ଭଞ୍ଜନଗର : ଚଳିତ ଖରିଫ୍ ଋତୁରେ ଚାଷୀଙ୍କଠୁ ଧାନକିଣା ପାଇଁ ପ୍ରାଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାମାସ ୧୬ ତାରିଖରୁ ଧାନ କିଣିବାକୁ ଦିନ ସ୍ଥିର ହୋଇଛି। ତେବ‌େ ଧାନ ବିକ୍ରି ପାଇଁ ସରକାର ଟୋକନ୍ ଦେବା ପୂର୍ବରୁ ପଞ୍ଜୀକୃତ ହୋଇଥିବା ଜମି ଗୁଡ଼ିକର ସାଟେଲାଇଟ୍‌ ଜରିଆରେ ଯାଞ୍ଚ୍ କରିଥ‌ିଲେ। ଏହି ଯାଞ୍ଚ୍ ପରେ ଭଞ୍ଜନଗର ଉପଖଣ୍ଡର ଅନେକ ମିଛ ଜମି ପଞ୍ଜୀକୃତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସାଟେଲାଇଟ୍‌ ସର୍ଭେରୁ ଉପଖଣ୍ଡର ୫୧ ହଜାର ୯ ଶହ ୬୫ଟି ପ୍ଲଟ୍‌ ସନ୍ଦିଗ୍ଧ ଭାବେ ଚିହ୍ନଟ ହୋଇଛି।

Advertisment

ଉକ୍ତ ଜମିରେ ଜମାରୁ ଧାନଚାଷ ହୋଇନି। ‌ସେହିପରି ଧାନ ଚା‌ଷଜମି ଦର୍ଶାଯାଇଥିବା ପ୍ଲଟ୍‌ରେ କେଉଁଠି ପୋଖରୀ ରହିଛି ତ, ଆଉ‌ କେଉଁଠି ପନିପରିବା, ଆଖୁ, ନଡ଼ିଆ ଓ କାଜୁ ଭଳି ଅଣଧାନ ଚାଷ ହୋଇଛି। ଏସମସ୍ତ ପ୍ଲଟ୍ ବିଷୟରେ ତଥ୍ୟ ହାସଲ ପାଇଁ ଯାଞ୍ଚ୍ ଆରମ୍ଭ ହୋଇଛି। ପ୍ୟାକ୍ସ୍ ସମ୍ପାଦକ ଓ ମହିଳା ସ୍ବଂୟ ସହାୟକ ସଂଘର ମୁଖ୍ୟଙ୍କ ସମେତ ୧୦୬ ଜଣ ଏହି ଯାଞ୍ଚ୍ ପ୍ରକ୍ରିୟାରେ ସାମିଲ ହୋଇଥିବା ସୂଚନା ମିଳିଛି।
ଚଳିତ ଖରିଫ୍ ଋତୁ ପାଇଁ ଜୁଲାଇ ୫ ତାରିଖରୁ ଅଗଷ୍ଟ ୩୦ ମଧ୍ୟରେ ପଞ୍ଜୀକରଣ ହୋଇଥିଲା। ଏହିକ୍ରମରେ ଭଞ୍ଜନଗର ଉପଖଣ୍ଡ ଅଧୀନ ୮ଟି ବ୍ଲକ୍‌ର ୪୨ ହଜାର ୧୯ ଜଣ ଚାଷୀ ସେମାନଙ୍କ ଉତ୍ପାଦିତ ଧାନକୁ ବିକ୍ରି ପାଇଁ ୧୧୯ଟି ପ୍ରାଥମିକ ସେବା ସମବାୟ ସମିତି ଓ ୪୧ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ନାମ ପଞ୍ଜୀକରଣ କରିଥିଲେ। ଏହାସହ ନିଜର ଚାଷଜମି ବିଷୟରେ ତଥ୍ୟ ଦେଇଥିଲେ। କିନ୍ତୁ କିଛି ଜମି ଜାଲ୍ ବୋଲି ଜଣାପଡ଼ିଛି।
ଆସିକା ବ୍ଲକ୍‌ରୁ ଏଭଳି ୮୮୪୨ଟି ସନ୍ଦିଗ୍ଧ ଜମି ଚିହ୍ନଟ ହୋଇଛି। ସେହିପରି ବେଲଗୁଣ୍ଠାରୁ ୪୫୭୯, ଭଞ୍ଜନଗରରୁ ୫୪୯୮, ବୁଗୁଡ଼ାରୁ ୧୧, ଧରା‌କୋଟରୁ ୮୩୭୪, ଜଗନ୍ନାଥପ୍ରସାଦରୁ ୫୦୯୮, ‌ଶେରଗଡ଼ରୁ ୫୯୩୬ ଏବଂ ସୋରଡ଼ାରୁ ୭୯୪୦ଟି ସନ୍ଦିଗ୍ଧ ପ୍ଲଟ୍ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ସରକାରୀ ଧାର୍ଯ୍ୟ ମୂଲ୍ୟରେ ଉତ୍ପାଦିତ ଧାନ ମଣ୍ଡିରେ ବିକ୍ରି କରିବା ଲକ୍ଷ୍ୟରେ ହଜାର ହଜାର ଏକର ଜମିକୁ ପ୍ରାଥମିକ କୃଷି ସମବାୟ ସମିତିରେ ପଞ୍ଜୀକରଣ କରାଯାଇଥିବା ସନ୍ଦେହ କରାଯାଇଛି।

ଏଥିପାଇଁ ଯାଞ୍ଚ୍‌କାରୀମାନେ ସନ୍ଦେହଜନକ ପ୍ଲଟ୍‌ ନିକଟକୁ ଯାଇ ନିଜ ସହ ଜମିର ଫଟୋ ଉଠାଇ ଜିଓଟ୍ୟାଗିଂ କରିବେ। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରିପୋର୍ଟ ଦାଖଲ କରିବେ। ଯାଞ୍ଚ୍ ପରେ ଧାନ ବିକ୍ରି ନିମନ୍ତେ ଚାଷୀଙ୍କୁ ଟୋକନ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।