ଏରସମା: ଶିଆଳି ବେଳାଭୂମି ନିକଟରେ ସମୁଦ୍ର କୂଳ ଲଂଘି ଏରସମା ଉପକୂଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ରାମତରା ନିକଟରେ ସମୁଦ୍ର କୂଳ ଲଂଘିବା ଆରମ୍ଭ କରିଛି। ଫଳରେ ଜଗତସିଂହପୁରଜିଲ୍ଲା ଏରସମା ଉପକୂଳ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ସମୁଦ୍ରକୂଳିଆ ଗାଁରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରଶାସନ ତରଫରୁ ଏଯାଏଁ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅଞ୍ଚଳ ପ୍ରତି ବିପଦ ବଢ଼ିବାରେ ଲାଗିଛି। ପୂର୍ବରୁ ହାୱାଖାନାରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ପଥରବନ୍ଧ ନିର୍ମାଣ ପାଇଁ ଏରସମା ଅଞ୍ଚଳବାସୀ ଓ ଉପକୂଳ ସୁରକ୍ଷା ସମିତି ତରଫରୁ ଦାବି ହୋଇଆସୁଥିଲେ ବି କୌଣସି ପଦକ୍ଷେପ ଏଯାଏଁ ନିଆଯାଇ ପାରିନାହିଁ। ସମୁଦ୍ର କୂଳରେ ରହିଥିବା ଝାଉଁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ରାମତରା କୂଳରେ ଥିବା ଝାଉଁ ଜଙ୍ଗଲକୁ କାଟି ସଫା କରି ଦିଆଯିବା ଦ୍ବାରା କୂଳରେ ଜୁଆର ମାଡ଼ ହେଉଛି। ଏଭଳି ସ୍ଥିତିରେ ପୂର୍ବରୁ ଶିଆଳି ବେଳାଭୂମିର ଭିୟୁ ଟାୱାର ସମୁଦ୍ର ଜୁଆର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ହାୱାଖାନାରୁ ରାମତରା ପର୍ଯ୍ୟନ୍ତ ୩ କିମି ଅଞ୍ଚଳ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି।
ବିପଦରେ ଏରସମା ଉପକୂଳ
ପଥରବନ୍ଧ ନ ହେଲେ ସମୁଦ୍ରରେ ଲୀନ ହେବ ଏକାଧିକ ଗାଁ
ସମୁଦ୍ର କୂଳେକୂଳେ ପଥରବନ୍ଧ ନିର୍ମାଣ ସହିତ ହେନ୍ତାଳ ବଣ ସୃଷ୍ଟି କରାଗଲେ ଜୁଆରକୁ ଅଟକା ଯାଇ ପାରିବ ଓ ଏହା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଯାଇ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ପରିବେଶବିତ୍ମାନେ ମତ ଦେଇଆସୁଛନ୍ତି। କିନ୍ତୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସମୁଦ୍ର କୂଳ ଲଂଘୁଥିବାରୁ ଶିଆଳି ସହ ପଦ୍ମପୁର ଓ ଗଡ଼ ହରିଶପୁର ପଞ୍ଚାୟତ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ତୁରନ୍ତ ସମୁଦ୍ର କୂଳରେ ପଥରବନ୍ଧ ନିର୍ମାଣ ନହେଲେ ସ୍ଥାନୀୟ ଅଞ୍ଚଳ ଲୀନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି।