ଜଳେଶ୍ବର(ସତ୍ୟବ୍ରତ ପ୍ରଧାନ): ଜଳବାୟୁରେ ଅଚାନକ ପରିବର୍ତ୍ତନ ଆଗାମୀ ଦିନରେ ମାନବସମାଜ ପାଇଁ ଏକ ବଡ଼ ବିପତ୍ତିର କାରଣ ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତା ୩୦ ବର୍ଷ ମଧ୍ୟରେ ସମୁଦ୍ର ଗର୍ଭରେ ବହୁ ଜନବସତି ଲୀନ ହେବାର ଆଶଙ୍କା କରିଛି ଆରଏମ୍ଏସ୍ଆଇ (ରିସ୍କ୍ ମ୍ୟାନେଜମେଣ୍ଟ ସଲ୍ୟୁସନ୍ ଆଇଏନ୍ଏସ୍)। ଆରଏମ୍ଏସ୍ଆଇର ଏହି ଆକଳନ ପରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଥିବା ବେଳେ ଭାରତ ସରକାରଙ୍କ ଆର୍ଥ ସାଇନ୍ସ ମନ୍ତ୍ରାଳୟ ମଧ୍ୟ ଏକ ରିପୋର୍ଟ ପ୍ରକାଶ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ, ୧୮୭୪ ମସିହାରୁ ସମୁଦ୍ର ଜଳପତ୍ତନ କ୍ରମଶଃ ବୃଦ୍ଧି ପାଇଚାଲିଥିବାବେଳେ ସମୁଦ୍ରର ଉଚ୍ଚଜୁଆର ସ୍ଥଳଭାଗକୁ ମାଡ଼ି ଆସୁଛି। ୨୦୫୦ ସୁଦ୍ଧା ସ୍ଥିତି ଆହୁରି ଜଟିଳ ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।
ବିପଦରେ ଭୋଗରାଇ, ବାଲିଆପାଳର ୨୪ ଗାଁ
ଆରଏମ୍ଏସ୍ଆଇ ରିପୋର୍ଟକୁ ନେଇ ବଢ଼ିଲା ଚିନ୍ତା
ବାଲେଶ୍ବର ଜିଲ୍ଲାର ୫ଟି ବ୍ଲକର ୬୩ଟି ଗାଁକୁ ଲାଗି ୮୧ କିମି ଅଞ୍ଚଳ ସମୁଦ୍ର ବେଳାଭୂମି ନିକଟରେ ରହିଛି। ସେଥିମଧ୍ୟରୁ ଭୋଗରାଇ ବ୍ଲକର ୬ଟି ପଞ୍ଚାୟତର ୧୫ଟି ଗାଁ ଓ ବାଲିଆପାଳ ବ୍ଲକର ୬ଟି ପଞ୍ଚାୟତର ୯ଟି ଗାଁ ରହିଛି। ମେରୁ ନଭେମ୍ବର ମାସ ମଧ୍ୟରେ ବାରମ୍ବାର ଲଘୁଚାପଜନିତ ସାମୁଦ୍ରିକ ବାତ୍ୟା ଯୋଗୁଁ ସମୁଦ୍ରର ଜଳରାଶି ଏସବୁ ଗାଁ ଆଡ଼କୁ ମାଡ଼ି ଆସୁଥିବାରୁ ବ୍ୟାପକ ଧନଜୀବନ ନଷ୍ଟ ହେଉଛି। ବିଶେଷକରି ଭୋଗରାଇ ବ୍ଲକର ଉଦୟପୁର, ତାଳସାରି, ସାହାପୁର, ବରବରିଆ, ବିନ୍ଧାପଦ୍ମପୁର, ଗମ୍ଭାରିଆ, କୃଷ୍ଣନଗର, ବଡ଼ପାହି, ବିଚିତ୍ରପୁର, ରଣସିଂହପୁର, କନ୍ୟାନଗରୀ, ଖଡ଼ିବିଲ, ଚନ୍ଦ୍ରାବାଲି, କୀର୍ତ୍ତନିଆ, ବାଲିଆପାଳ ବ୍ଲକର ଅଳାଡ଼ିହା, ବାଲିବିଲ, ଚାନ୍ଦମଣି, ନାରାୟଣପୁର, ଅରୁଆଦନ, ଜମ୍ଭୀରାଇ, ଡଗରା, ଚୌମୁଖ, ଯମୁନାଶୂଳ ଆଦି ଗାଁଗୁଡ଼ିକ ବିପଦ ବଳୟରେ ରହିଛି। ପୂର୍ବରୁ ଉପରୋକ୍ତ ଗାଁଗୁଡ଼ିକ ସମୁଦ୍ରଠାରୁ ୨ରୁ ୩ କିମି ଦୂରରେ ଥିଲା।
ଏବେ ଗାଁ ନିକଟରେ ପହଞ୍ଚିଲାଣି ସମୁଦ୍ର। ସମୁଦ୍ରକୂଳିଆ ଗାଁକୁ ସୁରକ୍ଷା ଦେଉଥିବା ପ୍ରାକୃତିକ ଲୁଣା ଜଙ୍ଗଲ ଆଉ ନାହିଁ କହିଲେ ଚଳେ। ବନ୍ୟାବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ବନ ବିଭାଗ ତରଫରୁ ଏସବୁ ସ୍ଥାନରେ ସୃଷ୍ଟି କରାଯାଇଥିବା ଝାଉଁ ଜଙ୍ଗଲ ମଧ୍ୟ ନିଶ୍ଚିହ୍ନ ହେବାକୁ ବସିଲାଣି। ସମୁଦ୍ର ମାଡ଼ି ଆସୁଥିବାରୁ ୧୯୯୯ ମସିହାରେ ତାଳସାରି ଓ କୀର୍ତ୍ତନିଆଠାରେ ନିର୍ମିତ ହୋଇଥିବା ମତ୍ସ୍ୟ ଅବତରଣ କେନ୍ଦ୍ର (ଜେଟି) ଅଚଳ ହୋଇପଡ଼ିଛି। ବଡ଼ପାହି ଓ ବିଚିତ୍ରପୁରଠାରେ ମଧ୍ୟ ସ୍ଥିତି ସଙ୍ଗିନ। ବାଲିଆପାଳର ଆମ୍ବଚୁଆ, ଡଗରା, ଚୌମୁଖ ଓ ଚାଉଳତି ଗାଁର କିଛି ସ୍ଥଳଭାଗ ସମୁଦ୍ରଗର୍ଭରେ ଲୀନ ହୋଇସାରିଲାଣି। ଏ ପରିପ୍ରେକ୍ଷୀରେ ଆରଏମ୍ଏସ୍ଆଇର ଆକଳନ ଯଦି ସତ୍ୟ ହୁଏ, ତେବେ ଉପରୋକ୍ତ ଗାଁଗୁଡ଼ିକର ଭୌଗଳିକ ଚିତ୍ର ଆଗାମୀ ଦିନରେ ବଦଳିଯିବାର ଆଶଙ୍କା ପ୍ରକାଶ ପାଇଛି।