ବ୍ରହ୍ମପୁର/ଛତ୍ରପୁର/ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଆଜି ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ସାଙ୍ଗକୁ ପବନର ବେଗ ଅଧିକ ରହିଛି। ବିଶେଷକରି ସମୁଦ୍ର ଉପକୂଳବର୍ତ୍ତୀ ୫ଟି ବ୍ଲକ୍ ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍ରେ ପ୍ରଭାବ ଅଧିକ ରହିଛି। ଏହାସହ ପାତ୍ରପୁର, ଚିକିଟି, ଦିଗପହଣ୍ଡି, ପୋଲସରା, କବିସୂର୍ଯ୍ୟନଗର ଓ ଗୋପାଳପୁର ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି। ଗଞ୍ଜାମ ବ୍ଲକ୍ ପୋଡ଼ମ୍ପେଟାରେ ସମୁଦ୍ର କୂଳ ଲଂଘିଥିବା ବେଳେ ସେଠାରେ ଥିବା ୩ଟି ଦରଭଙ୍ଗା ଘରର ଭଗ୍ନାବଶେଷ ପୂରାପୂରି ଧୋଇ ହୋଇଯାଇଛି। ୧୦ ବର୍ଷ ତଳେ ଏଠାରେ ରହୁଥିବା ଜନବସତିକୁ ସିଦ୍ଧାନ୍ତନଗରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବର୍ତ୍ତମାନ କେହି ରହୁ ନାହାନ୍ତି। କୂଳ ଲଂଘିବା ଖବର ମିଳିବା ପରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ପୋଡ଼ମ୍ପେଟାକୁ ଯିବା ପାଇଁ ରହିଥିବା ରାସ୍ତାକୁ ସିଲ୍ କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା ପାଇଁ ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ତଳିଆ ଓ ଦୁର୍ଗମ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ମଧ୍ୟରେ ଜିଲ୍ଲାର ୬ହଜାର ୨୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ରନ୍ଧାଖାଦ୍ୟ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରୁ ୯୭୦ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି।
ପାତ୍ରପୁରର ଦୁର୍ଗମ ଇଲାକାରେ ଲଗାତାର ବର୍ଷା ଜାରି ରହିଥିବା ବେଳେ ବିଧାୟକ ମନୋରଂଜନ ଦ୍ୟାନସାମନ୍ତରା ଆଙ୍କୁଲି ପଞ୍ଚାୟତର ଲୋକଙ୍କୁ ଆଶ୍ରୟସ୍ଥଳରେ ସାକ୍ଷାତ କରି ପ୍ରସ୍ତୁତି ତଦାରଖ କରିଛନ୍ତି। ଜିଲ୍ଲାର କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ନଥିବା ବେଳେ କୋଷ୍ଟ୍ଗାର୍ଡ଼ ତରଫରୁ ସମୁଦ୍ର ଉପରେ ନଜର ରଖାଯାଇଛି। ଏହାସହ ଆନ୍ଧ୍ରରୁ ଆସୁଥିବା ଟ୍ରଲର୍ଗୁଡ଼ିକ ଆର୍ଯ୍ୟପଲ୍ଲୀ ଓ ଗୋପାଳପୁର ବନ୍ଦର ଅଞ୍ଚଳରେ ଲଙ୍ଗର ପକାଇବା ପାଇଁ ଅନୁମତି ଦିଆଯିବା ସହିତ ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାରେ ୪ଟି ଓଡ୍ରାଫ୍ ଟିମ୍ ଓ ଦମକଳବାହିନୀ ପ୍ରସ୍ତୁତ ରହିଛନ୍ତି। ଏହାସହିତ ଆର୍ମି ଏଡି କଲେଜର ଦୁଇଟି ଟିମ୍ ମଧ୍ୟ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିସି ଜରିଆରେ ଗଞ୍ଜାମ ଜିଲ୍ଲାରେ ‘ମୋନ୍ଥା’ ମୁକାବିଲା ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ବର୍ଷା ଛାଡ଼ିବା ପରେ ତୁରନ୍ତ ଫସଲ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/untitled-22-2025-10-29-07-54-52.jpg)