ସମ୍ବଲପୁର: ଆସନ୍ତା ୧୦ ତାରିଖ ଗୁରୁବାର ଦିନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅନ୍ତର୍ଗତ ବିଛୁପାଲିରୁ ଝାରତରଭା ଷ୍ଟେସନ୍ ମଧ୍ୟରେ ନୂଆ ରେଳ ଲାଇନ୍ର ସିଆର୍ଏସ୍ ଯାଞ୍ଚ ହେବ। ଦକ୍ଷିଣ ପୂର୍ବ ସର୍କଲ୍ର ରେଳ ନିରାପତ୍ତା ଆୟୁକ୍ତ (ସିଆର୍ଏସ୍) ଏଏମ୍ ଚୌଧୁରୀ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସୁବଣ୍ଣଁପୁର ଜିଲ୍ଲା ବିଛୁପାଲି-ଝାରତରଭା ଲାଇନ୍ର ଯାଞ୍ଚ କରିବେ। ତାଙ୍କ ଯାଞ୍ଚ ସମୟରେ ସେହି ଦିନ ସକାଳ ୮ଟାରୁ ସଂଧ୍ୟା ୬ଟା ଭିତରେ ଉକ୍ତ ଦୁଇ ଷ୍ଟେସନ୍ ମଧ୍ୟରେ ସ୍ପିଡ୍ ଟ୍ରାଏଲ୍ ବି କରାଯିବ। ଏହା ବ୍ୟତୀତ ୧୧ ତାରିଖ ଶୁକ୍ରବାର ସିଆର୍ଏସ୍ ଶ୍ରୀ ଚୌଧୁରୀ ବଡ଼ମାଲ ଓ ସିକିର୍ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟର ଯାଞ୍ଚ କରିବେ। ତେଣୁ ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ବିତୀୟ ଷ୍ଟେଶନ ଖୋଲିବା ସମ୍ଭାବନା ରହିଛି।
ଉକ୍ତ ଦିନ ସେହି ଦୁଇ ଷ୍ଟେସନ୍ ମଧ୍ୟରେ ନୂଆ ଦ୍ବିତୀୟ ଲାଇନ୍ରେ ସ୍ପିଡ୍ ଟ୍ରାଏଲ୍ ହେବ। ତେଣୁ ୧୦ ତାରିଖ ଦିନ ବିଛୁପାଲିରୁ ଝାରତରଭା ମଧ୍ୟରେ ତଥା ୧୧ ତାରିଖ ଦିନ ବଡ଼ମାଲରୁ ସିକିର୍ ମଧ୍ୟରେ ରେଳ ଧାରଣା ଅତିକ୍ରମ ନ କରିବାକୁ ରେଳବାଇ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ବହୁ ପ୍ରତୀକ୍ଷିତ ଖୋର୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ରେ ଝାରତରଭା ବଲାଙ୍ଗୀର ପଟୁ ତୃତୀୟ ଷ୍ଟେସନ୍ ହେବ। ପୂର୍ବରୁ ବଲାଙ୍ଗୀରୁ ବିଛୁପାଲି ମଧ୍ୟେରେ ରେଳ ଲାଇନ୍ କାର୍ଯ୍ୟକ୍ଷମ ହୋଇ ସାରିଥିବାବେଳେ ଏବେ ବିଛୁପାଲିରୁ ଝାରତରଭା ମଧ୍ୟରେ କାମ ଶେଷ ହୋଇ କମିସନିଂ ହେବାକୁ ଯାଉଛି। ଝାରତରଭା ସୁବର୍ଣ୍ଣପୁର ଜିଲ୍ଲାର ଦ୍ବିତୀୟ ରେଳ ଷ୍ଟେସନ୍ ହେବ। ପୂର୍ବରୁ ଏହି ଜିଲ୍ଲାର ସମ୍ବଲପୁର-ଟିଟିଲାଗଡ଼ ସେକ୍ସନ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ରେଳ ଷ୍ଟେସନ୍ ରହିଛି। ସେହିପରି ସମ୍ବଲପୁର-ଟିଟିଲାଗଡ଼ ସେକ୍ସନର ଦୋହରୀକରଣ କାର୍ଯ୍ୟ ବି ଶେଷ ହୋଇଛି। ବଡ଼ମାଲ-ସିକିର୍ ୧୦ କିଲୋମିଟର୍ ଲାଇନ୍ ଏହି ଦୋହରୀକରଣ ପ୍ରକଳ୍ପର ଶେଷ ବକେୟା ଅଂଶ ଥିଲା ଯାହାର ସିଆର୍ଏସ୍ ଯାଞ୍ଚ ପରେ କମିସନିଂ ହେବ।