ମହଙ୍ଗା ପଡ଼ିଲା ଦ୍ବିତୀୟ ବିବାହ: ବେଦୀରୁ ବର କନ୍ୟାଙ୍କୁ ଉଠାଇ ଆଣିଲା ପୁଲିସ

ରାଉରକେଲା: ବିନା ଛାଡ଼ପତ୍ରରେ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ବିବାହ ବେଦୀରୁ ଉଭୟ ବର ଓ କନ୍ୟାଙ୍କୁ ଉଠାଇ ଆଣି ଉଦିତନଗର ପୁଲିସ ଥାନାରେ ଅଟକ ରଖିଛି। ପ୍ରଥମ ପତ୍ନୀଙ୍କ ଲିଖିତ ଏତଲା ଆଧାରରେ ପୁଲିସ ଉଭୟ ବିବାହିତ ଯୁବକ ଓ କନ୍ୟାଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଖବର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମାମଲାର କୌଣସି ସମାଧାନ ହୋଇ ନଥିବା ଜଣାପଡିଛି।

ବାସନ୍ତୀ କଲୋନି ମାଲଗୋଦାମ ବସ୍ତିର ମମତା ସରକାର ଓରଫ ଶର୍ମା ଜଲଦା ‘ସି’ ବ୍ଲକର ଆନନ୍ଦ ଶର୍ମାଙ୍କୁ ଗତ ୨୦୧୩ରେ ପ୍ରେମ ବିବାହ କରିଥିଲେ। ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଗୁରୁଦ୍ବାର ଭବନରେ ଉଭୟଙ୍କର ହିନ୍ଦୁ ରୀତିନିତୀ ଅନୁଯାୟୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆନନ୍ଦ ସିଭିଲଟାଉନସିପ୍‌ର ଏକ ଘରୋଇ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ମମତାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ବିବାହର କିଛି ମାସ ପରେ ସ୍ବାମୀ ଆନନ୍ଦ ତାଙ୍କୁ ମାରମିଟ୍‌ କରିବା ଆରମ୍ଭ କରିଦେଇଥିଲେ। ଅଧିକ ଯୌତୁକ ଦାବି କରି ଅଧିକାଂଶ ସମୟରେ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ନିର୍ଯାତନା ସହ୍ୟ ନ କରି ପାରି  ଗତ ୨୦୦୨ ଜାନୁଆରିରେ ସେ ମାଲଗୋଦାମସ୍ଥ ବାପଘରକୁ ଚାଲି ଆସିଥିଲେ। ପରେ ତାଙ୍କ ସ୍ବାମୀ ଆନନ୍ଦ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିବା ଜାଣିବାକୁ ପାଇଥିଲେ।

ଏ ସଂକ୍ରାନ୍ତରେ ସେ ତାଙ୍କ ଆନନ୍ଦଙ୍କୁ ପଚାରିଥିଲେ। ମାତ୍ର ସେ କୌଣସି ‌ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ଆଜି ପୂର୍ବାହ୍ନରେ ହନୁମାନବାଟିକା ପରିସରସ୍ଥ ଏକ ମନ୍ଦିରରେ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ମମତା ନିଜ ସମ୍ପର୍କୀଙ୍କ ଠାରୁ ସୂଚନା ପାଇଥିଲେ। ସଙ୍ଗେ ସଙ୍ଗେ ବିବାହ ବେଦୀରେ ପହଞ୍ଚି ପ୍ରତିବାଦ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ବାମୀଙ୍କ ପରିବାର ଲୋକ ମମତାଙ୍କୁ ବିବାହ ବେଦୀରୁ ତଡ଼ିଦେଇଥିଲେ। କିଛି ଉପାୟ ନ ପାଇ ମମତା ଉଦିତନଗର ଥାନାରେ ପହଞ୍ଚି ବିନା ଛାଡପତ୍ରରେ ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରୁଥିବା ଲିଖିତ ଅଭିଯୋଗ କରିଥିଲେ। ମମତାଙ୍କ ଅଭିଯୋଗ ଆଧାରରେ ଉଦିତନଗର ପୁଲିସର ସ୍ବତନ୍ତ୍ର ଟିମ୍‌ ହନୁମାନବାଟିକାରେ ପହଞ୍ଚି ବିବାହ ବେଦିରୁ ଉଭୟ ବର ଓ କନ୍ୟାଙ୍କୁ ଥାନାକୁ ଉଠାଇ ନଥିଲେ। ଥାନାରେ ଉଭୟ ପରିବାର ପହଞ୍ଚି ପାଟିତୁଣ୍ଡ କରିବାରୁ ସେଠାରେ ମଧ୍ୟ ଉତ୍ତେଜନା ଉପୁଜିଥିଲା। ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମମତାଙ୍କ ମାଆ ବବ୍‌ଲି ସରକାରଙ୍କ କହିବାନୁଯାୟୀ, ଆନନ୍ଦ ତାଙ୍କ ଝିଅଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ବାହାଘର ପରେ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ପରେ ଝିଅ ଘରକୁ ଚାଲି ଆସିଥିଲେ। ଏହାର ସୁଯୋଗ ନେଇ ଆନନ୍ଦ ପୂର୍ବରୁ ସେକ୍ଟର-୩ର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଯୁବତୀଙ୍କ ପରିବାର ଆନନ୍ଦ ବିବାହିତ ଜାଣିବା ପରେ କଥା ଆଗକୁ ବଢ଼ି ନଥିଲା।

ସମ୍ବନ୍ଧିତ ଖବର