କେନ୍ଦ୍ରାପଡ଼ା/ରାଜନଗର: ରାଜନଗର ପାଇଁ କଳକାରଖାନା ଦରକାର ନାହିଁ। ଜୈବବିବିଧତା ଭରା ଭିତରକନିକାକୁ ପ୍ରକୃତି ଉପହାର ଆକାରରେ ଦେଇଛି। କଳକାରଖାନାର ପ୍ରଦୂଷଣରେ ପ୍ରକୃତିର ଏହି ବରଦାନକୁ ଆମେ ନଷ୍ଟ କରିବାକୁ ଚାହୁନାହୁଁ। ଏଠାରେ ପର୍ଯ୍ୟଟନ ଓ କୃଷି ଭିତ୍ତିକ ଶିଳ୍ପ ଦରକାର। ଏଥିରେ ଜୈବ ବିବିଧତା ସୁରକ୍ଷିତ ରହିବ। ଲୋକମାନଙ୍କ ଜୀବନ ଜୀବିକାରେ ଅଭିବୃଦ୍ଧି ଅଣାଯାଇପାରିବ। ବିଶ୍ବ ପରିବେଶ ଦିବସ ଅବସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତର ଦ୍ବିତୀୟ ସଂସ୍କରଣ ତଥା ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ଏଭଳି ମତବ୍ୟକ୍ତ କରିଛନ୍ତି।
ସ୍ଥାନୀୟ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ କହିଛନ୍ତି ଯେ, ଭିତରକନିକାର ଲୁଣା ଜଙ୍ଗଲ ନଥିଲେ ‘ୟସ୍’ ଓ ‘ଦାନା’ ବାତ୍ୟା ରାଜନଗରରେ ତାଣ୍ତବ ରଚିଥା’ନ୍ତା। ହେନ୍ତାଳବଣ ବାତ୍ୟାର ପ୍ରକୋପରୁ ବଞ୍ଚାଉଛି। ସାରା ଦେଶରେ ଯେତେବେଳେ ଜଙ୍ଗଲ ହ୍ରାସ ପାଉଛି, ସେତେବେଳେ ଭିତରକନିକାରେ ଲୁଣା ଜଙ୍ଗଲ ବୃଦ୍ଧିପାଉଛି। ଲୋକମାନେ ଜଙ୍ଗଲ ସୃଷ୍ଟି ପାଇଁ ନିଜ ଜମି ଦାନ ଦେବା ଘଟଣା ରାଜନଗରବାସୀଙ୍କ ପରିବେଶ ପ୍ରତି ଥିବା ସଚେତନ ଓ ସମର୍ପିତ ମନୋଭାବକୁ ସୂଚାଉଛି। ପର୍ଯ୍ୟଟନ ଓ କୃଷିଭିତ୍ତିକ ଶିଳ୍ପର ଅଭିବୃଦ୍ଧି ଘଟିଲେ ଶିଳ୍ପ ସମୃଦ୍ଧ ଅଞ୍ଚଳରୁ ପର୍ଯ୍ୟଟକ ଭିତରକନିକାକୁ ଆସିବେ। ସେମାନଙ୍କ ଅର୍ଥରେ ଏ ଅଞ୍ଚଳର ଆର୍ଥିକ ପ୍ରଗତି ଘଟିବ।
ଅଳ୍ପ ବିନାଶରେ ଅଧିକ ବିକାଶ ହେଉ: ସୌମ୍ୟରଂଜନ
ଉତ୍ସବରେ ଅଧ୍ୟକ୍ଷତା କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପରିବେଶ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ମାଟି, ପାଣି, ପବନ ଉପରେ ସମସ୍ତଙ୍କର ସମାନ ଅଧିକାର ରହିଛି। ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା। ଗୋଟିଏ ପଟେ ଗଛ କାଟିଲେ ବିପଦ। କିନ୍ତୁ ଗଛ ନ କାଟିଲେ ଶିଳ୍ପ ହୋଇ ପାରିବ ନାହିଁ କି ବିକାଶ ସମ୍ଭବ ହେବ ନାହିଁ। ତେଣୁ ଅନେକ ସମୟରେ ଏହା ଏକ ବିତର୍କ ଓ ଦ୍ବନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି କରେ। ତେଣୁ ଅଳ୍ପ ବିନାଶରେ କିଭଳି ଅଧିକ ବିକାଶ ହେଇପାରିବ, ସେ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେବା ସହିତ ପରିବେଶର ସୁରକ୍ଷା ପାଇଁ ପ୍ରତି ଘରୁ ଜଣେ ଲେଖାଏଁ ପରିବେଶ ଯୋଦ୍ଧା ବାହାରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ପରିବେଶବିତ୍ ମଧୁସ୍ମିତ୍ ପତି ଲୋକମାନଙ୍କ ଜୀବନଜୀବିକା ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସାତଭାୟାରେ ଲୀଳାବତି ଧାନ କିଛି ସ୍ଥାନରେ ଆରମ୍ଭ କରିବାର ଯୋଜନା ସଂପର୍କରେ ସୂଚନା ଦେବା ସହିତ ପଲିଥିନ୍ର ବିକଳ୍ପ ଭାବେ ଏଠାରେ ଉତ୍ପନ୍ନ ହେଉଥିବା ନାଳିଆକୁ ବ୍ୟବହାର କରି ଲୋକଙ୍କୁ ସ୍ବାବଲମ୍ବୀ କରିହେବ ବୋଲି କହିଥିଲେ।
ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଣୟ କୁମାର ବେହେରା ପଲିଥିନ୍ର ଭୟାବହତାକୁ ଚେତାଇ ଦେଇ ଏହାର ଉତ୍ପାଦନ ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ। ସମ୍ବାଦ-କନକ ନ୍ୟୁଜର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସରକାର ଓ ନେତାଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ପ୍ରସଙ୍ଗ ହେଉ। ବିଧାନସଭାରେ ଏହା ଉପରେ ଆଲୋଚନା ହେଉ। ନିଜ ଅଞ୍ଚଳରେ ପରିବେଶ ସୁରକ୍ଷା ନେଇ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପାଖେ ପ୍ରସ୍ତାବ ରଖନ୍ତୁ ଏବଂ ଏଥିପାଇଁ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା ହେଉ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।
‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ସୁବ୍ରତ କୁମାର ସାମଲ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଦେଇଥିଲେ। ରାଜନଗର ବ୍ଲକ୍ ପ୍ରତିନିଧି ସୂର୍ଯ୍ୟନାରାୟଣ ଲେଙ୍କା, କନକ ନ୍ୟୁଜ୍ ପ୍ରତିନିଧି ତାପସ ପରିଡ଼ାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ବୃକ୍ଷରୋପଣ, ସାଇକଲ ରାଲିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ସହିତ ପରିବେଶ ସଚେତନତା ସଂପର୍କିତ ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ପରିବେଶ ପଞ୍ଚାୟତର ଦ୍ବିତୀୟ ସଂସ୍କରଣ କାର୍ଯ୍ୟକ୍ରମ ରାଜନଗର ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିବା ବେଳେ ଏହା ରାଜ୍ୟର ଅନ୍ୟ ୧୪୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ।