ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଗଲେ

ଭୁବନେଶ୍ୱର: ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଆଜି ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ ଯୁବକ ଜଣକ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ କୁହାଯାଇଛି ।

ବ୍ରିଟେନରୁ ଫେରିଥିବା ଭୁବନେଶ୍ୱର ଯୁବକଙ୍କ ସ୍ୱାବ ନମୁନା ଗତ ମାର୍ଚ୍ଚ ୧୯ରେ ପଜିଟିଭ ଆସିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲର ଆଇସୋଲେସନରେ ରଖାଯାଇଥିଲା । ସଂପୃକ୍ତ ଯୁବକଙ୍କର ବାରମ୍ବାର ସ୍ୱାବ ନମୁନା ପରୀକ୍ଷା କରାଯାଉଥିଲା । ଆଜି ପୁଣି ନମୁନା ନେଭେଟିଭ ଆସିବା ପରେ ତାଙ୍କୁ ସୁସ୍ଥ ଘୋଷଣା କରି  ଘରକୁ ପଠାଇବା ନିଷ୍ପତ୍ତି ହୋଇଥିଲା । ଦ୍ୱିତୀୟ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପରେ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ଅନ୍ୟପଟରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ ଜଣଙ୍କ ରକ୍ତ ନମୁନାରୁ ୧୫ ଜଣଙ୍କ ନେଗେଟଭ ବାହାରିଛି । ଅବଶିଷ୍ଟ ରିପୋର୍ଟ ହସ୍ତଗତ ହୋଇପାରି ନାହିଁ । ଏମାନେ ସେଠାରେ ଏକ ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରାଉରକେଲାର ୧୨ ଜଣ ଓ କଟକ, କେନ୍ଦ୍ରାପଡ଼ା ଓ ଗଞ୍ଜାମର ଜଣେ ଲେଖାଏଁ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ସମ୍ବନ୍ଧିତ ଖବର