ଖୋଲିଲା ସ୍କୁଲ, ବାଜିଲା ଘଣ୍ଟି

ଭୁବନେଶ୍ୱର: ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠୁ ଶିକ୍ଷାନୁଷ୍ଠାନ ଖୋଲିଛି। ୩୭ ହଜାର ୫୩୩ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟ, ଅଣ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ୨୪ ଲକ୍ଷ ୪୫ ହଜାର ୪୦୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଦିନରେ ୧୪ ଲକ୍ଷ ୪୨ ହଜାର ୭୯୦ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଯୋଗଦେଇଛନ୍ତି। ‌ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଭଲ ରହିଛି। ଭୁବନେଶ୍ବରର ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଉପସ୍ଥାନ ୮୦%ରୁ ଅଧିକ ରହିଥିବା ଜଣାପଡ଼ିଛି।

ଦେବଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବାଧିକ ୮୫% ରହିଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲଗୁଡ଼ିକରେ ପିଲାଙ୍କ ଉପସ୍ଥାନ ୯୧% ରହିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଉଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୭% ଥିଲା। ଉଚ୍ଚ ମାଧ୍ୟମିକ କ୍ଷେତ୍ରରେ ଦେବଗଡ଼ ସହିତ ବାଲେଶ୍ୱର, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାଗୁଡ଼ିକରେ ଉପସ୍ଥାନ ହାର ବହୁତ ଭଲ ରହିଛି। ମାଧ୍ୟମିକସ୍ତରରେ ଅନୁଗୁଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଗଞ୍ଜାମ, ରାୟଗଡ଼ା ଓ ବରଗଡ଼ ଜିଲ୍ଲାରେ ଉପସ୍ଥାନ ଉତ୍ସାହଜନକ ଥିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକସ୍ତରରେ ଅଷ୍ଟମ ଶ୍ରେଣୀରେ କେନ୍ଦ୍ରାପଡ଼ା ସହିତ ଅନୁଗୁଳ, ବଲାଙ୍ଗୀର, କଟକ, ଦେବଗଡ଼, କେନ୍ଦୁଝର ଜିଲ୍ଲାଗୁଡ଼ିକରେ ପିଲାଙ୍କ ଉପସ୍ଥାନ ହାର ବହୁତ ଭଲ ରହିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ଉପସ୍ଥାନ ଭଲ ଥିଲା।

ସମସ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇ ସରିଛି। ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କୁ ଟିକା ଦିଆଯାଇ ସାରିଥିବାବେଳେ ଅବଶିଷ୍ଟ ୪୫%ଙ୍କୁ ଖୁବ୍‌ଶୀଘ୍ର ଟିକା ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଶିକ୍ଷକଙ୍କୁ କୋଭିଡ୍‌ ମାର୍ଗଦର୍ଶିକାର କଡ଼ା ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଖୋଲାଯିବା ପରେ କୌଣସି ସମସ୍ୟା ଉପୁଜିଲେ ତାହାକୁ ତଦାରଖ କରିବାକୁ ଓସେପା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସେଲ୍‌ ଖୋଲାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା‌ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବିଭିନ୍ନ ସ୍କୁଲ ଗସ୍ତ କରି ପାଠପଢ଼ାର ସ୍ଥିତି ପରଖିଛନ୍ତି। କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପ୍ରଥମ ଦିନରେ ପିଲାଙ୍କ ଉପସ୍ଥାନ ଭଲ ରହିଛି। ଆସନ୍ତା ୧୪ ତାରିଖରୁ ଅନ୍ୟ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ। ତାହାକୁ ନଜରରେ ରଖି ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିର୍ଧାରିତ ସମୟରେ ସରିବ ଏବଂ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର