ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଗତକାଲି (ସୋମବାର) ବିଧାନସଭାରେ ଉପସ୍ଥାପିତ ବଜେଟ୍‌ରେ ସତ୍ୟବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ ଲାଗି ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୪ ଘଣ୍ଟା ପୂରିନି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀସ୍ଥିତ ବନ ବିଦ୍ୟାଳୟରେ ସ୍ଥାପିତ ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ରୂପରେଖକୁ ଅନୁମୋଦନ ଦେଇଛନ୍ତି। ବନ ବିଦ୍ୟାଳୟ ଢାଞ୍ଚାରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଏବଂ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ ଲକ୍ଷ୍ୟରେ ଏହି ବିଶ୍ବବିଦ୍ୟାଳୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ନକ୍ସା ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍କଳମଣି

Advertisment

ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ ବୋଲି ଆଶା କରାଯାଉଛି। ସରକାର କହିଛନ୍ତି ଯେ ପ୍ରସ୍ତାବିତ ଏହି ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାର ବ୍ୟବସ୍ଥା ରହିବ। ତେବେ ଏହି ନିର୍ମାଣର ବିସ୍ତୃତ ଯୋଜନା ସଂପର୍କରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯିବ। ସରକାର ଏକ ପ୍ରେସ ବିବୃତି ଜାରି କରି କହିଛନ୍ତି, ‘‘ଉତ୍କଳମଣି ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସ୍ବାଧୀନତା ସଂଗ୍ରାମ ସମୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ବକୁଳ ଓ ଛୁରିଆନା ବୃକ୍ଷ ଛାୟାରେ ମୁକ୍ତ ପରିବେଶ ମଧ୍ୟରେ ଏହି ବିଦ୍ୟାଳୟ ଗଢ଼ିଉଠିଥିଲା। ଏଥିରେ ଓଡ଼ିଶାର ବହୁ ବିଖ୍ୟାତ ବ୍ୟକ୍ତି ଅଧ୍ୟୟନ କରି ପରବର୍ତ୍ତୀ ସମୟରେ ରାଜ୍ୟର ଗୌରବ ବୃଦ୍ଧି କରିଥିଲେ। ଏହାଥିଲା ଏକ ଆଦର୍ଶ ବିଦ୍ୟାଳୟ। ମଣିଷ ତିଆରି କାରଖାନା। ସ୍ବାଧୀନତା ଯୁଗର ପଞ୍ଚସଖା ଗୋପବନ୍ଧୁ ଦାସ, କୃପାସିନ୍ଧୁ ମିଶ୍ର, ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ସୁଯୋଗ୍ୟ ସନ୍ତାନଙ୍କ ମାର୍ଗଦର୍ଶନରେ ଦେଶ ଭକ୍ତି, ସେବା, ପ୍ରଜ୍ଞା ଓ ଜାତୀୟତାର ମହାନ ଶିକ୍ଷାନୁଷ୍ଠାନ ଭାବେ ଏହା ପ୍ରସିଦ୍ଧି ଲାଭ କରିଥିଲା। ସେହି ଐତିହାସିକ ବନ ବିଦ୍ୟାଳୟରେ ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ନିଶ୍ଚିତ ଭାବେ ଏକ ଅନନ୍ୟ ଉଦ୍ୟମ।’’
ସରକାର ଆହୁରି କହିଛନ୍ତି, ‘‘ଓଡ଼ିଆ ଭାଷା ଷଷ୍ଠ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି।

ଓଡ଼ିଆ ଭାଷାର ଅତୀତ ଅତ୍ୟନ୍ତ ସମୃଦ୍ଧ। ଓଡ଼ିଆ ଭାଷାରେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇଛି। ସତ୍ୟବାଦୀ ବନ ବିଦ୍ୟାଳୟରେ ସ୍ଥାପିତ ହେବାକୁ ଯାଉଥିବା ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ହିଁ ଓଡ଼ିଆ ଭାଷାକୁ ବିଶ୍ବସ୍ତରରେ ପ୍ରତିଷ୍ଠା କରିବା ପାଇଁ ଅନନ୍ୟ ସୁଯୋଗ ଆଣିଦେବ। ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ସଂପର୍କରେ ଉଚ୍ଚତର ଶିକ୍ଷା ପ୍ରଦାନ କରାଯିବା ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ। ସାରା ଦେଶରେ ଓଡ଼ିଆ ଜାତିର ସ୍ବତନ୍ତ୍ରତା ଓ ଓଡ଼ିଆ ଭାଷାର ମହନୀୟତା ସଂପର୍କରେ ଏହା ଏକ ଉଦାହରଣ ସୃଷ୍ଟି କରିବ।’’
ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ସଞ୍ଚାଳନ କରିଥିଲେ। ଏଥିରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ।