କଳାହାଣ୍ଡିରେ ଦ୍ବିତୀୟ ପର୍ଯ୍ୟାୟ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟ ଥର ପାଇଁ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟର ସୁପର ସ୍ପେସାଲିଷ୍ଟ ୧୦ ଜଣ ଡାକ୍ତର ଯୋଗଦେଇ ୨୭୨ ଜଣ ରୋଗୀଙ୍କ  ଚିକିତ୍ସା କରିଥିଲେ।

ପ୍ରକାଶ ଯେ, ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଗତ ଏପ୍ରିଲ ୨୭ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଥିଲା। ୪ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଏଣ୍ଡୋକ୍ରିନୋଲୋଜି ଡା. ଦୟାନିଧି ମେହେର, ୟୁରୋଲୋଜି ଆସିଷ୍ଟାଣ୍ଟ ପ୍ରଫେସର ଡା. ସଂଜୟ ଚୈାଧୁରୀ, କାର୍ଡିଓଲୋଜି ସ୍ପେସାଲିଷ୍ଟ ଡା. ନିର୍ମଳ ମହାନ୍ତି, ଆନାସ୍ଥେସିଆ ସ୍ପେସାଲିଷ୍ଟ ଡା. ଅରୁଣ କୁମାର, ଲେପ୍ରୋସ୍କୋପି ସ୍ପେସାଲିଷ୍ଟ ଡା. ଜୟନ୍ତ ବିଶ୍ବାଲ ଗତ ୨୯ ଓ ୩୦ ଦୁଇ ଦିନ ଧରି ରୋଗୀଙ୍କ ଚିକିତ୍ସା କରିଥିଲେ। ସେହିଭଳି ୟୁରୋଲୋଜି ସ୍ପେସାଲିଷ୍ଟ ୟାସ.ଏମ୍‌. ତିଲାଲା, ଆନା‌ସ୍ଥେସିଆ ସ୍ପେସାଲିଷ୍ଟ ଡା. ରାଜେଶ ସାହୁ, ରେଡିଓଲୋଜି ସ୍ପେସାଲିଷ୍ଟ ଡା. ସତ୍ୟ ସୁନ୍ଦର ମହାପାତ୍ର, କାର୍ଡିଓଲୋଜି ସ୍ପେସାଲିଷ୍ଟ ଡା. ରାଜେଶ ବି. ଭୁରକୁଣ୍ଡା, ସର୍ଜରି ସ୍ପେସାଲିଷ୍ଟ ଡା. ସତ୍ୟ ନାରାୟଣ ବେହେରା ଏପ୍ରିଲ ୨୭ ଓ ୨୮ ତାରିଖ ଚିକିତ୍ସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ୨୭୨ ଜଣ ରୋଗୀ ପଞ୍ଜୀକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ୬୩ ଜଣ ୟୁରୋଲୋଜି, ୫୭ ଜଣ କାର୍ଡିଓଲୋଜି, ୪୧ ଜଣ ସୁପରସ୍ପେସାଲିଷ୍ଟ ସର୍ଜରି, ୪୫ ଜଣ ଏଣ୍ଡୋ କ୍ରିନୋଲୋଜି, ୫୫ ଜଣ ଇସିଜି, ୬୫ ଜଣ ୟୁଏସଜି, ୯୫ ଜଣ ଲ୍ୟାବରେ ପରୀକ୍ଷାର ସୁବିଧା ନେଇଥିଲେ। ୭ ଜଣଙ୍କ ଅସ୍ତ୍ରୋପଚାର ହୋଇଥିଲା। କଳାହାଣ୍ଡି ସିଡିଏମ୍‌ଓ ଡା. କସ୍ତୁରୀ ମିଶ୍ର, ଏଡିଏମ୍‌ଓ ଡା. ରଞ୍ଜନ ମିତ୍ର, ଡିପିଏମ୍‌ ଅବନୀ ମହାପାତ୍ର, ହସ୍ପିଟାଲ ମ୍ୟାନେଜର ଡା. ଶ୍ରୀରାମ ମହାନ୍ତି ଓ ଶୁଭ୍ରା ସାହୁ, ପ୍ରବୀଣ ମେହେର, ଶକ୍ତି ରଞ୍ଜନ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର