ନଭେମ୍ବରରେ ହିଁ ଖୋଲିବ ସ୍କୁଲ, ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ

ଦୁଇ ଦିନ ମଧ୍ୟରେ ଜାରି ହେବ ଏସ୍‌ଓପି, ଏବେ ଖୋଲିବନି ପ୍ରଥମରୁ ୮ମ ଶ୍ରେଣୀ

ଭୁବନେଶ୍ବର: ନଭେମ୍ବର ମାସରେ ହିଁ ସ୍କୁଲ ଖୋଲିବ। ୧୫ ତାରିଖ ପରେ ଯେକୌଣସି ଦିନ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ) ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଖୋଲାଯାଇ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ। ପିଲା ସଂଖ୍ୟାକୁ ଦୃଷ୍ଟିରେ ରଖି ଗୋଟିଏ କ୍ଲାସକୁ ଏକାଧିକ ସେକ୍ସନରେ ବିଭକ୍ତ କରାଯିବ। କ୍ଲାସରେ ବସିବା ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ। ଡେସ୍କ, ବେଞ୍ଚ ମଧ୍ୟରେ ଦୁଇ ମିଟର ଦୂରତା ରଖାଯିବ। ଗୋଟିଏ ବେଞ୍ଚରେ ଅତିବେଶିରେ ଦୁଇ ଜଣ ଛାତ୍ରଛାତ୍ରୀ ବସିପାରିବେ। କ୍ୟାମ୍ପସକୁ ପ୍ରବେଶ ସମୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ହାତ ବିଶୋଧନ ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହେବ। ଯଦି କୌଣସି ଛାତ୍ରଛାତ୍ରୀଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ଯଥା ଥଣ୍ଡା, କାଶ, ଜ୍ବର ଦେଖାଯାଏ ତେବେ ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ବିଦ୍ୟାଳୟ ଆସିବା ପୂର୍ବରୁ ଅଭିଭାବକଙ୍କ ସହମତି ଆଣିବା ବାଧ୍ୟତାମୂଳକ। ଯଦି କୌଣସି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ରାଜି ନ ହୁଅନ୍ତି, ସେମାନଙ୍କ ଲାଗି ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି।

ସ୍କୁଲ ଖୋଲିବା ପୂର୍ବରୁ ଏଭଳି ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ (ଏସ୍‌ଓପି) ଜାରି କରିବାକୁ ବିଭାଗ ନି‌ଷ୍ପତ୍ତି ନେଇଛି। ଏସ୍‌ଓପି ଜାରି ପୂର୍ବରୁ ସ୍କୁଲ ପାଠପଢ଼ା ସହ ଜଡ଼ିତ ଥିବା ୫ଟି ଅଂଶୀଦାର ଯଥା ଜିଲ୍ଲାପାଳ, ଅଭିଭାବକ, ଘରୋଇ ସ୍କୁଲ ସଙ୍ଗଠନ, ଅଭିଭାବକ ମହାସଂଘ, ଶିକ୍ଷକ ସଙ୍ଗଠନମାନଙ୍କ ସହ ଆଲୋଚନା‌ ଜାରି ରହିଛି। ପ୍ରସ୍ତୁତ ହେବାକୁ ଥିବା ଏସ୍‌ଓପି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡ୍ରାଫ୍ଟ ଏସ୍‌ଓପି ସର୍ବସାଧାରଣଙ୍କ ଲାଗି ଉପଲବ୍ଧ କରାଯାଇ ମତାମତ ଲୋଡ଼ାଯିବ। ଏହାପରେ ତାହାକୁ ଅନୁଧ୍ୟାନ କରାଯାଇ ଏସ୍‌ଓପି ଜାରି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଶ୍ରୀ ଦାଶ ଆହୁରି କହିଛନ୍ତି ‌ଯେ କୌଣସି ପରିସ୍ଥିତିରେ ପାଠ୍ୟକ୍ରମକୁ ଆଉ ହ୍ରାସ କରାଯିବ ନାହିଁ। ୩୦ ପ୍ରତିଶତ କମିଛି। ବାକି ୭୦ ପ୍ରତିଶତ ପାଠ୍ୟକ୍ରମକୁ ଆଧାର କରି ନୂଆ ଶିକ୍ଷାବର୍ଷ ପ୍ରସ୍ତୁତ ହେବ। କରୋନା ଯୋଗୁଁ ପିଲାଙ୍କର ପାଖାପାଖି ୬ ମାସର ପାଠପଢ଼ା ପ୍ରଭାବିତ ହୋଇସାରିଛି। ବାକି ଯେତିକି ସମୟ ରହିଛି ତାହା ମଧ୍ୟରେ କିଭଳି ସିଲାବସ୍‌କୁ ସମ୍ପୂର୍ଣ୍ଣ କରାଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି। ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ସେମାନଙ୍କ ଜୀବନକୁ ବିପଦ ମଧ୍ୟରେ ନ ଠେଲି କିଭଳି ସୁରୁଖୁରରେ ପାଠପଢ଼ା ହୋଇପାରିବ ସେନେଇ ଗତକାଲି ବିଭାଗୀୟ ଅଧିକାରୀମାନଙ୍କ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କ ସହ ଆଲୋଚନା କରିବୁ। ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫେଇ ଓ ବିଶୋଧନକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ, ସିଆରସିସିଙ୍କୁ ନିର୍ଦେଶ ଦିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସ୍କୁଲ ଖୋଲିଲେ ମଧ୍ୟ ପ୍ରାଥମିକ ଶ୍ରେଣୀ ତଥା ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଏବେ ହେବ ନାହିଁ। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଓ ଯୁକ୍ତ୨ କଲେଜ ଖୋଲାଯାଇ ସ୍ଥିତି ଅନୁଧ୍ୟାନ କରାଯିବ। ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ‌ତେବେ ଡିସେମ୍ବର ମାସରେ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା‌ ଆରମ୍ଭ କରିବାକୁ ବିଚାରବିମର୍ଶ କରାଯାଇପାରେ।

ସମ୍ବନ୍ଧିତ ଖବର