭିତରେ ମଧ୍ୟାହ୍ନଧୂପ, ୨ଟାରୁ ସାଢ଼େ ୩ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ, ୩ଟା ୪୫ରୁ ୪ଟା ୪୦ ଭିତରେ ମଇଲମ ଓ ବେଶ, ୫ଟାରେ ସଂଧ୍ୟା ଆଳତି, ସାଢ଼େ ୫ଟାରୁ ୭ଟା ସଂଧ୍ୟାଧୂପ, ୫ଟା ୪୫ରୁ ସାଢ଼େ ୭ଟା ଭିତରେ ତୃତୀୟ ଭୋଗମଣ୍ଡପ ପରେ ରାତି ୮ଟାରେ ରାହାସକୁ ଦିଅଁ ବିଜେ କରିବେ। ୮ଟା ୧୫ରେ ମଇଲମ, ସାଢ଼େ ୮ଟାରେ ଚନ୍ଦନଲାଗି, ୯ଟାରେ ବଡ଼ସିଂହାର ବେଶ, ସାଢ଼େ ୯ଟାରେ ବଡ଼ସିଂହାର ଭୋଗ ପରେ ରାତି ୧୦ଟାରେ ପହୁଡ଼ ଆଳତି ଅନୁଷ୍ଠିତ ହେବ। ରାତି ୧୦ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ସାଢ଼େ ୧୦ଟାରେ ବାହୁଟ କଣ୍ଟ, ରାତି ୧୧ରୁ ୨ଟା ଚାରବନ୍ଧା, ରାତି ସାଢ଼େ ୨ଟାରୁ ସାଢ଼େ ୩ଟାରେ ଭିତରେ କୁସୁମିଲାଗି ନୀତି ସମ୍ପନ୍ନ ହେବ। ଆସନ୍ତା ଜୁଲାଇ ୯ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧୦ରେ ସୁନାବେଶ, ଜୁଲାଇ ୧୧ରେ ରଥ ଉପରେ ଅଧରପଣା ନୀତି, ଜୁଲାଇ ୧୨ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/puri-rrrssss-1.jpg)