ଏବର୍ଷ ବଦଳିବନି ସ୍କୁଲ ୟୁନିଫର୍ମ, ଦୁଇ ହଳ ପୋଷାକକୁ ୫୦୦ ଟଙ୍କା

ଜୋତା, ମୋଜା ସହ ଟି-ସାର୍ଟ, ଟ୍ରାକ୍‌ ପ୍ୟାଣ୍ଟ, ଟୋପି ମିଳିବ

ଭୁବନେଶ୍ବର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ(ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଛାତ୍ରଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ଏସ୍‌ସି ଓ ଏସ୍‌ଟି ବିଭାଗ ଅଧୀନ ସ୍କୁଲଗୁଡ଼ିକର ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ବଣ୍ଟାଯିବ। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୫୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ଏଥିସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କା ମୂଲ୍ୟର ଗୋଟିଏ ଟୋପି(ବ୍ରାଣ୍ଡିଂ ସହ) ଓ ୨୦ ଟଙ୍କା ମୂଲ୍ୟରେ ଗୋଟିଏ ପରିଚୟପତ୍ର ପ୍ରତି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ। ମୋଟ ୧୦୦୦ ଟଙ୍କା ମଧ୍ୟରୁ ୬୦୦ ଟଙ୍କା ସମଗ୍ର ଶିକ୍ଷା ଯୋଜନାରୁ ଓ ବାକି ୪୦୦ ଟଙ୍କା ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନାରୁ ଭରଣା କରାଯିବ।

ପରିଚୟପତ୍ର ପକାଇ ସ୍କୁଲ ଯିବେ ଛାତ୍ରଛାତ୍ରୀ
ନିମ୍ନମାନର ସାମଗ୍ରୀ ବଣ୍ଟନ କଲେ କାର୍ଯ୍ୟାନୁଷ୍ଠାନ

ଚଳିତ ବର୍ଷ ପୋଷାକର ରଙ୍ଗ ଓ ପରିପାଟୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆସନ୍ତା ବର୍ଷଠାରୁ ପୋଷାକର ରଙ୍ଗ ଓ ପରିପାଟୀରେ ପରିବର୍ତ୍ତନ କରାଯାଇପାରେ। ସମସ୍ତ ଛାତ୍ରଙ୍କ ଲାଗି ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ, ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ୍‌ ଓ ଷଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ କମିଜ୍‌ ଓ ଧଳା ସାଲୱାର ଦିଆଯିବ। ଛାତ୍ରଛାତ୍ରୀଙ୍କୁ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ମୋଜା ବଣ୍ଟନ ହେବ। ହାଉସ୍‌ ସିଷ୍ଟମ ପରିପାଟୀ ଅନୁଯାୟୀ ୧୦୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ‌ରେ ଦୁଇଟି ହାଉସ୍‌ ଗଠନ କରାଯିବ ଏବଂ ୪ଟି ରଙ୍ଗର ଟି-ସାର୍ଟ ମଧ୍ୟରୁ ଯେକୌଣସି ଦୁଇଟି ରଙ୍ଗର ଟି-ସାର୍ଟ ଚୟନ ହେବ। ୧୦୦ରୁ ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ୪ଟି ହାଉସ୍‌ ଗଠନ କରାଯିବ ଏବଂ ୪ଟି ରଙ୍ଗର ଟି-ସାର୍ଟ ଚୟନ କରାଯିବ। ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌, ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀଙ୍କ ଉପସ୍ଥିତିରେ ଜୁନ୍‌ ୩୦ ସୁଦ୍ଧା ପୋଷାକ/ଜୋତା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) କମିଟି ଆକାଉଣ୍ଟକୁ ସାମଗ୍ରୀ ବାବଦ ଅର୍ଥ ଯୋଗାଇ ଦିଆଯିବ ଏବଂ ସେମାନେ ବିତରଣ ଦାୟିତ୍ବ ବହନ କରିବେ। କିଣିବା ବା ତିଆରି କରି ବିତରଣରେ ଯେପରି ସାଧୁତା, ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯିବ, ସେନେଇ ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି ନଜର ରଖିବେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ପାଖରେ ଗୋଟିଏ ହଳ ପୋଷାକ/ଜୋତା ନମୁନା ଭାବେ ରଖିବେ। ଏଥିପାଇଁ ଡିଇଓ/ଡିପିସି ତଥ୍ୟ ସଂଗ୍ରହ କରିବେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମମାନର ପୋଷାକ/ଜୋତା ପାଇଛନ୍ତି ବୋଲି ଏକ ପ୍ରମାଣପତ୍ର ଦେବେ। ପ୍ରଧାନ ଶିକ୍ଷକଙ୍କ ପ୍ରମାଣପତ୍ରକୁ ଆଧାର କରି ପ୍ରତି ବ୍ଲକ ଶିକ୍ଷା ଅଧିକାରୀ ଏକ ସାର୍ଟିଫିକେଟ୍‌ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ‌ପଠାଇବେ। ସେହି ଅନୁଯାୟୀ ଛାତ୍ରଛାତ୍ରୀ ଉତ୍ତମ ମାନର ପୋଷାକ ପାଇଛନ୍ତି ବୋଲି ଡିପିସି ଏକ ସାର୍ଟିଫିକେଟ୍‌ ଓସେପାକୁ ପଠାଇବେ। ଜଣେ ବି ପିଲା ଯେପରି ପୋଷାକ/ଜୋତା ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କିମ୍ବା ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବା ନଜରକୁ ଆସି‌ଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର