ବାଲେଶ୍ବର: ଦିନକୁ ଦିନ ଅତି ଭୟଙ୍କର ହେଉଛି ସମୁଦ୍ର। ଘୋ ଘୋ ଗର୍ଜନ କରି ସ୍ଥଳଭାଗ ଆଡ଼କୁ ଧୀରେ ଧୀରେ ବଢ଼ୁଛି। କେତେବେଳେ କଣ ହେବ କହି ହେବନାହିଁ। ଅଞ୍ଚଳବାସୀଙ୍କ ସୁରକ୍ଷା କବଚ ସାଜିଥିବା ଶହେ ହେକ୍ଟରରୁ ଅଧିକ ଝାଉଁ ଜଙ୍ଗଲକୁ ବି କିଛି ବର୍ଷ ଭିତରେ କରାଳ ସମୁଦ୍ର ଗିଳି ସାରିଲାଣି। ସ୍ଥିତି ଏମିତି ଯେ ବନ୍ୟା କିମ୍ବା ବାତ୍ୟା କଥା ଶୁଣିଲେ ଅଞ୍ଚଳବାସୀଙ୍କ ଛାତି ଥରି ଉଠୁଛି। କଣ କରିବୁ, କେଉଁଠି ରହିବୁ; ଏହି ଭୟରେ ସେମାନେ ଶିହରି ଉଠୁଛନ୍ତି। ସୁନାମି କିମ୍ବା ବଡ଼ଧରଣର ସାମୁଦ୍ରିକ ଝଡ଼ ଆସିଲେ କ୍ଷଣିକ ଭିତରେ ଶହଶହ ଧନଜୀବନ ସମୁଦ୍ର ଗର୍ଭରେ ଲୀନ ହୋଇଯିବା କିଛି ଅସମ୍ଭବ ନୁହେଁ। ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ପାଖାପାଖି ୪ ହଜାର ପରିବାର ପାଇଁ ସମୁଦ୍ର ଆଜି ଏଭଳି ବିପଦ ଆଣିଛି। ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସରକାର ଯାଏ, କେହି ଏଥିପ୍ରତି ଗୁରୁତ୍ବ ଦେଇନାହାନ୍ତି। ବାଲେଶ୍ବର ଚାନ୍ଦିପୁରଠାରୁ ମାତ୍ର ୧ କିମି ଦୂର ପନ୍ତା-ପରିଖି ସମୁଦ୍ର ଉପକୂଳ ଅଞ୍ଚଳରେ ୪ ହଜାର ପରିବାର ବସବାସ କରୁଛନ୍ତି।
ସମୁଦ୍ରଠାରୁ ସୁରକ୍ଷା ପାଇଁ କିଛି ବର୍ଷ ତଳେ ବଳରାମଗଡ଼ି ମୁହାଣରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ୧୦ କିମି ପରିମିତ ବେଳାଭୂମି ଅଞ୍ଚଳରେ ବିସ୍ତୀର୍ଣ୍ଣ ଝାଉଁଜଙ୍ଗଲ ସୃଷ୍ଟି କରାଯାଇଥିଲା। କିଛି ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତିପାରିଲା ନାହିଁ, ଆଉ ବାକି ଗଛମାନଙ୍କୁ ସମୁଦ୍ର ଗିଳି ଦେଇଛି। ଝାଉଁ ଜଙ୍ଗଲର ସୁରକ୍ଷା ପାଇଁ ଗାଁ ଲୋକଙ୍କୁ ନେଇ ଜଙ୍ଗଲ ସୁରକ୍ଷା କମିଟି ଗଠନ ହୋଇଛି ସତ, ହେଲେ ସମୁଦ୍ର ଆଗରେ ସମସ୍ତେ ହାର୍ ମାନିଛନ୍ତି।
ଅଧିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୫ ବର୍ଷ ତଳେ ଜନବସତିଠାରୁ ବହୁ ଦୂରରେ ଥିଲା ସମୁଦ୍ର। ଆଜି ମାତ୍ର ୧୫୦ ମିଟର ଦୂରରେ ଢେଉ ପିଟୁଛି। ଅତି ପାଖରୁ ବିଶାଳ ସମୁଦ୍ରକୁ ଦେଖି ଲୋକଙ୍କର ନିଦ ହଜିଗଲାଣି। ଯଦି ବାତ୍ୟା କେବେ ନିକଟବର୍ତ୍ତୀ ସ୍ଥାନରେ ସ୍ଥଳଭାଗ ଛୁଏଁ, ତେବେ ଉକ୍ତ ଅଞ୍ଚଳର ଆଉ ଚିହ୍ନବର୍ଣ୍ଣ ରହିବନାହିଁ। ଅନ୍ୟପକ୍ଷରେ ବିଲୁପ୍ତ ଝାଉଁ ଜଙ୍ଗଲ ସଜାଡ଼ିବା କାମଟି ବି ବନ ବିଭାଗ ଭୁଲିଯାଇଛି। ଯେଉଁ କିଛି ଗଛ ଇତିମଧ୍ୟରେ ଲଗାଯାଇଥିଲା, ରକ୍ଷଣାବେକ୍ଷଣ ଅଭାବ ଓ ସମୁଦ୍ର ଜୁଆର ମାଡ଼ରେ ନଷ୍ଟ ହୋଇଯାଉଛି।
ଅଞ୍ଚଳବାସୀ ପ୍ରଶାସନ ନଜରକୁ ଏହି ପ୍ରସଙ୍ଗଟି ଆଣିବା ପରେ ସମୁଦ୍ର ତଟରେ ପଥରବନ୍ଧ କିମ୍ବା ଜିଓ ଫାଇବର ସୁରକ୍ଷା ବନ୍ଧ କରାଯିବା ଲାଗି ପ୍ରତିଶ୍ରୁତି ମିଳିଥିଲା। ହେଲେ ଏ କାମ କାଣିଚାଏ ଆଗେଇନାହିଁ। ରାଜନେତା ଓ ପ୍ରଶାସନ ପାଖରେ ଲୋକଙ୍କ ଗୁହାରି ନିଷ୍ପ୍ରଭ ହୋଇଯାଇଛି। ଏଣୁ ସେମାନେ ଏବେ ନିଜ ଭାଗ୍ୟକୁ ଆଦରି ରହିଛନ୍ତି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ରାଉତ କହିଛନ୍ତି, ବଳରାମଗଡ଼ିରୁ କଷାଫଳ ପର୍ଯ୍ୟନ୍ତ ୬ ମିଟର ଉଚ୍ଚରେ ପଥରବନ୍ଧ କରାଯିବ ବୋଲି କୁହାଯାଇଥିଲା। ହେଲେ ପାଖାପାଖି ୨୦ କୋଟିର ଏହି ପ୍ରକଳ୍ପ ଏବେ ବନ୍ଦ ହୋଇଯାଇଛି ବୋଲି ଶୁଣାଯାଉଛି। ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେଲେ ପନ୍ତା, ତାଳଗଡ଼ି ଜନବସତି ଗାଁ ସମୁଦ୍ର ଆଁରେ ଲୀନ ହୋଇଯିବ। ବର୍ଷେ କି ଦୁଇବର୍ଷ ହେବ ବାତ୍ୟା ହୋଇନାହିଁ। ଯଦି ଫାଇଲିନ୍ କି ୟାସ୍ ଭଳି ବାତ୍ୟା କେବେ ହେବ, ତେବେ ଏ ଅଞ୍ଚଳକୁ ସୁରକ୍ଷା ଦେବା ମୁସ୍କିଲ୍ ହୋଇପଡ଼ିବ।