ଦାନଗଦୀ: ଟମକା ଥାନା ଅନ୍ତର୍ଗତ ମହୁଲମୂଳ ନିକଟରେ ସୋମବାର ରାତିରେ ଦୁର୍ଘଟଣା ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଟମକା ଥାନା କିଆଝର ପଞ୍ଚାୟତ ରଗଡ଼ି ଗ୍ରାମର ମହେନ୍ଦ୍ର ମାଝି (୨୬) ଓ ମନ ମୁର୍ମୁ (୨୮)। ସେମାନଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମଙ୍ଗଳବାର ସନ୍ଧ୍ୟାରେ ସେଠାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଟମକା ପୁଲିସ ପହଞ୍ଚି ମୃତକ ପରିବାର ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ପ୍ରଶାସନ ସହିତ ଆଲୋଚନା କରିଥିଲା। ଟମକା ରେଳ ପ୍ଲଟ୍ରେ କୋଇଲା କାମ କରୁଥିବା ଠିକାଦାର ମୃତକଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରାଜି ହେବା ପରେ ରାସ୍ତାରୋକ ହଟିଥିଲା।
ଚେନ୍ନାଇରୁ ଫେରୁଥିବା କେନ୍ଦୁଝର ଜିଲ୍ଲାର କେଶବ ମାରାଣ୍ଡିଙ୍କୁ ଆଣିବାକୁ ମହେନ୍ଦ୍ର ମାଝି ଓ ମନ ମୁର୍ମୁ ଯାଜପୁରରୋଡ୍ ଷ୍ଟେସନକୁ ଯାଇଥିଲେ। ଏକ ସ୍କୁଟରରେ ୩ ଜଣ ଟମକା ଫେରୁଥିବାବେଳେ ରାତି ପ୍ରାୟ ସାଢ଼େ ୧୧ଟାରେ ଡୁବୁରି-ନରଣପୁର ରାସ୍ତା ଉପରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇ ଭିତରେ ପଶି ଯାଇଥିଲେ। ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକ ଓ ମଝିରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା। ପଛରେ ବସିଥିବା କେଶବ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।