ପୁରୀ: ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା ଓ ଉମାକାନ୍ତ ସାମନ୍ତରାୟଙ୍କ ବିଧାନସଭା ଆସନ ଅଦଳବଦଳ ଚର୍ଚ୍ଚା ଶେଷରେ ସତ ପ୍ରମାଣିତ ହୋଇଛି। ସବୁ କନ୍ଦଳ, ଚର୍ଚ୍ଚା ଓ ସନ୍ଦେହରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରି ବିଧାନସଭା ଆସନ ଟିକେଟ୍ ଏବଂ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମାଙ୍କୁ ସତ୍ୟବାଦୀ ବିଧାନସଭା ଆସନ ଟିକେଟ୍ ଦେଇଛନ୍ତି।
ମାସେ ପୂର୍ବରୁ ସଂଜୟ ଓ ଉମାଙ୍କ ଭିତରେ ବିଜେଡି ଟିକେଟ୍କୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ସଂଜୟ ଧଉଳିଠାରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀଙ୍କୁ ନେଇ ବୈଠକ କରିବା ସହ ସେ ସତ୍ୟବାଦୀରୁ ନିର୍ବାଚନ ଲଢ଼ୁଥିବା ଘୋଷଣା କରିଥିଲେ। ଉମା ବ୍ରହ୍ମଗିରିରୁ ଲଢ଼ୁଥିବା କହିଥିଲେ। ଏହି ବୈଠକର ଭିଡିଓ ଭାଇରାଲ୍ ହେବାପରେ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ତାଙ୍କର ଜନ୍ମ ଓ ସତ୍ୟବାଦୀରୁ ହିଁ ଲଢ଼ିବେ ବୋଲି ଉମାକାନ୍ତ ରୋକ୍ଠୋକ୍ କହିଥିଲେ। ଦୁଇନେତାଙ୍କ ଭିତରେ ବିବାଦ ଉଗ୍ରରୂପ ନେବାରୁ ପ୍ରଥମେ ଶଙ୍ଖ ଭବନ ଓ ଶେଷରେ ନବୀନ ନିବାସରେ ସୁପ୍ରିମୋଙ୍କ ଉପସ୍ଥିତିରେ ଦୁଇ ନେତାଙ୍କ ମାନଭଞ୍ଜନ କରାଯାଇଥିଲା। ଏହାର କିଛିଦିନ ପରେ ବ୍ରହ୍ମଗିରିରେ ସଂଜୟ ବୈଠକ କରି ଉମାକାନ୍ତଙ୍କ ନିର୍ବାଚନ ଲଢ଼ିବା କଥା ଦଳୀୟ ନେତା ଓ କର୍ମୀଙ୍କ ଆଗରେ ଘୋଷଣା କରିଥିଲେ। ବୈଠକରେ ଉମାକାନ୍ତ ମଧ୍ୟ ଉପସ୍ଥିତ ଥିଲେ। ଆଜି ପ୍ରାର୍ଥୀ ଘୋଷଣା ହେବାପରେ ଉମାକାନ୍ତଙ୍କ ମନୋଭାବ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଥିବା ପରିଲକ୍ଷିତ ହୋଇଛି ଏବଂ ସେ ବ୍ରହ୍ମଗିରି ଆସନରୁ ଟିକେଟ୍ ପାଇବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ଥିବା ବିବାଦ ପ୍ରଶମିତ ହେଉଛି ନା ଆଗକୁ ଏହା ଭିନ୍ନ ରୂପ ନେଇଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/sanjya.jpg)