ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ଭିନ୍ନକ୍ଷମ ପିଲାଙ୍କ ଯତ୍ନ, ଥଇଥାନ ଓ ଶିକ୍ଷାଦାନ ଦିଗରେ କାମ କରୁଥିବା ‘ସମର୍ଥ’ ଶିକ୍ଷାନୁଷ୍ଠାନର ସମ୍ପାଦକ କେ.ଆନନ୍ଦ ରାଓଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀ ଗତକାଲି ଶାରୀରିକ ନିର୍ଯାତନା ଭଳି ସଂଗିନ୍ ଅଭିଯୋଗ ଆଣିଥିଲେ। ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି।
ଆଜି ଆନନ୍ଦଙ୍କ ବିରୋଧରେ ପୁଣି ଏକାଧିକ ସଂଗିନ୍ ଅଭିଯୋଗ ଆସିଛି। କୋଭିଡ୍ ସମୟରେ ପିଲାଙ୍କ ନାମରେ ଆସିଥିବା ସରକାରୀ ଅନୁଦାନକୁ ସେ ହଡ଼ପ କରିଛନ୍ତି। ଅଭିଭାବକଙ୍କଠୁ ମହାମାରୀ ବେଳେ ମାସିକ ୧୭୫୦ ଟଙ୍କା ଓ ଜଏନ୍ ଫି’ ବାବଦରେ ୩୦୦ ଟଙ୍କା ବାଧ୍ୟତାମୂଳକ ଭାବେ ନିଆଯାଇଛି। ସରକାରଙ୍କ ଅନୁଦାନକୁ ଆନନ୍ଦ ଅତି ଚତୁରତାର ସହ ହଡ଼ପ କରୁଥିଲେ। ନିଜ ନାମରେ ଓ ପିଲାଙ୍କ ନାମରେ ନାମରେ ଯୁଗ୍ମଖାତା ଖୋଲୁଥିଲେ। ଚେକ୍ ବୁକ୍ରେ ପିଲାଙ୍କ ଆଗୁଆ ଦସ୍ତଖତ ନେବା ସହ ପରେ ଉକ୍ତ ଅର୍ଥକୁ ଆତ୍ମସାତ୍ କରୁଥିଲେ। ଏଭଳି ବିଭିନ୍ନ ଅଭିଯୋଗ ସଂକ୍ରାନ୍ତରେ ପିଲାମାନଙ୍କ ଅଭିଭାବକ ଛତ୍ରପୁର ଥାନାରେ ଆନନ୍ଦଙ୍କ ବିରୋଧରେ ଏତଲା ଦେଇଛନ୍ତି।
ସେହିପରି ଅନୁଷ୍ଠାନରେ ପୂର୍ବରୁ କାମ କରୁଥିବା ଶିକ୍ଷକମାନଙ୍କୁ ବର୍ଷ ବର୍ଷ ଧରି ଦରମା ନ ଦିଆଯାଇ ବହିଷ୍କାର କରାଯାଇଛି। ସେମାନଙ୍କ ସ୍ଥାନରେ ଅଢେ଼ଇ ଲକ୍ଷ ଟଙ୍କା ଲେଖାଏଁ ଚାନ୍ଦା ନେଇ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଆନନ୍ଦ ନୂଆ ନିଯୁକ୍ତ ଶିକ୍ଷକଙ୍କ ଟଙ୍କାକୁ ମଧ୍ୟ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣି ପୁରୁଣା ଓ ନୂଆ ଶିକ୍ଷକମାନଙ୍କ ପକ୍ଷରୁ ଥାନାରେ ପୃଥକ୍ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ଆନନ୍ଦଙ୍କ ନାମରେ ଜଣେ ଛାତ୍ରୀଙ୍କଠୁ ନାମଲେଖା ବେଳେ ବେଳେ ୫ ହଜାର ଟଙ୍କା ନେବା, ପିଲାଙ୍କ ପାସ୍ବୁକ୍କୁ ନିଜ ପାଖରେ ରଖିବା ଓ ପିଲାମାନଙ୍କ ଟିସି ମାଗିଲେ ଧମକଚମକ ଦେବା ଭଳି ଅଭିଯୋଗ ମଧ୍ୟ ହୋଇଛି।
ମାନସିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରକୁ ନେବାକୁ ଅଭିଭାବକ ତତ୍ପର
କୋଭିଡ୍ ବେଳେ ଅନୁଦାନ ହଡ଼ପ ନେଇ ଆଉ ଏକ ଏତଲା
ଥାନାର ଦ୍ବାରସ୍ଥ ହେଲେ ପୂର୍ବତନ, ବର୍ତ୍ତମାନର ଶିକ୍ଷକ
ଖାଲି ଏତିକି ନୁହେଁ, ଅନୁଷ୍ଠାନରୁ ନିଜ ପିଲାମାନଙ୍କୁ ନେଇଯିବା ଲାଗି ଅଭିଭାବକମାନେ ଆଗେଇ ଆସିଛନ୍ତି। କିନ୍ତୁ ଏବେ ବି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ଆନନ୍ଦ କହୁଛନ୍ତି। ଆଜି ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଅନୁଷ୍ଠାନରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ରମ୍ଭା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ତାଙ୍କ ବାପାମାଆ ଘରକୁ ନେଇ ଯାଇଛନ୍ତି। ଝିଅ ଏଠାରେ ରହିବାଟା ଆଉ ସୁରକ୍ଷିତ ନୁହେଁ। ଏଣୁ ଆମେ ବାଧ୍ୟ ହୋଇ ତାକୁ ନେଇଯାଉଛୁ ବୋଲି ବାପାମାଆ ଗଣମାଧ୍ୟମକୁ କହିଥିଲେ।
ପୂର୍ବତନ କର୍ମଚାରୀ ସତ୍ୟନାରାୟଣ ଦାଶ କହିଛନ୍ତି ଆନନ୍ଦଙ୍କ ବିରୋଧରେ ସେ ଯୌନ କେଳେଙ୍କାରୀରର ଅଭିଯୋଗ ଆଣି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କୁ କାର୍ଯ୍ୟରୁ ବିତାଡ଼ିତ କରିଦିଆଯାଇଥିଲା। ଟିଆଇ ନିଯୁକ୍ତି ନାମରେ ଆନନ୍ଦ ତାଙ୍କଠୁ ଏକ ଲକ୍ଷ ଟଙ୍କା ନେଇଥିଲେ। ପ୍ରାଶାସନିକ ଅଧିକାରୀମାନେ ପରିଦର୍ଶନରେ ଆସିଲା ବେଳେ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମର୍ଥ ଅନୁଷ୍ଠାନ ଅଣାଯାଉଥିଲା।
ଏହାସହ ପିଲାଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ଆମେ ନ୍ୟାୟ ପାଇଁ ଆଗେଇ ଆସିଛୁ ବୋଲି ସତ୍ୟନାରାୟଣ କହିଛନ୍ତି। ସେହିପରି ପ୍ରଶାସନର କିଛି ଅଧିକାରୀଙ୍କୁ ଆନନ୍ଦ ହାତବାରିସି କରି କେଳେଙ୍କାରୀ ଚଳାଉଥିଲେ। ଏହାର ଭିଜିଲାନ୍ସ୍ ଓ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ଦାବି ହୋଇଛି।
ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି, ‘ସମର୍ଥ’ ଶିକ୍ଷାନୁଷ୍ଠାନର ସମ୍ପାଦକଙ୍କ ନାଁରେ ପୂର୍ବରୁ ଯେଉଁ ଅଭିଯୋଗ ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଆଜି ଆଉ କେତେକ ଅଭିଯୋଗ ଆସିଛି। ପୁଲିସର ତଦନ୍ତ ଜାରି ରହିଛି। ଗୋଟିଏ ପଟେ ପୁଲିସ ତଦନ୍ତ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କମିଟି ଶିକ୍ଷାନୁଷ୍ଠାନର ସମସ୍ତ ବିଷୟକୁ ନେଇ ତଦନ୍ତ ଜାରି ରଖିଛି। ଆନନ୍ଦଙ୍କୁ ପଚରାଉଚରା କରାଯାଉଛି। ସେହିପରି ଆନନ୍ଦଙ୍କ ବିରୋଧରେ ୨ ଜଣ ମହିଳାଙ୍କ ଅଭିଯୋଗ ଉପରେ କୋର୍ଟରେ ସେମାନଙ୍କ ବୟାନ ରେକର୍ଡ଼ ହେବ। ଏହାପରେ ତାଙ୍କ ଡାକ୍ତରୀ ପରୀକ୍ଷା ପରେ ପୁଲିସ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।