ଭୁବନେଶ୍ବର : ଧାମନଗର ଉପ-ନିର୍ବାଚନ ପାଇଁ ‘ଭାରତ ଯୋଡ଼ୋ-ଓଡ଼ିଶା’ ୨ଦିନ ବନ୍ଦ ରହିବା ପରେ ଗୁରୁବାର ଦିନ ପୁନର୍ବାର ପରିବର୍ତନ ଯାତ୍ରା ଆରମ୍ଭ ହୋଇଛି। ଫୁଲନଖରାସ୍ଥିତ ଲଖେଶ୍ବର ମନ୍ଦିରଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଯାତ୍ରା ଆରମ୍ଭ ହେବା ପରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ପୀରବଜାରସ୍ଥିତ ଦରଘାରେ ଚାଦର ଚଢ଼ାଇଥିଲେ। ସେହିପରି ନିଟକସ୍ଥ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଯାତ୍ରା ଆଗକୁ ବଢ଼ିବା ସହିତ ଜନସମାଗମ ବଢ଼ି ଚାଲିଥିଲା। ତେଲଙ୍ଗାପେଣ୍ଠ ଓ ପ୍ରତାପନଗରୀଠାରେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ କଟକ ଜିଲ୍ଲା କଂଗ୍ରେସ ନେତୃବନ୍ଦ ସ୍ବାଗତ କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ।
ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଦୀର୍ଘ ୨୨ବର୍ଷ ଓ କେନ୍ଦ୍ରର ୮ବର୍ଷର ଏକ କଳଙ୍କିତ, ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ ଓ ସମ୍ବିଧାନ ବିରୋଧୀ ସରକାର ବିରୋଧରେ ଜନସଚେତନତା କରିବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଗତ ୨୨ବର୍ଷରେ ରାଜ୍ୟରେ ଗୋଟିଏ ବି କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହୋଇପାରିଲା ନାହିଁ। ଶହ ଶହ ଏମ୍ଓୟୁ କରାଯାଉଛି ସତ ଗୋଟିଏ ଫଳପ୍ରଦ ହେଉନାହିଁ। କେନ୍ଦ୍ରର ମୋଦୀ ସରକାର ବିଶ୍ବଗୁରୁ ବୋଲାଉଛନ୍ତି। ଦୀର୍ଘ ୮ବର୍ଷ ଧରି ଆତ୍ମ ପ୍ରଚାର ଓ ଦେଶକୁ ଭାଗ ଭାଗ କରିବା ଛଡ଼ା ଅନ୍ୟ କିଛି କରାଯାଇନାହିଁ। କଂଗ୍ରେସ ହେଉଛି ଏ ଦେଶର ଜନସାଧାରଣଙ୍କ ବଳ ବୋଲି ସେ କହିଥିଲେ।
ପଦଯାତ୍ରା ଆରମ୍ଭ ପୂର୍ବରୁ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ମହାପାତ୍ର କଂଗ୍ରେସ ସଭାପତିଙ୍କୁ ନଖରାଛକରେ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସନ୍ତୋଷ ସିଂ ସାଲୁଜା, ଭୂଜବଳ ମାଝୀ, ରବି ମଲ୍ଲିକ, ବିଜୟଲକ୍ଷ୍ମୀ ସାହୁ, ଦେବାଶିଷ ପଟ୍ଟନାୟକ, ବନ୍ଦିତା ପରିଡ଼ା, ସ୍ମୃତି ଲେଙ୍କା, ୟାସିର ନୱାଜ, ନକୁଳ ନାୟକ, ବିଭୂତି ମିଶ୍ର, ବିଶ୍ବଜିତ ଦାଶ, କିଶୋର ଜେନା, ବାଙ୍କନିଧି ବେହେରା, ସନତ ଦାସ, ସଞ୍ଜୟ ତ୍ରିପାଠୀ, ବିସ୍ମୟ ମହାପାତ୍ର, ଆଲୋକ ଲେଙ୍କା, ଅନିଲ ବେଉରା, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ଦୀପକ ମହାପାତ୍ର, ସେକ୍ ଜାଫର, ରାଜଶ୍ରୀ ମିଶ୍ର, ପ୍ରଣତି ମିଶ୍ର, ମନୋଜ ସାହୁ, ବରଦା ସାହୁ ପ୍ରମୁଖ ଯୋଗ ଦେଇଥିଲେ।