କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ (ମହାନଦୀ) କ୍ୟାମ୍ପସ୍ରେ ୨୦୨୩-୨୪ ଶିକ୍ଷା ବର୍ଷରେ ପାଠପଢ଼ା ଆରମ୍ଭ ହେବ। ବିଶ୍ବବିଦ୍ୟାଳୟ ସେଲ୍ଫଫାଇନ୍ସିଂ କୋର୍ସର ସମସ୍ତ ପାଠ୍ୟକ୍ରମକୁ ଦ୍ବିତୀୟ କ୍ୟାମ୍ପସରେ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ଆଇଟିଏମ୍, ଆଇଏସ୍ଟି, ଜେଏମ୍ସି ଓ ବିବିଏ ପାଠ୍ୟକ୍ରମକୁ ଦ୍ବିତୀୟ କ୍ୟାମ୍ପସ୍କୁ ନିଆଯିବ। କିନ୍ତୁ ମହାନଦୀ କ୍ୟାମ୍ପସ୍ରେ ଆଇଟିଏମ୍ ଓ ଆଇଏସ୍ଟି ବିଭାଗର ପାଠପଢ଼ା ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆଇଟିଏମ୍ ଓ ଆଇଏସ୍ଟିରୁ ଆରମ୍ଭ
ସବୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ରହିବ
ଡକ୍ଟର ନାୟକ କହିଛନ୍ତି ଯେ ସିଡିଏ ସେକ୍ଟର-୧୩ ନିକଟରେ ୧୨୬ ଏକର ଜମିରେ ନିର୍ମାଣ ହୋଇଥିବା ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ୍କୁ ବିଶ୍ବବିଦ୍ୟାଳୟର ସେଲ୍ଫଫାଇନାନସିଂର ସମସ୍ତ ପାଠ୍ୟକ୍ରମକୁ ନିଆଯିବ। ଏନେଇ ରାଜ୍ୟ ସରକାର ଓ ରେଭେନ୍ସା ସିଣ୍ଡିକେଟ୍ ଅନୁମତି ପ୍ରଦାନ କରିଛି। ପ୍ରଥମ ପର୍ଯ୍ୟାୟରେ ଯଦିଓ ଆଇଟିଏମ୍, ଆଇଏସ୍ଟି, ଜେଏମ୍ସି ଓ ବିବିଏକୁ ନିଆଯିବା ପାଇଁ ନିଷ୍ପତ୍ତି ହୋଇଛି, ଜୁଲାଇରୁ କିନ୍ତୁ ଆଇଟିଏମ୍ ଓ ଆଇଏସ୍ଟି ପାଠ୍ୟକ୍ରମ ପଢ଼ାଯିବ। ଏହି ଦୁଇଟି ପାଠ୍ୟକ୍ରମରେ ଏବେ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ନୂଆ କ୍ୟାମ୍ପସ୍ରେ ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ଗୋଟିଏ ଲେଖାଏଁ ବ୍ଲକ୍ ପ୍ରଦାନ କରାଯିବ। ଦ୍ବିତୀୟ କ୍ୟାମ୍ପସ୍ରେ ସ୍ମାର୍ଟ କ୍ଲାସ୍ରୁମ, ସ୍ବତନ୍ତ୍ର କମ୍ପ୍ୟୁଟର ରୁମ, ହଷ୍ଟେଲ, ପ୍ରଶାସନିକ କାର୍ଯ୍ୟାଳୟ, ପାଠାଗାର, ମେଡିକାଲ, ଖେଳ ପଡ଼ିଆ, ବ୍ୟାଙ୍କ, କ୍ୟାଫେଟେରିଆ, ପ୍ଲେସ୍ମେଣ୍ଟ ସେଲ୍ ପରି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ମହାନଦୀ କ୍ୟାମ୍ପସ୍ରେ ଏବେ ୨୫୬ଜଣ ଛାତ୍ରୀଙ୍କ ରହିବା ପାଇଁ ୨ଟି ହଷ୍ଟେଲ ପ୍ରସ୍ତୁତ ହୋଇସାରିଛି। ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ନିର୍ମାଣ ହେଉଥିବା ହଷ୍ଟେଲ କାର୍ଯ୍ୟକ୍ଷମ ହେବ।
ଏହି ସାମ୍ବାଦିକ ସମ୍ମିଳନୀରେ କୁଳସଚିବ କାହ୍ନୁ ଚରଣ ମଲ୍ଲିକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁ, ପ୍ରଫେସର ଧର୍ମବ୍ରତ ମହାପାତ୍ର, ପ୍ରଫେସର ଏସ୍.କେ. ଭରଦ୍ବାଜ, ପ୍ରଫେସର ନେତାଜୀ ଅଭିନନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।