ତାଳଚେର : ତାଳଚେର ସହର ମୁଖ୍ୟରାସ୍ତା ପାର୍ଶ୍ବରେ ଡ୍ରେନ୍‌ ନିର୍ମାଣ ହୋଇଥିବାବେଳେ ସହର ଭିତରେ ଥିବା ଗଳିଗୁଡ଼ିକରେ ଡ୍ରେନ୍‌ ବ୍ୟବସ୍ଥା ନଥିବାରୁ ରାସ୍ତାରେ ନାଳ ପାଣି ପ୍ରବାହିତ ହେଉଛି। ଏଥିଯୋଗୁଁ ପ୍ରବଳ ଦୁର୍ଗନ୍ଧ ହେଉଛି। ପୌରପାଳିକା ଫାଷ୍ଟ ଗେଟ୍‌, ରାମଚନ୍ଦ୍ର ବଜା‌ର, ବାଇପାସ୍‌ ରୋଡ୍‌, ରେମୁଆଁ, ଆଇଟିଆଇ ରୋଡ୍‌, ଆଇଟିଆ ଛକ, ଲିଙ୍ଗରାଜ ରୋଡ୍‌, ଶର୍ମାଛକ, କଚେରି ରୋଡ଼, କେନାଲ ରୋଡ୍‌ ପ୍ରଭୃତି ଅଞ୍ଚଳରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। କେବଳ ସେତିକି ନୁ‌ହେଁ, ସହରର ପ୍ରମୁଖ ରାସ୍ତା ତଥା ଜାତୀୟ ରାଜପଥ ଏବଂ ବାଇପାସ୍‌ ଛକରୁ ତାଳଚେର ରୋଡ୍‌ରେ ନାଳପାଣି ସହ ମଇଳା ଭାସୁଥିବା ଦେଖାଯାଇଛି। ଏ ସଂପର୍କରେ ପୌରପାଳିକାର ଜଣେ କର୍ମଚାରୀଙ୍କ କହିବା ମୁତାବକ, କେବଳ ସହରର ମୁଖ୍ୟରାସ୍ତା ନୁହେଁ, ଗଳି ଅଞ୍ଚଳରେ ମଧ୍ୟ ଏହିଭଳି ଅବସ୍ଥା। ପୌରପାଳିକାର କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳତା ହେତୁ ଏହା ଘଟୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।

Advertisment

ସହରର ମୁଖ୍ୟ ରାସ୍ତା ଜବରଦଖଲ ସହିତ ଗଳି ଅଞ୍ଚଳରେ ଥିବା ଦୋକାନ ଓ ଘରର ଅଳିଆ ଏଣେତେଣେ ପକାଯାଉଛି। ସହର ମୁଖ୍ୟରାସ୍ତା ଡ୍ରେନ୍‌ରେ ଆସୁଥିବା ପାଣିରେ ଜରି, ବୋତଲ, କାଚ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଆଦି ଭାସିଆସୁଛି। ଡ୍ରେନ୍‌କୁ ସଂଯୋଗ କରୁଥିବା ଗଳି ରାସ୍ତା ଡ୍ରେନ୍‌ରେ ଅଳିଆ ଜମି ରହୁଥିବାରୁ ରାସ୍ତାରେ ମଇଳା ପାଣି ଭାସୁଛି। ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟ ଏକ ଠିକା ସଂସ୍ଥାକୁ ଦିଆଯାଇଥିବାବେଳେ ଡ୍ରେନ୍‌ରେ ଭାସି ଆସୁଥିବା କଠିନ ବର୍ଜ୍ୟ ନିୟମିତ ଭାବେ ସଫେଇ କରାଯାଉ ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ଜାତୀୟ ରାଜପଥରେ ମଇଳା ପାଣି ଭାସୁଛି। ଏ ସଂପର୍କରେ ସାନିଟାରି ଇ‌ନ୍‌ସପେକ୍ଟର ନବକିଶୋର ମାଟିଙ୍କୁ ପଚାରିବାରୁ ସେ କହିଛନ୍ତି, ସହରର ସମସ୍ତ ଡ୍ରେନ୍‌ ସଫା ହେଉଛି। କିନ୍ତୁ ଯେଉଁ ଅଞ୍ଚଳରେ ଡ୍ରେନ୍‌ ଜବର ଦଖଲରେ ରହିଛି ସେ ଅଞ୍ଚଳ ଡ୍ରେନ ସଫା କରିବାକୁ ଅଞ୍ଚଳବାସୀ ଦେଉ ନାହାନ୍ତି। ଫଳରେ ସହରରେ ଏ ଅବସ୍ଥା ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।