ଭୁବନେଶ୍ବର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମାଗଣା ପୋଷାକର ରଙ୍ଗ ଓ ପରିପାଟୀରେ ଏଥର କୌଣସି ପରିବର୍ତ୍ତନ ହେବ ନାହିଁ। ଛାତ୍ରଙ୍କୁ ଦୁଇ ହଳ ପ୍ୟାଣ୍ଟ ଓ ଧଳା ସାର୍ଟ, ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ୍‌(ଝାଲେରି ସହ) ଓ ଷଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ କମିଜ୍‌, ସାଲୱାର ଓ ଓଢ଼ଣୀ ଦିଆଯିବ। ଜଣେ ପିଲା ପିଛା ୫୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ ଜୁଲାଇ ୩୦ ସୁଦ୍ଧା ବଣ୍ଟନ କରାଯିବ। ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍‌ ୨୦୨୫-୨୬ରେ ପୋଷାକର ରଙ୍ଗ ଓ ପରିପାଟୀରେ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଚଳିତବର୍ଷର ମାଗଣା ସ୍କୁଲ ପୋଷାକ ଯେପରି ଧାର୍ଯ୍ୟ ସମୟ ମଧ୍ୟରେ ପିଲାଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ଗୁରୁତ୍ବାରୋପ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ(ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ମିଳିବ। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସମୁଦାୟ ୫୦୦ ଟଙ୍କା ସମଗ୍ର ଶିକ୍ଷା ଯୋଜନା ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସରକାରୀ ବିଦ୍ୟାଳୟର ଏପିଏଲ୍‌ ବର୍ଗର ଛାତ୍ରଙ୍କ କ୍ଷେତ୍ରରେ ଗଙ୍ଗାଧର ମେହେର ‌ଶିକ୍ଷା ମାନକ ‌ବୃଦ୍ଧି ଯୋଜନାରୁ ଅର୍ଥ ଭରଣା କରିବାକୁ
ନିଷ୍ପତ୍ତି ହୋଇଛି। ପ୍ରତି ଛାତ୍ରଛାତ୍ରୀଙ୍କୁ ଠିକ୍‌ ମାପ ହିସାବରେ ପୋଷାକ ମିଳିବ। ପୋଷାକ ବଣ୍ଟନ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ନାମ ଶ୍ରେଣୀ ଅନୁଯାୟୀ ଖାତାରେ ଲିପିବଦ୍ଧ କରାଯିବ। ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌, ବିଶିଷ୍ଟ ବ୍ୟକ୍ତି, ସମାଜସେବୀଙ୍କ ଉପସ୍ଥିତିରେ ବଣ୍ଟନ କରିବାକୁ କୁହାଯାଇଛି।

୨୫ହଜାର ଟଙ୍କା କିମ୍ବା ତା’ଠାରୁ କମ୍‌ ରାଶି ଜମା ହୋଇଥିବା ବିଦ୍ୟାଳୟ କ୍ଷେତ୍ରରେ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ସଦସ୍ୟମାନେ ନିକଟସ୍ଥ ବଜାରକୁ ଯାଇ ନିର୍ଦ୍ଧାରିତ ମୂଲ୍ୟରେ ଗୁଣବତ୍ତା ବିଶିଷ୍ଟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ/ବିତରକଙ୍କୁ ଚିହ୍ନଟ କରିବେ। ଏସ୍‌ଏମ୍‌ସି ଅଧିବେଶନରେ ଦୋକାନୀ/ବିତରକଙ୍କ ନାମ ପ୍ରସ୍ତାବ ଦେବେ ଏବଂ ସଦସ୍ୟଙ୍କ ଅନୁମୋଦନକ୍ରମେ ଠିକ୍‌ ମୂଲ୍ୟରେ ଉପଯୁକ୍ତ ସାମଗ୍ରୀ ବରାଦ ଦିଆଯିବ। ୨୫ ହଜାର ଟଙ୍କାରୁ ଅଧିକ ପୋଷାକ ଲାଗି ଏସ୍‌ଏମ୍‌ସି ଖୋଲା ବଜାରରୁ ପୋଷାକ କିଣିବା ସକାଶେ ୩ଟି ଭିନ୍ନ ଭିନ୍ନ ଦ୍ରବ୍ୟ ଓ ସେବାକର ପଞ୍ଜୀକୃତ ବିତରକଙ୍କଠାରୁ କୋଟେସନ୍‌ ସଂଗ୍ରହ କରିବେ। ଏସ୍‌ଏମ୍‌ସି ଅଧିବେଶନରେ ଉକ୍ତ କୋଟେସନ୍‌ ଯାଞ୍ଚ କରାଯିବ। ସବୁଠାରୁ କମ୍‌ ମୂଲ୍ୟର କୋଟେସନ୍‌କୁ ବୈଠକରେ ଅନୁମୋଦନ କରାଯିବ। ଏସ୍‌ଏମ୍‌ସି କମିଟି ଆକାଉଣ୍ଟକୁ ସାମଗ୍ରୀ ବାବଦ ଅର୍ଥ ଯୋଗାଇ ଦିଆଯିବ ଏବଂ ସେମାନେ ବିତରଣ ଦାୟିତ୍ବ ବହନ କରିବେ। କିଣିବା ବା ତିଆରି କରି ବିତରଣରେ ଯେପରି ସାଧୁତା, ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯିବ, ସେନେଇ ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି ନଜର ରଖିବେ। ପ୍ରଧାନଶିକ୍ଷକ ନିଜ ପାଖରେ ଗୋଟିଏ ହଳ ପୋଷାକ ନମୁନା ଭାବେ ରଖିବେ। ଆବଶ୍ୟକ ହେଲେ ସେ ତଦାରଖକାରୀଙ୍କୁ ଏହି ନମୁନା ଦେଖାଇପାରିବେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମମାନର ପୋଷାକ ପାଇଛନ୍ତି ବୋଲି ଏକ ପ୍ରମାଣପତ୍ର ଦେବେ। ପ୍ରଧାନଶିକ୍ଷକଙ୍କ ପ୍ରମାଣପତ୍ରକୁ ଆଧାର କରି ପ୍ରତି ବିଇଓ ଏକ ସାର୍ଟିଫିକେଟ୍‌ ଡିପିସିଙ୍କୁ ‌ପଠାଇବେ। ସେହି ଅନୁଯାୟୀ ଛାତ୍ରଛାତ୍ରୀ ଉତ୍ତମମାନର ପୋଷାକ ପାଇଛନ୍ତି ବୋଲି ଡିପିସି ଏକ ସାର୍ଟିଫିକେଟ୍‌ ଓସେପାକୁ ପଠାଇବେ। ପ୍ରତି ୭ ଦିନ ଅନ୍ତରରେ ପୋଷାକ ବିତରଣ ସମ୍ବନ୍ଧ ସୂଚନା ସରକାରଙ୍କ ହସ୍ତଗତ ହେବ। ଅନୁମୋଦିତ ବଜେଟ୍‌ ମଧ୍ୟରେ ପୋଷାକ ବଣ୍ଟନ ସୁନିଶ୍ଚିତ କରାଯିବ। ନିମ୍ନମାନର ପୋଷାକ ବଣ୍ଟନ କିମ୍ବା ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବା ନଜରକୁ ଆସି‌ଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।