ଗୃହରେ ଉଠିଲା ମାସ୍କ, ପିପିଇ କିଟ୍‌ କିଣା କେଳେଙ୍କାରୀ, ଅଭିଯୋଗ ଆଣିଲେ ବିରୋଧୀ ଦଳ ନେତା

ସ୍ବାଧିକାର ଭଙ୍ଗ ନୋଟିସ ନେଇ ମୁହାଁମୁହିଁ

ଭୁବନେଶ୍ବର: ମାସ୍କ, ଟେଷ୍ଟିଂ କିଟ୍ ଓ ପିପିଇ କିଟ୍ କିଣାରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ବାରା ବ୍ୟାପକ କେଳେଙ୍କାରୀ ହୋଇଛି। ସ୍ବାଧିକାର ଭଙ୍ଗ ନୋଟିସ ଆଳରେ ଏହି ପ୍ରସଙ୍ଗକୁ ବିଧାନସଭାକୁ ଟାଣି ଆଣିଛି ବିରୋଧୀ ବିଜେପି। ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ସଂକ୍ରାନ୍ତ ନୋଟିସ ଦେଇଥିଲେ। ଏହାସହିତ ସିରାଜୁଦ୍ଦିନ ଖଣିକୁ ସରକାରଙ୍କ ଅହେତୁକ ଅନୁକମ୍ପା ନେଇ ମଧ୍ୟ ଶ୍ରୀ ନାଏକ ସ୍ବର ଉଠାଇଥିଲେ। ଅପରାହ୍ନ ଅଧିବେଶନରେ ସ୍ବାଧିକାର ଭଙ୍ଗ ନୋଟିସ ଉପରେ କିଛି କହିବାକୁ ପ୍ରଥମେ ବାଚସ୍ପତି ଅନୁମତି ନ ଦେବାରୁ ଶ୍ରୀ ନାଏକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନୋଟିସ ପାଇଛି କିନ୍ତୁ ଏହା ଉପରେ ବିଚାର କରିବି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିବାରୁ ବାଚସ୍ପତି ଓ ବିରୋଧୀ ଦଳ ନେତା ଶ୍ରୀ ନାଏକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏକାଧିକ ପ୍ରସଙ୍ଗରେ ବିରୋଧୀ ଦଳ ନେତା କହିବାରୁ ସ୍ବାଧିକାର ଭଙ୍ଗ ନୋଟିସ କାହା ଉପରେ ଦିଆଯାଇଛି ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ସ୍ପଷ୍ଟୀକରଣ ଦାବି କରିଥିଲେ।

ଶ୍ରୀ ନାଏକ ସ୍ବାଧିକାର ଭଙ୍ଗ ନୋଟିସ ବିଷୟରେ ଉଲ୍ଲେଖ କରି କହିଥଲେ, ରାଜ୍ୟ ସରକାରଙ୍କ ଦୁର୍ନୀତିର ଚେର ଧୀରେ ଧୀରେ ଲମ୍ବିଚାଲିଛି। ଡାଲି ଦୁର୍ନୀତି, ଛତୁଆ ଦୁର୍ନୀତି, ଖଣି ଦୁର୍ନୀତିରେ ଓଡ଼ିଶାବାସୀଙ୍କୁ ଶୋଷଣ କରିବା ଯଥେଷ୍ଟ ହେଲାନି ଯେ, ସରକାରୀ ବାବୁ ଓ ମନ୍ତ୍ରୀ ମିଳିମିଶି କରୋନା ମହାମାରୀ ସମୟରେ ମଧ୍ୟ ଲୋକଙ୍କୁ ଲୁଟିଛନ୍ତି। ମାସ୍କ୍‌ ଓ ପିପିଇ କିଟ୍‌ କିଣାର କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଛନ୍ତି। ଉଦାହରଣ ଦେଇ ଶ୍ରୀ ନାଏକ କହିଲେ, ଗୋଟିଏ କମ୍ପାନିଠାରୁ ପ୍ରଥମେ ସରକାର ୯ ଟଙ୍କା ୯୦ ପଇସାରେ ମାସ୍କ୍‌ କିଣିଲେ। ଦୁଇଦିନ ପରେ ଆଉ ଗୋଟିଏ କମ୍ପାନି ପାଖରୁ ସେହି ସମାନା ମାସ୍କ୍‌କୁ ୧୬ ଟଙ୍କାରେ କିଣାଗଲା। ସେହିଭଳି ରିଏଲ୍‌ ଟାଇମ୍‌ ପିସିଆର୍‌ ମେସିନ୍‌ ଓ ସେଥିରେ ବ୍ୟବହୃତ ଟେଷ୍ଟିଂ କିଟ୍‌ କିଣାରେ ମଧ୍ୟ ସାଂଘାତିକ ଦୁର୍ନୀତି ହୋଇଛି। ଗୋଟିଏ କମ୍ପାନି ଠାରୁ ରାଜ୍ୟ ଔଷଧ ନିଗମ ପିସିଆର ମେସିନ ପିଛା ୧୨ ଲକ୍ଷ ୯୦ ହଜାର ଟଙ୍କାରେ ୧୦୦ଟି ମେସିନ୍‌ କିଣିଲା। ସେ ବାବଦରେ ୧୨ କୋଟି ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହି ମେସିନ୍‌ ଖୋଲା ବଜାରରେ ୪ରୁ ୫ ଲକ୍ଷ ଟଙ୍କାରେ ମିଳୁଛି। ତେବେ ଏତେ ଟଙ୍କାରେ କିଣିବାର ଅର୍ଥ କଣ? ସେହିପରି ରିଏଲ ଟାଇମ୍‌ ପିସିଆର୍‌ ମେସିନ୍‌ରେ ବ୍ୟବହୃତ ହେଉଥିବା ଟେଷ୍ଟିଂ କିଟ୍‌ ଯାହାର ବଜାର ମୂଲ୍ୟ ୭୦୦ରୁ ୮୦୦ ଟଙ୍କା ହେବ ତାକୁ ୧୩୧୪ ଟଙ୍କାରେ ଔଷଧ ନିଗମ କିଣିଛି। ଏହିଭଳି ୨ ଲକ୍ଷ ଟେଷ୍ଟିଂ କିଟ୍‌ କିଣା ବାବଦକୁ ୨୬ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ମାର୍ଚ୍ଚ ୨୧ ତାରିଖରେ ଏକ ନିର୍ଦ୍ଦିଷ୍ଟ କମ୍ପାନି ଠାରୁ ନେବୁଲାଇଜର୍‌ ପିଛା ୩୧୦୦ ଟଙ୍କାରେ କିଣିବାକୁ କୋଟେସନ୍‌ ହୋଇଥିଲା। କିନ୍ତୁ ମାର୍ଚ୍ଚ ୨୩ ତାରିଖରେ ସେହି ସମାନ କମ୍ପାନି ପୁଣି ଥରେ ଏହ ଦରକୁ ପରିବର୍ତ୍ତନ କରି ନେବୁଲାଇଜର ଗୋଟାକ ୫୯୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କଲା। ଏଥିରେ ସରକାର ରାଜି ହୋଇ ଏତିକି ଟଙ୍କାରେ କିଣିବାକୁ ଅର୍ଡର୍‌ ଦେଲେ।

ମାସ୍କ୍‌ କିଣାରେ ଦୁର୍ନୀତି ନେଇ ଗଣମାଧ୍ୟମରେ ତଥ୍ୟ ସାମନାକୁ ଆସିବା ପରେ ଗତ ଏପ୍ରିଲ୍‌ ୨୮ରେ ସମ୍ପୃକ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଥିଲେ ଯେ ସରକାର ତାଙ୍କୁ ବ୍ଲାଙ୍କ୍‌ ଚେକ୍‌ ଦେଇ କଣିବା ପାଇଁ ଅନୁମତି ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଏ ସମସ୍ତ ଦୁର୍ନୀତି ସରକାରଙ୍କ ଜାଣତରେ ହୋଇଛି। ଯେଉଁ ଅଧିକାରୀମାନେ ଏହି ଦୁର୍ନୀତିରେ ସାମିଲ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଆଇସିଏମ୍‌ଆର୍‌ ଗାଇଡଲାଇନ୍‌ ଅନୁସାରେ ପିପିଇ କିଟ୍‌ ଗୁଡ଼ିକର ଟେଷ୍ଟିଂ କରିବା କଥା। କିନ୍ତୁ ବିନା ଟେଷ୍ଟିଂରେ ପିପିଇ କିଟ୍‌ କରୋନା ଯୋଦ୍ଧାଙ୍କୁ ଯୋଗାଇ ଦିଆଯାଇଛି। ଏହାଦ୍ବାରା ଆଇସିଏମ୍‌ଆର୍‌ ଗାଇଡଲାଇନ୍‌କୁ ମଧ୍ୟ ସରକାର ମାନିନାହାନ୍ତି। ଏ ସମ୍ପର୍କରେ ତ ଗୃହରେ ମୁଲତବି ଆଲୋଚନା ହୋଇପାରିବନି। କିନ୍ତୁ ପ୍ରସ୍ତାବ ଆକାରରେ ଆଣି ଆଲୋଚନା କରାଯାଇପାରିବ ବୋଲି ଶ୍ରୀ ନାଏକ କହିଥିଲେ।

ସ୍ବାଧିକାର ଭଙ୍ଗ ନୋଟିସ୍‌ ଉପରେ ଦୀର୍ଘ ସମୟ ଧରି କହିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଆସନରେ ଥାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ କୋଭିଡ୍‌ ମହାମାରୀ ସମୟରେ ଏହି ସ୍ବଳ୍ପକାଳୀନ ଅଧିବେଶନର ଦୈନିକ ବୈଠକକୁ ସୀମିତ କରାଯାଇଛି। ନିୟମ ଦୃଷ୍ଟିରୁ ବିରୋଧୀ ଦଳ ନେତା ଯେତେବେଳେ ଗୃହରେ କହିବାକୁ ଚାହିଁବେ କହିପାରିବେ। ସେ ଦେଇଥିବା ସ୍ବାଧିକାର ଭଙ୍ଗ ନୋଟିସ ବାଚସ୍ପତି ଗ୍ରହଣ କରିଛନ୍ତି କି ନାହିଁ ସେ ଅଲଗା କଥା କିନ୍ତୁ ଲମ୍ବା ସମୟ ଧରି ଗୃହରେ ଯେଭଳି ଆଲୋଚନା ଚାଲିଛି ତାହା ଶୂନ୍ୟକାଳ କି ନିବେଦନ ଜଣାପଡ଼ୁନି। ଶ୍ରୀ ମିଶ୍ର କହିସାରିବା ପରେ ବାଚସ୍ପତି ରୁଲିଂ ଦେଇ କହିଥିଲେ, ବିଧାନସଭା କାର୍ଯ୍ୟବିଧି କାର୍ଯ୍ୟ ପରିଚାଳନା ନିୟମ ଅନୁଯାୟୀ ଗୋଟିଏ ଦିନ ପୂର୍ବରୁ ସ୍ବାଧିକାର ଭଙ୍ଗ ନୋଟିସ୍‌ ଦେବା କଥା। ବିରୋଧୀ ଦଳ ନେତାଙ୍କ ନୋଟିସ୍‌ ମିଳିଛି ଓ ତା ଉପରେ ଅନୁଧ୍ୟାନ କରାଯିବ।

ବିଜେଡି ବିଧାୟକ ଶ୍ରୀ ଶତପଥୀ କହିଥିଲେ, କରୋନା ମହାମାରୀ ସମୟରେ ବାଚସ୍ପତି ଯେଭଳି ଗୃହକୁ ଚଲାଇଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। କିନ୍ତୁ ସ୍ବାଧିକାର ଭଙ୍ଗ ନୋଟିସ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ବିଷୟକୁ ନେଇ ଆସିଥାଏ। କିନ୍ତୁ ବିରୋଧୀ ଦଳ ନେତା ଯେଭଳି ଭାବେ ଏକାଧିକ ପ୍ରସଙ୍ଗରେ କହୁଛନ୍ତି ସେଥିରୁ ନିୟମ ମୁତାବକ ସ୍ବାଧିକାର ଭଙ୍ଗ କାହା ବିରୋଧରେ ଓ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଣିଛନ୍ତି ସେ ନେଇ ଗୃହକୁ ସ୍ପଷ୍ଟ ଭାବେ ଜାଣିବା ଦରକାର। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ବିରୋଧୀ ଦଳ ନେତାଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି। ନିୟମ ଦୃଷ୍ଟିରୁ ଗୋଟିଏ ଦିନ ପୂର୍ବରୁ ସ୍ବାଧିକାର ଭଙ୍ଗ ନୋଟିସ ଆସିବା କଥା। ବିରୋଧୀ ଦଳ ନେତାଙ୍କ ସ୍ବାଧିକାର ଭଙ୍ଗ ନୋଟିସ ଉପରେ ବାଚସ୍ପତି କଣ ନିଷ୍ପତ୍ତି ନେଉଛନ୍ତି ତାହା ଆସନ୍ତାକାଲି ଜଣାପଡ଼ିବ। କିନ୍ତୁ କୋଭିଡ୍‌ ମହାମାରୀ ସମୟରେ ସମସ୍ତ ବିଧାୟକ ଜୀବନକୁ ବାଜି ଲଗାଇ ଲୋକଙ୍କ ହିତ ପାଇଁ ଏ ଗୃହ କାର୍ଯ୍ୟରେ ଯୋଗଦେବାକୁ ଆସିଛନ୍ତି। ଆଉ ଅଧିକ ସମୟ ନ ନେଇ ଗୃହ କାର୍ଯ୍ୟକୁ ବାଚସ୍ପତି ଜାରି ରଖନ୍ତୁ ବୋଲି ଶ୍ରୀ ସାଲୁଜା ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର